ଶିବିର ଛାଡୁ ଛାଡୁ କଂଗ୍ରେସ ଉପରେ ବର୍ଷିଲେ ମିଲିନ୍ଦ; ମୋଦିଙ୍କର କଲେ ପ୍ରଶଂସା
ହାତ ଛାଡି ଏକନାଥ ସିନ୍ଦେଙ୍କ ଧନୁ ତୀର ଧରିଲେ ପୂର୍ବତନ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ମିଲିନ୍ଦ ଦେଓରା। ଆଜି ସକାଳୁ କଂଗ୍ରେସରୁ ଇସ୍ତଫା ଦେଇଥିବା ମିଲିନ୍ଦ ସିନ୍ଦେ ଗ୍ରୁପର ଶିବ ସେନାରେ ସାମିଲ ହୋଇଛନ୍ତି।
ମହାରାଷ୍ଟ୍ର କଂଗ୍ରେସକୁ ଶକ୍ତ ଧକ୍କା । କଂଗ୍ରେସ ଛାଡ଼ିଲେ ପୂର୍ବତନ ସାଂସଦ ମିଲିନ୍ଦ ଦେଓରା । ୫୫ ବର୍ଷ ଧରି କଂଗ୍ରେସ ଓ ମିଲିନ୍ଦଙ୍କ ପରିବାର ମଧ୍ୟରେ ଥିଲା ସଂପର୍କ । ଆଜି କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ମିଲିନ୍ଦ ଦେଓରା । ‘ଏକ୍ସ’ ଆକାଉଣ୍ଟରେ ପୋଷ୍ଟ କରି ସୂଚନା ଦେଲେ ମିଲିନ୍ଦ ଦେଓରା ।
କଂଗ୍ରେସରୁ ଇସ୍ତଫା ଦେଉ ଦେଉ ତୁରନ୍ତ ଏକନାଥ ସିନ୍ଦେଙ୍କ ଶିବିରରେ ଯୋଗ ଦେଇଛନ୍ତି ମିଳିନ୍ଦ ଦେଓରା । ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉପସ୍ଥିତିରେ ସେ ଶିବସେନାରେ ଯୋଗ ଦେଇଛନ୍ତି । ଶିବିର ପରିବର୍ତ୍ତନ କରୁ କରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଛନ୍ତି ମିଳିନ୍ଦ ।
ସେ କହିଛନ୍ତି-ମୋଦି ଆମର ପ୍ରଧାନମନ୍ତ୍ରୀ ଅଟନ୍ତି, ଏହା ଆମ ପାଇଁ ଗର୍ବର କଥା । ଉଭୟ କେନ୍ଦ୍ରରେ ଓ ରାଜ୍ୟରେ ମଜଭୁତ ସରକାର ଦରକାର । ମୋଦିଙ୍କ ନେତୃତ୍ୱରେ ଭାରତ ଆଜି ଶକ୍ତିଶାଳୀ ହୋଇଛି । ଗତ ୧୦ ବର୍ଷ ଭିତରେ ମୁମ୍ବାଇରେ ଗୋଟିଏ ମଧ୍ୟ ଆତଙ୍କବାଦୀ ଆକ୍ରମଣ ହୋଇନି । ଏହା ମୁମ୍ବାଇବାସୀଙ୍କ ପାଇଁ ଏକ ବଡ଼ କଥା ।
ତା’ସହିତ କଂଗ୍ରେସକୁ ଆକ୍ରମଣ କରି ମିଳିନ୍ଦ ଦେଓରା କହିଛନ୍ତି, ଉଦ୍ୟୋଗପତିଙ୍କୁ ଦେଶଦ୍ରୋହୀ କହି ଏବେ ବିନା କାରଣରେ ସମାଲୋଚନା କରୁଛି କଂଗ୍ରେସ । ଆଜି ହିଁ ମିଳିନ୍ଦ ଦେଓରା କଂଗ୍ରେସରୁ ଇସ୍ତଫା ଦେଇଥିଲେ । ସେ ହେଉଛନ୍ତି କଂଗ୍ରେସ ସରକାରରେ ପେଟ୍ରୋଲିୟମ ମନ୍ତ୍ରୀ ଥିବା ମୁରଲୀ
ଦେଓରାଙ୍କ ପୁଅ ।
ଇଣ୍ଡିଆ ମେଣ୍ଟରେ ଥିବା ଉଦ୍ଧବ ଠାକରେଙ୍କ ଶିବ ସେନା ମୁମ୍ବାଇ ସାଉଥ୍ ଲୋକସଭା ଆସନ ମାଗୁଛି। ଦଳ ଏନେଇ ଖୋଲାଖୋଲି ଘୋଷଣା କରୁଥିବା ବେଳେ ଏଥିରେ ଅସନ୍ତୁଷ୍ଟ ଥିଲେ ମିଲିନ୍ଦ ଦେଓରା। କଂଗ୍ରେସ ଛାଡ଼ିବା ପଛରେ ଏହା ଅନ୍ୟତମ କାରଣ ବୋଲି କୁହାଯାଉଛି। କାରଣ କଂଗ୍ରେସରେ ରହିଥିଲେ ହୁଏତ ସେ ମୁମ୍ବାଇ ସାଉଥ୍ ଲୋକସଭା ଆସନରୁ ଆଉ ଟିକେଟ୍ ପାଇ ନଥା’ନ୍ତେ।