ଶୁଣାଣି ଶେଷ, ବିଷ୍ଣୁପଦଙ୍କୁ ଆଗୁଆ ଜାମିନ ମିଳିବ ନା ନାହିଁ?

ସିବିଆଇର ଚଢ଼ାଉକୁ ବେଆଇନ ଦର୍ଶାଇ ଏହାକୁ ବନ୍ଦ କରିବାକୁ ବିଷ୍ଣୁପଦ, ତାଙ୍କ ପତ୍ନୀ ଏବଂ ଝିଅ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ଆବେଦନ ଖାରଜ ହେବା ପରେ ଆଗୁଆ ଜାମିନ ପାଇଁ ବିଷ୍ଣୁପଦ ସାନି ଦରଖାସ୍ତ ଦାଖଲ କରିଥିଲେ।

ଶୁଣାଣି ଶେଷ, ବିଷ୍ଣୁପଦଙ୍କୁ ଆଗୁଆ ଜାମିନ ମିଳିବ ନା ନାହିଁ?

ବରିଷ୍ଠ ଆଇଏଏସ ଅଫିସର ବିଷ୍ଣୁପଦ ସେଠୀଙ୍କ ଆଗୁଆ ଜାମିନ ଆବେଦନ ମାମଲାର ଶୁଣାଣି ଆଜି ହାଇକୋର୍ଟରେ ଶେଷ ହୋଇଛି। କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ରାୟ ପ୍ରକାଶ ପର୍ଯ୍ୟନ୍ତ ଅନ୍ତରୀଣ ନିର୍ଦ୍ଦେଶକୁ ବଳବତ୍ତର ରଖିଛନ୍ତି ହାଇକୋର୍ଟ। 

ବହୁ ଚର୍ଚ୍ଚିତ ବ୍ରିଜ୍ ଆଣ୍ଡ ରୁଫ୍ କର୍ପୋରେସନ ଲିମିଟେଡ୍‌ର ୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ଚଢ଼ାଉ କରିଥିଲା। ସିବିଆଇର ଚଢ଼ାଉକୁ ବେଆଇନ ଦର୍ଶାଇ ଏହାକୁ ବନ୍ଦ କରିବାକୁ ବିଷ୍ଣୁପଦ, ତାଙ୍କ ପତ୍ନୀ ଏବଂ ଝିଅ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ଆବେଦନ ଖାରଜ ହେବା ପରେ ଆଗୁଆ ଜାମିନ ପାଇଁ ବିଷ୍ଣୁପଦ ସାନି ଦରଖାସ୍ତ ଦାଖଲ କରିଥିଲେ।

ସିବିଆଇର ଅଭିଯୋଗ ଅନୁଯାୟୀ, ବ୍ରିଜ୍ ଆଣ୍ଡ ରୁଫ୍ କର୍ପୋରେସନ ଲିମିଟେଡର ଏକ ବିଲ୍ ପାସ୍ କରାଇବା ନେଇ ୧୦ ଲକ୍ଷ ଟଙ୍କାର ଲାଞ୍ଚ କାରବାର ହୋଇଥିଲା। ଏହି ଘଟଣାରେ ବିଷ୍ଣୁପଦଙ୍କ ଅଫିସର କେତେ ଜଣ କର୍ମଚାରୀ ଏବଂ ତାଙ୍କ ଡ୍ରାଇଭରଙ୍କୁ ସିବିଆଇ ଜେରା ମଧ୍ୟ କରିଛି। ବିଷ୍ଣୁପଦଙ୍କୁ ପଚରାଉଚରା ପାଇଁ ସମନ କରାଯାଇଥିଲେ ମଧ୍ୟ ସେ ହାଜର ହୋଇନଥିଲେ ବୋଲି ସିବିଆଇ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଏଫଆଇଆର୍‌ରେ ତାଙ୍କ ନାଁ ନଥିଲେ ମଧ୍ୟ ସିବିଆଇ ତାଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ଚଢ଼ାଉ କରିଥିଲା ବୋଲି ଅଭିଯୋଗ କରିଥିଲେ ବିଷ୍ଣୁପଦ। ଅଯଥାରେ ତାଙ୍କୁ ହଇରାଣ କରାଯାଉଛି ବୋଲି ସେ ଆବଦେନରେ ଦର୍ଶାଇଥିଲେ।