ଶୋ'ରୁମରେ ପଶି ରୋବୋଟ ଅପହରଣ କଲା ରୋବୋଟ, ଦେଖନ୍ତୁ ଭିଡିଓ

ଗୋଟିଏ ଛୋଟ ଏଆଇ ରୋବୋଟ୍ ଯାଇ ଅନ୍ୟ ଏକ କମ୍ପାନୀରୁ ୧୨ଟି ବଡ଼ ରୋବୋଟକୁ ଅପହରଣ କରି ନେଇଛି। ସିସିଟିଭିରେ କଏଦ ହୋଇଛି ପୂରା ଘଟଣା।

ଶୋ'ରୁମରେ ପଶି ରୋବୋଟ ଅପହରଣ କଲା ରୋବୋଟ, ଦେଖନ୍ତୁ ଭିଡିଓ

ଜଣେ ବ୍ୟକ୍ତି ଅନ୍ୟ ବ୍ୟକ୍ତିଙ୍କୁ ଅପହରଣ କରିନେବା ବିଷୟରେ ଆପଣ ନିଶ୍ଚୟ ଅନେକ ଥର ଶୁଣିଥିବେ। ହେଲେ ଗୋଟିଏ ରୋବୋଟ୍ ଅନ୍ୟ ରୋବୋଟକୁ ଅପହରଣ କରିନେବା ବିଷୟରେ ଆପଣ କେବେ ଶୁଣିଛନ୍ତି କି? କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏଭଳି ଘଟଣା ଘଟିଛି ଚାଇନାର ସଂଘାଇସ୍ଥିତ ଏକ ରୋବୋଟିକ୍ କମ୍ପାନୀରେ। ଯେଉଁଠାରେ ଅନ୍ୟ କମ୍ପାନୀର ଗୋଟିଏ ଛୋଟ ଏଆଇ ରୋବୋଟ୍ ଯାଇ ଗୋଟିଏ କି ଦୁଇଟି ନୁହେଁ, ବରଂ ୧୨ଟି ବଡ଼ ରୋବୋଟକୁ ଅପହରଣ କରି ନେଇଛି।

ମିଡିଆ ରିପୋର୍ଟ ଅନୁସାରେ ଏହି ପୂରା ଘଟଣା ରୋବୋଟିକ୍ ଶୋ'ରୁମରେ ସ୍ଥାପିତ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଯାହା ଏବେ ସୋଶାଲ ମିଡିଆରେ ବେଶ ଭାଇରାଲ ହେଉଛି। ଏଥିରେ ଦେଖିବାକୁ ମିଳୁଛି ଯେ ଗୋଟିଏ ଛୋଟ ରୋବୋଟ ପ୍ରଥମେ ଶୋ'ରୁମକୁ ଯାଇ ଏଠାରେ ଥିବା ବଡ଼ ରୋବୋଟ ମାନଙ୍କ ପାଖକୁ ଯାଉଛି। ସେମାନଙ୍କ ମଧ୍ୟରେ ମଣିଷମାନଙ୍କ ଭଳି କିଛି କଥାବାର୍ତ୍ତା ହେଉଛି। ଏହାପରେ ଗୋଟିଏ ପରେ ଗୋଟିଏ ଏଭଳି ୧୨ଟି ବଡ଼ ରୋବୋଟ ଛୋଟ ରୋବୋଟର ପଛେ ପଛେ ଶୋ'ରୁମ୍ ଛାଡ଼ି ଚାଲିଯାଉଛନ୍ତି। ତେବେ ଘଟଣାକୁ କେତେକ ମିଛ ବୋଲି କହୁଥିବାବେଳେ ଚୋରି ହୋଇଥିବା ଶୋ'ରୁମର ମାଲିକ ଘଟଣାର ସତ୍ୟତା ସ୍ପଷ୍ଟ କରିଛନ୍ତି।

ଭାଇରାଲ ହେଉଥିବା ଭିଡିଓରେ ରୋବଟମାନଙ୍କ ବାର୍ତ୍ତାଳାପ ଶୁଣିବାକୁ ମିଳୁଛି। ଏହାକୁ ବୁଝିବା ପାଇଁ ଇଂରାଜୀରେ ଅନୁବାଦ କରାଯାଇଛି। ଏମାନଙ୍କ ମଧ୍ୟରୁ ଜଣେ ଏହାର ବ୍ୟସ୍ତ କାର୍ଯ୍ୟସୂଚୀକୁ ନେଇ ଚିନ୍ତିତ ଥିବା କହୁଛି। ଯେତେବେଳେ ଛୋଟ ରୋବୋଟଟି ଏମାନଙ୍କୁ ପଚାରୁଛି ଯେ ତେବେ ତୁମେ ଘରକୁ ଯାଉନାହଁ କି? ସେତେବେଳେ ବଡ଼ ରୋବୋଟ ମାନଙ୍କ ମଧ୍ୟରୁ ଜଣେ କହୁଛି, ଆମର ଘର ନାହିଁ। ଏହାପରେ ଅପହରଣକାରୀ ରୋବୋଟ କହୁଛି, 'ତେବେ ମୋ ସହିତ ଚାଲ।' ଏହାପରେ ଗୋଟିଏ ପରେ ଗୋଟିଏ କରି ୧୨ଟି ବଡ଼ ରୋବୋଟ ଏହା ପଛରେ ଚାଲିଯାଉଛନ୍ତି। ତେବେ ଏଭଳି ଘଟଣା ପରେ ଏଆଇ ଟେକ୍ନୋଲୋଜି ଯେ କେତେ ଭୟାନକ ହୋଇପାରେ, ଏହାକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି।