ଶ୍ରାବଣ ମାସରେ କାହିଁକି ହୁଏ କାଉଡ଼ି ଯାତ୍ରା, କ‘ଣ ରହିଛି ଏହାର ମହତ୍ବ….

ଦେବ ଦେବ ମହାଦେବ, ଆମ ପୁରାଣ ଓ ସଂସ୍କୃତି ତଥା ଧର୍ମ ଧାରଣାରେ ଏକ ଅଲୌକିକ ଓ ଅଦ୍ଭୁତ ଚରିତ୍ର। ସେ କେବଳ ଯୋଗୀ ନୁହଁନ୍ତି, ମହାଯୋଗୀ ଓ ମଙ୍ଗଳର ଦ୍ୟୋତକ। ‘ଓଁ ନମଃ ଶିବାୟ’ ଉଚ୍ଚାରଣ ମାତ୍ରକେ ଜୀବନ ମଙ୍ଗଳମୟ ହୋଇଉଠେ। ସେ ସତ୍ୟ, ଶିବ ଓ ସୁନ୍ଦର। ସଦାସର୍ବଦା ଧ୍ୟାନସ୍ଥ ମୁଦ୍ରାରେ ଉପବିଷ୍ଟ ପ୍ରଭୁ ଶଙ୍କରଙ୍କ ଅତି ପ୍ରିୟ ମାସ ଶ୍ରାବଣ। ଏହି ମାସର ସୋମବାରରେ ଭଗବାନ ଶିବଙ୍କର ଜଳାଭିଷେକ ଲାଗି କଲେ ଅକ୍ଷୟ […]

ଶ୍ରାବଣ ମାସରେ କାହିଁକି ହୁଏ କାଉଡ଼ି ଯାତ୍ରା, କ‘ଣ ରହିଛି ଏହାର ମହତ୍ବ….
Why do bolbam jatra during the month of Shravan

ଦେବ ଦେବ ମହାଦେବ, ଆମ ପୁରାଣ ଓ ସଂସ୍କୃତି ତଥା ଧର୍ମ ଧାରଣାରେ ଏକ ଅଲୌକିକ ଓ ଅଦ୍ଭୁତ ଚରିତ୍ର। ସେ କେବଳ ଯୋଗୀ ନୁହଁନ୍ତି, ମହାଯୋଗୀ ଓ ମଙ୍ଗଳର ଦ୍ୟୋତକ। ‘ଓଁ ନମଃ ଶିବାୟ’ ଉଚ୍ଚାରଣ ମାତ୍ରକେ ଜୀବନ ମଙ୍ଗଳମୟ ହୋଇଉଠେ। ସେ ସତ୍ୟ, ଶିବ ଓ ସୁନ୍ଦର। ସଦାସର୍ବଦା ଧ୍ୟାନସ୍ଥ ମୁଦ୍ରାରେ ଉପବିଷ୍ଟ ପ୍ରଭୁ ଶଙ୍କରଙ୍କ ଅତି ପ୍ରିୟ ମାସ ଶ୍ରାବଣ। ଏହି ମାସର ସୋମବାରରେ ଭଗବାନ ଶିବଙ୍କର ଜଳାଭିଷେକ ଲାଗି କଲେ ଅକ୍ଷୟ ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି।

ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ପୂଜା କରିବାର ମହତ୍ତ୍ବ ଋଗ୍‌ବେଦରେ ଉଲ୍ଲେଖ କରାଯାଇଛି। ଧାର୍ମିକ ମାନ୍ୟତା ଅନୁସାରେ, ଏହି ମାସରେ ଭଗବାନ ଶିବ ଓ ମାତା ପାର୍ବତୀଙ୍କୁ ବିଧିବିଧାନ ସହକାରେ ପୂଜା କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ। କୁହାଯାଏ ଯେ, ମାତା ପାର୍ବତୀ ଭଗବାନ ଶିବଙ୍କୁ ପାଇବା ପାଇଁ ଶ୍ରାବଣ ମାସରେ କଠୋର ତପ କରିଥିଲେ। ଏହା ମଧ୍ୟ ବିଶ୍ବାସ ରହିଛି ଯେ, ଏହି ମାସରେ ମାତା ପାର୍ବତୀ ଓ ଭଗବାନ ଶିବ ଭୂଲୋକରେ ଭ୍ରମଣ କରନ୍ତି। ତେଣୁ ଏହି ପବିତ୍ର ମାସରେ ମହାଦେବଙ୍କ ଆଶୀର୍ବାଦ ପାଇଁ କାଉଡ଼ି ଯାତ୍ରାର ପରମ୍ପରା ରହିଆସିଛି। ଏହି ଯାତ୍ରା ଗଙ୍ଗାର ପବିତ୍ର ଜଳ ଏବଂ ଭଗବାନ ଶିବଙ୍କ ସହିତ ଜଡ଼ିତ। ବହୁ ପୁରାତନ କାଳରୁ ଶିବଭକ୍ତମାନେ ନିଜର ମାନସିକ ପୂରଣ ପାଇଁ ଶ୍ରାବଣ ମାସର ସୋମବାରରେ ଭଗବାନ ଶିବଙ୍କର ଜଳାଭିଷେକ ଲାଗି ବୋଲବମ୍ ଯାତ୍ରା କରିଥା’ନ୍ତି। କଥିତ ଅଛି ଯେ ଭଗବାନ ଶିବଙ୍କୁ ଫଳ, ଫୁଲ, ଧୂପ, ଦୀପ ଓ ନୈବେଦ୍ୟ ଦେଇ ପୂଜା କଲେ ଯେତିକି ପ୍ରସନ୍ନ ହୋଇ ନ ଥା’ନ୍ତି ଜଳାଭିଷେକ ଦ୍ୱାରା ତା’ଠୁ ବେଶି ପ୍ରସନ୍ନ ହୋଇଥାଆନ୍ତି ।

କାଉଡି ଯାତ୍ରାର ଇତିହାସ ଅତୀବ ପ୍ରାଚୀନ ହୋଇଥିବା ବେଳେ ଏହାର ପୌରାଣିକ ମହତ୍ତ୍ବ ମଧ୍ୟ ରହିଛି। ତେବେ ଏହି ଯାତ୍ରାର ଆରମ୍ଭକୁ ନେଇ ବିଭିନ୍ନ ପୌରାଣିକ କାହାଣୀ ରହିଛି। କେଉଁଠି ଭଗବାନ ପର୍ଶୁରାମଙ୍କୁ ପ୍ରଥମ କାଉଡିଆ ବୋଲି କୁହାଯାଉଥିବା ବେଳେ କେଉଁଠି ଶିବ ଭକ୍ତ ରାବଣ ଧରାଧାମରେ ପ୍ରଥମେ ଏଭଳି ବ୍ରତ ଆରମ୍ଭ କରିଥିବା କଥା କୁହାଯାଏ। କେତେକ କ୍ଷେତ୍ରରେ ପିତୃଭକ୍ତ ଶ୍ରବଣ କୁମାରଙ୍କୁ ଏହାର ଉଦ୍ୟୋକ୍ତା କୁହାଯାଉଥିବା ବେଳେ ମର୍ୟ୍ୟାଦା ପୁରଷୋତ୍ତମ ଶ୍ରୀରାମ ଚନ୍ଦ୍ର ହିଁ ପ୍ରଥମେ ଏହି ଶ୍ରାବଣ ଜଳଲାଗି ଆରମ୍ଭ କରିଥିଲେ ବୋଲି କେତେକ ଯୁକ୍ତି ବାଢ଼ନ୍ତି।

ପୌରାଣିକ କଥା ଅନୁସାରେ, ସମୁଦ୍ର ମନ୍ଥନ ଶ୍ରାବଣ ମାସରେ ହୋଇଥିଲା। ସମୁଦ୍ର ମନ୍ଥନରୁ ବାହାରି ଥିବା ବିଷ ସମଗ୍ର ସଂସାରକୁ ବ୍ୟାପିଗଲା। ସଂସାରକୁ ରକ୍ଷା କରିବା ପାଇଁ ଭୋଳାନାଥ ଏହି ବିଷକୁ ପାନ କରିଥିଲେ। ଏହି କାରଣରୁ ଭଗବାନ ଶିବଙ୍କର କଣ୍ଠ ନୀଳ ପଡ଼ିଗଲା। ବିଷର ପ୍ରଭାବ ହ୍ରାସ କରିବା ପାଇଁ ସମସ୍ତ ଦେବା ଦେବୀ ଭୋଳେନାଥଙ୍କୁ ଜଳ ପାନ କରିବା ପାଇଁ ଦେଲେ। ସେବେଠାରୁ ଭଗବାନ ଶିବଙ୍କୁ ଜଳ ଅର୍ପଣ କରିବା ଏବଂ ଜଳାଭିଷେକ କରିବା ଏକ ପରମ୍ପରା ରହିଆସିଛି। ସେହିଭଳି ଅନ୍ୟ ଏକ କଥାନୁସାରେ, ସହସ୍ରାବାହୁ ହତ୍ୟାର ପ୍ରାୟଶ୍ଚିତ କରିବା ପାଇଁ ପର୍ଶୁରାମ ପିତାଙ୍କ ଆଜ୍ଞାନୁସାରେ କଜରୀ ବଣ ଉତ୍ତରପ୍ରଦେଶ ବାଗପତ ନିକଟସ୍ଥ ‘ପୁରା ମହାଦେବ’ଙ୍କୁ ଗଙ୍ଗାନଦୀରୁ ଜଳଭାର ଆଣି ଅଭିଷେକ କରାଇଥିଲେ। ଏହାପରଠାରୁ ପର୍ଶୁରାମଙ୍କ ଅନୁସରଣରେ ଲୋକେ ଶ୍ରାବଣ ମାସରେ ଶିବଙ୍କୁ ଜଳାଭିଷେକ କରନ୍ତି ବୋଲି ବିଶ୍ବାସ ରହିଛି। ହେଲେ ଦେଶରେ ଶ୍ରାବଣ ଜଳ ଲାଗିର ପରମ୍ପରା ଶ୍ରବଣକୁମାରଙ୍କଠାରୁ ଆରମ୍ଭ ହୋଇଥିବା ଅନେକ ବିଶ୍ୱାସ କରନ୍ତି। ସେ ତାଙ୍କ ମାତାପିତାଙ୍କ ଗଙ୍ଗାସ୍ନାନ ଇଚ୍ଛା ପୂରଣ ନିମନ୍ତେ ପ୍ରଥମେ କାଉଡ଼ିଆ ଯାତ୍ରା ଆରମ୍ଭ କରିଥିଲେ। ଏଥିପାଇଁ ସେ ଶ୍ରାବଣ ମାସରେ ହରିଦ୍ୱାରରେ ପହଞ୍ଚିଥିଲେ। ମାତାପିତାଙ୍କୁ ଗଙ୍ଗାସ୍ନାନ କରାଇବା ସହ କଳସୀରେ ଗଙ୍ଗାଜଳ ଭରି ନେଇଥିଲେ ଓ ଏହି ଠାରୁ କାଉଡ଼ିଆ ଯାତ୍ରାର ଆରମ୍ଭ ବୋଲି କୁହାଯାଏ। କେତେକ ଶାସ୍ତ୍ରରେ ଏହାର ଶ୍ରେୟ ରାବଣଙ୍କୁ ପ୍ରଦାନ କରାଯାଏ।