ଶିଶୁ ଭବନର ନୂଆ ବିଲ୍‌ଡିଂକୁ ମିଳୁନି ଫାୟାର ସେଫ୍ଟି ଲାଇସେନ୍ସ!

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ୧୫୧ କୋଟି ଟଙ୍କା ବ୍ୟୟରେ ଛଅ ମହଲା ବିଶିଷ୍ଟ ଏହି ବିଲଡିଂ ନିର୍ମାଣ ହୋଇଥିବା ବେଳେ ଏହାର ଜମି ଏ ପର୍ଯ୍ୟନ୍ତ ଶିଶୁଭବନ ଖାତାକୁ ଆସି ପାରିନାହିଁ।

ଶିଶୁ ଭବନର ନୂଆ ବିଲ୍‌ଡିଂକୁ ମିଳୁନି ଫାୟାର ସେଫ୍ଟି ଲାଇସେନ୍ସ!

ଚକଚକ ଦିଶୁଥିବା ୬ ମହଲା ବିଶିଷ୍ଟ ବିଲଡିଂର ନିର୍ମାଣ କାମ ଦୀର୍ଘ ଦିନରୁ ଶେଷ ହେଲାଣି। ହେଲେ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିଲାନି ଶିଶୁ ଭବନର ଏହି ନୂଆ ବିଲଡିଂ। ତେବେ କେବେ କାର୍ଯ୍ୟକ୍ଷମ ହେବ, ତାହାର ଉତ୍ତର କାହା ପାଖରେ ନାହିଁ। ସେପଟେ ଶୁଣିବାକୁ ମିଳୁଛି, ବିଲ୍‌ଡିଂ ତିଆରି ହୋଇଥିବା ଜମି ଆଜି ପର୍ଯ୍ୟନ୍ତ ହସ୍ପିଟାଲ୍‌ ନାଁକୁ ଆସିପାରିନି। ହସ୍ପିଟାଲକୁ ଫାୟାର ସେଫ୍‌ଟି ଲାଇସେନ୍ସ ମିଳିପାରୁ ନାହିଁ।

୨୦୧୬ ମସିହାରେ ଶିଶୁଭବନର ମଲ୍‌ଟି ୟୁଟିଲିଟି ବିଲଡିଂ ନିର୍ମାଣ ହୋଇଥିଲା। ଏଠାରେ ସମସ୍ତ ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ସହ ୮୫ଟି ଆଇସିୟୁ ବେଡ୍‌, କାଜୁଆଲଟି, ଏସଏନସିୟୁ, ଇଣ୍ଟେନସିଭ କେୟାର ଓ ସମସ୍ତ ପ୍ରକାର ଟେଷ୍ଟ, ରୋଗୀଙ୍କ ଆଟେଣ୍ଡାଣ୍ଟ ରହିବା ବ୍ୟବସ୍ଥା ଆଦି ଗୋଟିଏ ଛାତ ତଳେ କରିବାର ବ୍ୟବସ୍ଥା କରାଯାଇଛି। ହେଲେ ଦୁର୍ଭାଗ୍ୟର ବିଷୟ ଏଠାରେ ଆରମ୍ଭ ହୋଇପାରୁନି ଶିଶୁମାନଙ୍କ ଚିକିତ୍ସା। ନିର୍ମାଣ ହେବାର ଦୀର୍ଘ ଦିନ ବିତିଥିଲେ ମଧ୍ୟ ଏ ଯାଏଁ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ କଟକ ଶିଶୁଭବନର ଏହି ନୂଆ ବିଲଡିଂ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ୧୫୧ କୋଟି ଟଙ୍କା ବ୍ୟୟରେ ଛଅ ମହଲା ବିଶିଷ୍ଟ ଏହି ବିଲଡିଂ ନିର୍ମାଣ ହୋଇଥିବା ବେଳେ ଏହାର ଜମି ଏ ପର୍ଯ୍ୟନ୍ତ ଶିଶୁଭବନ ଖାତାକୁ ଆସି ପାରିନାହିଁ। ସେ ପ୍ରକ୍ରିୟା ଏବେ ମଧ୍ୟ ଜାରି ରହିଛି। କେବଳ ସେତିକି ନୁହେଁ, ସରକାରୀ ହସ୍ପିଟାଲକୁ ଫାୟାର ସେଫ୍‌ଟି ଲାଇସେନ୍ସ ମିଳିପାରୁନଥିବାରୁ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇପାରୁନଥିବା ସ୍ୱୀକାର କରିଛନ୍ତି ଅଧୀକ୍ଷକ। ତେବେ ଏ ନେଇ ସରକାରଙ୍କୁ ଅବଗତ କରାଯାଇଛି। ଖୁବ୍‌ ଶୀଘ୍ର ଏହା କାର୍ଯ୍ୟକ୍ଷମ ହେବ ବୋଲି ଅଧୀକ୍ଷକ ପ୍ରଦୀପ କୁମାର ଜେନା କହିଛନ୍ତି।

ଏହା ହେଉଛି ପୂର୍ବ ଭାରତର ସର୍ବବୃହତ ଶିଶୁରୋଗ ଚିକିତ୍ସା ପ୍ରତିଷ୍ଠାନ। ଏହା ରେଫରାଲ ହସ୍ପିଟାଲ ହୋଇଥିବାରୁ ରାଜ୍ୟ ସମେତ ରାଜ୍ୟ ବାହାରର ଶିଶୁରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି। ଶିଶୁ ଭବନରେ ପ୍ରତିଦିନ ହାରାହାରି ୩୦୦ ଶିଶୁ ଆଡମିସନ୍‌ ହେଉଥିବା ବେଳେ ଶହ ଶହ ଶିଶୁ ଚିକିତ୍ସା ହେବାକୁ ଆସୁଛନ୍ତି। ତେବେ ନୂଆ ବିଲଡିଂ କାର୍ଯ୍ୟକ୍ଷମ ହେଲେ ଗୋଟିଏ ଛାତ ତଳେ ସମସ୍ତ ସୁବିଧା ମିଳିବ। ଆଉ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ହଇରାଣ ହେବାକୁ ପଡ଼ିବ ନାହିଁ ବୋଲି ଚର୍ଚ୍ଚା ହେଉଛି।

ପୂର୍ବରୁ ଶିଶୁ ଭବନରେ ୨୧ଟି ଆଇସିୟୁ ଥିଲା। ଯାହାକୁ ନେଇ ନାନା ସମସ୍ୟା ଉପୁଜୁଥିଲା। ନୂଆ ମଲ୍‌ଟି ୟୁଟିଲିଟି ବିଲଡିଂରେ ପାଖାପାଖି ୧୦୦ ବେଡ୍‌ ବିଶିଷ୍ଟ ଆଇସିୟୁ ବେଡ୍‌ ରହିବ। ପୂର୍ବରୁ ବେଡ ସଂଖ୍ୟା ୨୦୦ ଥିବା ବେଳେ ଏହାକୁ ବୃଦ୍ଧି କରାଯାଇ ୪୨୨ କରାଯାଇଥିଲା। ତେବେ ନୂଆ ବିଲଡିଂରେ ବେଡ୍‌ ସଂଖ୍ୟା ୬୦୦କୁ ବୃଦ୍ଧି କରାଯିବ। କିଛିଦିନ ତଳେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ସ୍ୱାସ୍ଥ୍ୟ ସଚିବ ନୂଆ ବିଲଡିଂ ବୁଲି ଦେଖିବା ସହ କିପରି ଏହା ତୁରନ୍ତ କାର୍ଯ୍ୟକ୍ଷମ ହେବ ସେ ନେଇ ଆଲୋଚନା କରିଛନ୍ତି। ତେବେ ଫାୟାର ସେଫ୍ଟି ଲାଇସେନ୍ସ ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଖୁବଶୀଘ୍ର କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।