ଶେଷ ଘଣ୍ଟାରେ ପଡ଼ିଛି ୭୬ ଲକ୍ଷ ଭୋଟ! ମହାରାଷ୍ଟ୍ର ନିର୍ବାଚନରେ ଅନିୟମିତତା ଅଭିଯୋଗ ଆଣିଲା କଂଗ୍ରେସ

ମହାରାଷ୍ଟ୍ରରେ ଭୋଟ ଗ୍ରହଣ ଏବଂ ଗଣନା ପ୍ରକ୍ରିୟାରେ ଗୁରୁତର ଅନିୟମିତତା ହୋଇଥିବା ନେଇ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଲା କଂଗ୍ରେସ। ମାତ୍ର ୫ ମାସ ମଧ୍ୟରେ ମହାରାଷ୍ଟ୍ର ଭୋଟର ତାଲିକାରେ ପ୍ରାୟ ୪୭ ଲକ୍ଷ ନୂଆ ଭୋଟରଙ୍କୁ ଯୋଡ଼ା ଯାଇଥିବା ଅଭିଯୋଗ।

ଶେଷ ଘଣ୍ଟାରେ ପଡ଼ିଛି ୭୬ ଲକ୍ଷ ଭୋଟ! ମହାରାଷ୍ଟ୍ର ନିର୍ବାଚନରେ ଅନିୟମିତତା ଅଭିଯୋଗ ଆଣିଲା କଂଗ୍ରେସ

ମହାରାଷ୍ଟ୍ର ବିଧାନସଭା ନିର୍ବାଚରେ ମିଳିଥିବା ଶୋଚନୀୟ ପରାଜୟକୁ ଏପର୍ଯ୍ୟନ୍ତ ସହଜରେ ଗ୍ରହଣ କରିପାରୁନି କଂଗ୍ରେସ। ଦଳ ଏବେ ନିର୍ବାଚନ କମିଶନଙ୍କ ନିକଟରେ ନିର୍ବାଚନରେ ଅନିୟମିତତା ହୋଇଥିବା ଅଭିଯୋଗ କରିଛି। ଭୋଟ ଗ୍ରହଣ ଏବଂ ଗଣନା ପ୍ରକ୍ରିୟାରେ ଗୁରୁତର ଅନିୟମିତତା ହୋଇଥିବା ନେଇ କଂଗ୍ରେସ ଶୁକ୍ରବାର ନିର୍ବାଚନ ଆୟୋଗଙ୍କୁ ଏକ ଚିଠି ଲେଖିଛି। ଏହାର ବ୍ୟକ୍ତିଗତ ଶୁଣାଣି ପାଇଁ ମଧ୍ୟ ଦଳ ଦାବି କରିଛି।

ଚୂଡ଼ାନ୍ତ ଭୋଟର ତାଲିକାରୁ ମନଇଚ୍ଛା ଭୋଟରଙ୍କ ନାଁ ହଟାଇ ଦିଆଯାଇଛି ଏବଂ ପ୍ରତି ନିର୍ବାଚନ ମଣ୍ଡଳୀରେ ୧୦ ହଜାରରୁ ଅଧିକ ଭୋଟରଙ୍କୁ ଏଥିରେ ଯୋଡ଼ା ଯାଇଛି ବୋଲି ଅଭିଯୋଗ କରିଛି କଂଗ୍ରେସ। ମହାରାଷ୍ଟ୍ରର ଏଭଳି ଭୋଟର ତଥ୍ୟରେ ଗଡ଼ବଡ଼ ନେଇ ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ବୋଲି କଂଗ୍ରେସ ଏହାର ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛି।

ମାସରେ ଯୋଡ଼ି ହୋଇଛନ୍ତି ୪୭ ଲକ୍ଷ ନୂଆ ଭୋଟର

କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ନିଜ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରିଥିବା ଏହି ଚିଠିରେ ଉଲ୍ଲେଖ ରହିଛି ଯେ, ମନଇଚ୍ଛା ନାଁ ହଟାଇବା ଏବଂ ଯୋଡ଼ିବାର ଏହି ପ୍ରକ୍ରିୟା ଯୋଗୁଁ, ଜୁଲାଇ ୨୦୨୪ରୁ ନଭେମ୍ବର ୨୦୨୪, ମାତ୍ର ୫ ମାସ ମଧ୍ୟରେ ମହାରାଷ୍ଟ୍ରର ଭୋଟର ତାଲିକାରେ ପ୍ରାୟ ୪୭ ଲକ୍ଷ ନୂଆ ଭୋଟରଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ଦଳ ଦାବି କରିଛି ଯେ ଯେଉଁ ୫୦ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ହାରାହାରି ୫୦ ହଜାର ନୂଆ ଭୋଟରଙ୍କୁ ଯୋଡା ଯାଇଛି, ସେଥିରୁ ୪୭ଟି ଆସନ ବିଜେପି-ଶିବସେନା-ଏନସିପି ମେଣ୍ଟର ପ୍ରାର୍ଥୀମାନେ ଜିତିଛନ୍ତି।

ମତଦାନ ପ୍ରତିଶତରେ ଅଚାନକ ବୃଦ୍ଧି
ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରକାଶିତ ନିର୍ବାଚନ ସମ୍ପର୍କିତ ତଥ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛି କଂଗ୍ରେସ। ଦଳର ଅଭିଯୋଗ ଅନୁସାରେ ୨୧ ନଭେମ୍ବର, ୨୦୨୪ ଅପରାହ୍ନ ୫ଟା ସୁଦ୍ଧା ମହାରାଷ୍ଟ୍ରରେ ୫୮.୨୨% ମତଦାନ ହୋଇଥିଲା, ଏହା ରାତି ସାଢ଼େ ୧୧ଟା ସୁଦ୍ଧା ୬୫.୦୨%କୁ ବୃଦ୍ଧି ପାଇଛି। ଏହାଛଡ଼ା ଚୂଡ଼ାନ୍ତ ରିପୋର୍ଟରେ ୬୬.୦୫% ମତଦାନ ରେକର୍ଡ କରାଯାଇଛି, ଯାହା ଗଣତି ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ଘୋଷଣା ହୋଇଥିଲା। ଅପରାହ୍ନ ୫ଟାରୁ ସନ୍ଧ୍ୟା ୬ଟା ମାତ୍ର ଏକ ଘଣ୍ଟା ମଧ୍ୟରେ ପ୍ରାୟ ୭୬ ଲକ୍ଷ ଭୋଟ ପଡ଼ିଛି, ଯାହା ଅସମ୍ଭବ ବୋଲି ଚିଠିରେ ଦର୍ଶାଇଛି କଂଗ୍ରେସ।