ଶ୍ରୀକ୍ଷେତ୍ରରେ ହବିଷ୍ୟାଳୀଙ୍କ ମୃତ୍ୟୁ ଘଟଣା: ଚିକିତ୍ସାରେ ଅବହଳା ଅଭିଯୋଗ ଆଣିଲେ ପରିବାର

ପୁରୀ: ପୁରୀରେ ରହି କାର୍ତ୍ତିକ ବ୍ରତ ପାଳନ କରିବାକୁ ଆସିଥିଲେ। ହେଲେ ବ୍ରତ ପୂରା ହେବା ପୂର୍ବରୁ ଶ୍ରୀକ୍ଷେତ୍ରରେ ଚାଲିଗଲା ଜୀବନ। ଅଧୁରା ରହିଲା ରାଇଦାମୋଦର ବ୍ରତ। ରାଜ୍ୟ ସରକାରଙ୍କ ହବିଷ୍ୟାଳୀ ଯୋଜନାରେ ଆସି ବୃନ୍ଦବତୀ ନିବାସରେ ରହୁଥିବା ପୁରୀ ଜିଲ୍ଲା କଣାସ ବ୍ଲକ ବେହେଣ୍ଟା ଗ୍ରାମର ରତ୍ନମଣି ମଙ୍ଗରାଜ(୬୯)ଙ୍କ ମୃତ୍ୟୁ ଘଟିଛି। ଚିକିତ୍ସାରେ ଅବହେଳା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରୁଥିବା ବେଳେ ପ୍ରଶାସନ ଏହାକୁ ଖଣ୍ଡନ କରିଛି। ଅନ୍ୟପକ୍ଷରେ ପ୍ରଶାସନ […]

ଶ୍ରୀକ୍ଷେତ୍ରରେ ହବିଷ୍ୟାଳୀଙ୍କ ମୃତ୍ୟୁ ଘଟଣା: ଚିକିତ୍ସାରେ ଅବହଳା ଅଭିଯୋଗ ଆଣିଲେ ପରିବାର
death

ପୁରୀ: ପୁରୀରେ ରହି କାର୍ତ୍ତିକ ବ୍ରତ ପାଳନ କରିବାକୁ ଆସିଥିଲେ। ହେଲେ ବ୍ରତ ପୂରା ହେବା ପୂର୍ବରୁ ଶ୍ରୀକ୍ଷେତ୍ରରେ ଚାଲିଗଲା ଜୀବନ। ଅଧୁରା ରହିଲା ରାଇଦାମୋଦର ବ୍ରତ। ରାଜ୍ୟ ସରକାରଙ୍କ ହବିଷ୍ୟାଳୀ ଯୋଜନାରେ ଆସି ବୃନ୍ଦବତୀ ନିବାସରେ ରହୁଥିବା ପୁରୀ ଜିଲ୍ଲା କଣାସ ବ୍ଲକ ବେହେଣ୍ଟା ଗ୍ରାମର ରତ୍ନମଣି ମଙ୍ଗରାଜ(୬୯)ଙ୍କ ମୃତ୍ୟୁ ଘଟିଛି। ଚିକିତ୍ସାରେ ଅବହେଳା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରୁଥିବା ବେଳେ ପ୍ରଶାସନ ଏହାକୁ ଖଣ୍ଡନ କରିଛି। ଅନ୍ୟପକ୍ଷରେ ପ୍ରଶାସନ ଏବଂ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରି ଜାତୀୟ ମାନବାଧିକାର କମିଶନ (ଏନଏଚ୍‌ଆରସି)ରେ ମାମଲା ଦାୟର କରିଛନ୍ତି ଅଧିକାର କର୍ମୀ ଜୟନ୍ତ ଦାଶ।

ମୃତ ରତ୍ନମଣି ବୃନ୍ଦାବତୀ ନିବାସରେ ରହୁଥିଲେ। ଗତ ଶୁକ୍ରବାର ରାତିରେ ଶୌଚାଳୟରେ ପଡିଯାଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ ବୃନ୍ଦାବତୀ ନିବାସରେ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଥିଲା। ମାତ୍ର ତାଙ୍କ ଅବସ୍ଥା ଗୁରୁତର ହେବାରୁ ଶନିବାର ସକାଳେ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ମହିଳା ଭେଷଜ ବିଭାଗରେ ଭର୍ତ୍ତି କରାଯାଇଥିଲା। ହାତରେ ଗଭୀର ଆଘାତ ସହ ଭାଙ୍ଗିଥିବା ଜଣାପଡିଥିଲା। ରାତି ପ୍ରାୟ ସାଢେ ୮ଟାରେ ତାଙ୍କର ମୁତ୍ୟୁ ଘଟିଥିଲା।

ତେବେ ଝିଅ କବିତା ଏବଂ ପୁଅ ସୁମନ୍ତ ଚିକିତ୍ସାରେ ଅବହେଳା ଯୋଗୁ ତାଙ୍କ ମା’ଙ୍କ ମୃତ୍ୟୁ ଘଟିଲା ବୋଲି ଅଭିଯୋଗ କରିଥିଲେ। ଶିବିରରୁ ହସ୍ପିଟାଲକୁ ଆଣିବାରେ ବିଳମ୍ବ କରାଯାଇଛି। ଡାକ୍ତରଖାନାରେ ଡାକ୍ତରମାନେ ଠିକ୍‌ ଭାବେ ଚିକିତ୍ସା କଲେ ନାହିଁ। ଏପରି କି ଶବ ବ୍ୟବଚ୍ଛେଦ କଲେ ନାହିଁ। କାଗଜପତ୍ରରେ ଜବରଦସ୍ତ ଦସ୍ତଖତ କରାଇନେଲେ। ତରବରିଆ ଭାବେ ମୃତଦେହ ନେଇଯିବାକୁ ବାଧ୍ୟ ବୋଲି ରତ୍ନମଣୀଙ୍କ ବଡ଼ପୁଅ ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ କରିଛନ୍ତି। ତେବେ ପରିବାରର ଅଭିଯୋଗକୁ ଖଣ୍ଡନ କରିଛି ପୁରୀ ଜିଲ୍ଲା ପ୍ରଶାସନ। ପ୍ରଶାସନ ପକ୍ଷରୁ ଏକ ପ୍ରେସ୍‌ ବିବୃତିରେ ସୂଚନା ଦିଆଯାଇଛି ଯେ, ବୃନ୍ଦାବତୀ ନିବାସରେ ରହୁଥିବା ଜନୈକ ହବିଷ୍ୟାଳୀ ରତ୍ନମଣୀ ମଙ୍ଗରାଜ (ପ୍ରାୟ ୬୯ ବର୍ଷ ) ଶନିବାର ପୂର୍ବାହ୍ନ ୧୦ଟା ୮ ମିନିଟ୍‌ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି ହୋଇଥିଲେ। ସେ ଦୁର୍ବଳତା, ପେଟ ଓ ଛାତି ଯନ୍ତ୍ରଣାରେ ପିଡୀତ ଥିବା ଜଣାଇଥିଲେ। ତାଙ୍କର ପେଟରେ ଅସୁବିଧା ଓ ବାନ୍ତି ହେଉଥିଲା। କ୍ଲିନିକାଲ୍‌ ଫଳାଫଳ ଓ ଡାକ୍ତରଙ୍କ ପରାମର୍ଶ ଅନୁସାରେ ତାଙ୍କୁ ସମସ୍ତ ଆବଶ୍ୟକୀୟ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିଲା।

ଶନିବାର ରାତି ୮ଟାରେ ଅବସ୍ଥା ଖରାପ ହେବାରୁ ଓ ଅକ୍ସିଜେନ ସାଚୁରେଶନ ସ୍ତର ଶତକଡା ୬୦ ରହିବା, ବିପି ସ୍ତର କମ୍‌ ହେବାରୁ ଆଇସିୟୁ କଲ୍‌ କରାଯାଇ ସମସ୍ତ ଆବଶ୍ୟକୀୟ ଚିକିତ୍ସା ଦିଆଗଲା। କିନ୍ତୁ ରାତି ସାଢେ ୮ଟାରେ ଆଇସିୟୁକୁ ସ୍ଥାନାନ୍ତରିତ ହେବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତ୍ୟୁର କାରଣ, ସେପ୍ଟିସେମିଆ, କ୍ରନିକ୍‌ କିଡନୀ ରୋଗ ସହିତ ଆକ୍ୟୁଟ୍‌ ଗ୍ୟାଷ୍ଟ୍‌ରୋଏଣ୍ଟେରିଟ୍ସ୍‌ ବୋଲି ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ। ରୋଗୀର ସମ୍ପର୍କୀୟମାନେ ଚିକିତ୍ସା ଓ ମୃତ୍ୟୁ ସମୟରେ ଉପସ୍ଥିତ ଥିଲେ ବୋଲି ପ୍ରଶାସନ କହିଛି। କିନ୍ତୁ ପ୍ରଶାସନର ଏହି ସଫେଇକୁ ଅସ୍ୱୀକାର କରିଛନ୍ତି ପରିବାର ଲୋକେ। ସେମାନଙ୍କୁ ବିଳମ୍ବରେ ଖବର ଦିଆଗଲା ଏବଂ ଡାକ୍ତରଖାନାରେ ଠିକ୍‌ ଭାବେ ଚିକିତ୍ସା ନ ହେବାକୁ ତାଙ୍କ ମା’ଙ୍କର ମୃତ୍ୟୁ ଘଟିଛି ବୋଲି ପୁଅ ଓ ଝିଅମାନେ ଅଭିଯୋଗ କରିଛନ୍ତି।