ଶୀତକୁ ଉଡ଼ାଇ ନେଲା ବାତ୍ୟା ଦାନା, ନଭେମ୍ବର ଶେଷ ଆଡକୁ ବଢିବ ଶୀତ
ଭୁବନେଶ୍ବର : ରାଜ୍ୟରେ ଶୀତ ଯେବେ ସୁଦ୍ଧା ଆସିବା କଥା ତାହା ଆସିଲା ନାହିଁ। ଆଗରୁ ନଭେମ୍ବର ସୁଦ୍ଧା ରାଜ୍ୟରେ ଶୀତର ପ୍ରକୋପ ଦେଖାଯାଉଥିଲା। ହେଲେ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ଆଉ ଏହାର ମୁଖ୍ୟ କାରଣ ଗତ ମାସରେ ଆସିଥିବା ବାତ୍ୟା ‘ଦାନା’ ବୋଲି ପାଣିପାଗ ବିଭାଗ କହିଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଶୀତକୁ ଉଡାଇ ନେଇଛି ବାତ୍ୟା ଦାନା । ସ୍ବାଭାବିକ ଦିନଠାରୁ ଏକମାସ ପଛକୁ ଠେଲି ହୋଇଯାଇଛି […]

ଭୁବନେଶ୍ବର : ରାଜ୍ୟରେ ଶୀତ ଯେବେ ସୁଦ୍ଧା ଆସିବା କଥା ତାହା ଆସିଲା ନାହିଁ। ଆଗରୁ ନଭେମ୍ବର ସୁଦ୍ଧା ରାଜ୍ୟରେ ଶୀତର ପ୍ରକୋପ ଦେଖାଯାଉଥିଲା। ହେଲେ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ଆଉ ଏହାର ମୁଖ୍ୟ କାରଣ ଗତ ମାସରେ ଆସିଥିବା ବାତ୍ୟା ‘ଦାନା’ ବୋଲି ପାଣିପାଗ ବିଭାଗ କହିଛି।
ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଶୀତକୁ ଉଡାଇ ନେଇଛି ବାତ୍ୟା ଦାନା । ସ୍ବାଭାବିକ ଦିନଠାରୁ ଏକମାସ ପଛକୁ ଠେଲି ହୋଇଯାଇଛି ଶୀତ। ନଭେମ୍ବର ୧୫ ତାରିଖ ଭିତରେ ଶୀତ ପଡିବ ନାହିଁ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କାରଣ ଏବେ ରାଜ୍ୟକୁ ଉତ୍ତର-ପୂର୍ବ ଦିଗରୁ ପବନ ବହୁଛି । ପ୍ରଭାବରେ ତାପମାତ୍ରା ସ୍ବାଭାବିକ ଠାରୁ ୧ ରୁ ୨ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହୁଛି । ନଭେମ୍ବର ଶେଷ ଆଡକୁ ଉତ୍ତର ଦିଗରୁ ଥଣ୍ଡା ପବନ ପ୍ରବାହ ବଢିଲେ ଶୀତ ବଢିବ ।
ବର୍ତ୍ତମାନ ପଶ୍ଚିମା ଝଡର ବି ପ୍ରଭାବ ନାହିଁ । ବାତ୍ୟା ପରେ ମାତ୍ର ଗୋଟିଏ ପଶ୍ଚିମାଝଡ ସୃଷ୍ଟି ହୋଇଛି । ଆଗକୁ ଧିରେ ଧିରେ ତାପମାତ୍ରା କମିବ । କିନ୍ତୁ ହଠାତ୍ ଶୀତ ହେବନାହିଁ । ବର୍ତ୍ତମାନ ରାତିର ତାପମାତ୍ରା ସ୍ବାଭାବିକ ଠାରୁ ୧ ରୁ ୨ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିଛି । ଏହାସହ ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ରହୁଛି । ଦିନର ତାପମାତ୍ରା ସ୍ବାଭାବିକକୁ ଫେରୁଛି ।
ତେବେ ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୩୪.୮ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ କନ୍ଧମାଳର ଦାରିଖବାଡିରେ ସର୍ବନିମ୍ନ ତାପମାତ୍ରା ୧୬.୫ ଡିଗ୍ରୀ ରେକର୍ଡ ହୋଇଛି । ଭୁବନେଶ୍ବର ଦିନର ତାପମାତ୍ରା ୩୨.୫ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ରାତିର ତାପମାତ୍ରା ୨୨.୫ ଡିଗ୍ରୀ ରେକର୍ଡ ହୋଇଛି । ସେହିଭଳି କଟକରେ ଦିନର ତାପମାତ୍ରା ୩୦.୫ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ରାତିର ତାପମାତ୍ରା ୨୨ଡିଗ୍ରୀ ରେକର୍ଡ ହୋଇଛି । ବର୍ତ୍ତମାନ ତାପମାତ୍ରା ସହ ଆର୍ଦ୍ରତା ୭୦ ରୁ ୯୯ ପ୍ରତିଶତ ରହୁଛି । ଫଳରେ ଶୀତ ପରିବର୍ତ୍ତେ ଗରମ ଏବଂ ଗୁଳୁଗଳି ଅନୁଭୁତ ହେଉଛି । ଆର୍ଦ୍ରତା କମିବା ସହ ଶୁଷ୍କତା ବଢିଲେ ଶୀତ ଆସିବ ବୋଲି ପାଣିପାଗ କେନ୍ଦ୍ର କହିଛି।