ଶ୍ରମିକଙ୍କୁ ଦଳି ଦେଲା ଗୋଠଛଡ଼ା ଦନ୍ତା

ବୈଶିଙ୍ଗା,୬।୬(ରତନ ଦାଶ ): ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଅଞ୍ଚଳରେ ବନବିଭାଗର ଉଦାସୀନତା ଯୋଗୁ ଜଣେ ଶ୍ରମିକ ପ୍ରାଣ ହରାଇ ଥିବା ଅଭିଯୋଗ ହୋଇଛି। ଗୁରୁବାର ରାତିରେ ବେତନଟୀ ବ୍ଲକ ସଇତପୁର ପଞ୍ଚାୟତର ଡେଉଁଚପଦା ଗ୍ରାମ ନିକଟରେ ଜଣେ ଶ୍ରମିକଙ୍କୁ ଏକ ଦନ୍ତାହାତୀ ଦଳି ଦେଇଛି। ମୃତକ ହେଲେ ମୋରଡ଼ା ଥାନା ଜୁଆଳିଭଙ୍ଗା ପଞ୍ଚାୟତ ଅଧୀନ ଅଙ୍ଗାରିଆ ଗାଁର ଲୁସ୍କୁ ମାର୍ଣ୍ଡିଙ୍କ ପୁଅ ବାବୁଲା ମାର୍ଣ୍ଡି। ମିଳିଥିବା ସୂଚନା ମୁତାବକ, ସବୁ ଦିନ ଭଳି ବାବୁଲା ଗୁରୁବାର […] The post ଶ୍ରମିକଙ୍କୁ ଦଳି ଦେଲା ଗୋଠଛଡ଼ା ଦନ୍ତା appeared first on Dharitri Odia News.

ଶ୍ରମିକଙ୍କୁ ଦଳି ଦେଲା ଗୋଠଛଡ଼ା ଦନ୍ତା

ବୈଶିଙ୍ଗା,୬।୬(ରତନ ଦାଶ ): ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଅଞ୍ଚଳରେ ବନବିଭାଗର ଉଦାସୀନତା ଯୋଗୁ ଜଣେ ଶ୍ରମିକ ପ୍ରାଣ ହରାଇ ଥିବା ଅଭିଯୋଗ ହୋଇଛି। ଗୁରୁବାର ରାତିରେ ବେତନଟୀ ବ୍ଲକ ସଇତପୁର ପଞ୍ଚାୟତର ଡେଉଁଚପଦା ଗ୍ରାମ ନିକଟରେ ଜଣେ ଶ୍ରମିକଙ୍କୁ ଏକ ଦନ୍ତାହାତୀ ଦଳି ଦେଇଛି। ମୃତକ ହେଲେ ମୋରଡ଼ା ଥାନା ଜୁଆଳିଭଙ୍ଗା ପଞ୍ଚାୟତ ଅଧୀନ ଅଙ୍ଗାରିଆ ଗାଁର ଲୁସ୍କୁ ମାର୍ଣ୍ଡିଙ୍କ ପୁଅ ବାବୁଲା ମାର୍ଣ୍ଡି।

ମିଳିଥିବା ସୂଚନା ମୁତାବକ, ସବୁ ଦିନ ଭଳି ବାବୁଲା ଗୁରୁବାର ରାତିରେ କାମ ସାରି ୪ଜଣ ସହଯୋଗୀଙ୍କ ସହିତ ସାଇକେଲ ଯୋଗେ ଘରକୁ ଫେରୁଥିଲେ। ହେଲେ ବାବୁଲା ଡେଉଁଚପଦାଠାରେ ଏକ ଗୋଠଛଡ଼ା ହାତୀ ହାବୁଡ଼ରେ ପଡିଯାଇଥିଲେ। ହାତୀଟି ବାବୁଳାଙ୍କୁ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ବାବୁଲାଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷେ ବାବୁଲାଙ୍କ ସାଙ୍ଗମାନେ ସେଠାରୁ କୌଣସି କ୍ରମେ ଖସି ପଲାଇ ଥିଲେ।

ଖବରପାଇ ବେତନଟୀ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ବାବୁଲାଙ୍କ ମୃତଦେହ ଜବତ କରି ବେତନଟୀ ଡାକ୍ତରଖାନାକୁ ଆଣିଥିଲେ। ବେତନଟୀ ରେଞ୍ଜର ମନୁୱର ଖାଁ, ବନପାଳ ପ୍ରଦୀପ ଦେହୁରୀ, ଦୀପକ ପାତ୍ର ପ୍ରମୁଖ ପହଞ୍ଚି ତଦନ୍ତ ଆରମ୍ଭ କରଥିଲେ। ଶୁକ୍ରବାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କ ହସ୍ତାନ୍ତର କରାଯାଇଥିବା ଜଣାପଡିଛି।

ଅନ୍ୟପକ୍ଷେ ଏକ ଗୋଠଛଡା ଦନ୍ତା ଗତ କିଛି ଦିନ ହେଲା ଜଙ୍ଗଲରେ ଏଣେତେଣେ ବୁଲାବୁଲି କରୁଥିବା ବେଳେ ବନବିଭାଗ ହତୀକୁ ଘଉଡ଼ାଇବା ପାଇଁ ପଦକ୍ଷେପ ନେଇ ନ ଥିବା ଅଭିଯୋଗ ହୋଇଛି। ଏନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବାବୁଲା ପରିବାରରେ ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିବାବେଳେ ତାଙ୍କ ମୃତ୍ୟୁରେ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ଏନେଇ ପ୍ରଶାସନ ପକ୍ଷରୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ବନବିଭାଗ ଅଧିକାରୀଙ୍କ ନିକଟରେ ଗ୍ରାମବାସୀ ଦାବି କରିଛନ୍ତି।

The post ଶ୍ରମିକଙ୍କୁ ଦଳି ଦେଲା ଗୋଠଛଡ଼ା ଦନ୍ତା appeared first on Dharitri Odia News.