ଶ୍ରୀମନ୍ଦିରକୁ ଟେନ୍‌ସନ୍‌ ଅଣହିନ୍ଦୁ; କଡ଼ା ସୁରକ୍ଷାକୁ ଭେଦି କରି କେମିତି ପଶିଲେ ? 

କଡ଼ା ସୁରକ୍ଷା ଭେଦି କେମିତି ଶ୍ରୀମନ୍ଦିରକୁ ପଶିଗଲେ ଅଣହିନ୍ଦୁ ? ୯ ବାଂଲାଦେଶୀଙ୍କ ପାସପୋର୍ଟ ସିଜ୍ କରି ପୁରୀ ପୋଲିସର ତନାଘନା । 

ଶ୍ରୀମନ୍ଦିରକୁ ଟେନ୍‌ସନ୍‌ ଅଣହିନ୍ଦୁ; କଡ଼ା ସୁରକ୍ଷାକୁ ଭେଦି କରି କେମିତି ପଶିଲେ ? 

କଡ଼ା ସୁରକ୍ଷା ବଳୟ ସତ୍ତ୍ବେ କେମିତି ସିଂହଦ୍ବାର ବାଟେ ଶ୍ରୀମନ୍ଦିରକୁ ପଶିଲେ ଚାରି ଚାରି ଜଣ ବାଂଲାଦେଶୀ ? ଗର୍ଭଗୃହକୁ ଯାଇ ଜଗା ଦର୍ଶନ କଲେ, ଆନନ୍ଦ ବଜାରରୁ ଅବଢ଼ା ଧରି ବି ଫେରିଲେ । ଗତକାଲି ସନ୍ଧ୍ୟାର ଘଟଣା ଖାଲି ଯେ ଜଗନ୍ନାଥ ପ୍ରେମୀଙ୍କ ମନକୁ ଆଘାତ ଦେଇଛି ତା ନୁହେଁ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ବି ଲଗାଇଛି ବିରାଟ ପ୍ରଶ୍ନଚିହ୍ନ। କିଛି ସେବାୟତ ଏହି ଅଣହିନ୍ଦୁ ମାନଙ୍କୁ ଦେଖି ହଲ୍ଲାପଟ୍ଟା କରିବା ପରେ ତୁରନ୍ତ ସେମାନଙ୍କୁ ସିଂହଦ୍ବାର ଥାନାକୁ ନିଆଯାଇ ଯାଞ୍ଚ ଚାଲିଛି । 

ପୁରୀ ଏସପି କହିଛନ୍ତି, ‘ ଶ୍ରୀମନ୍ଦିର ପ୍ରଶାସନର ଏତଲା ଆଧାରରେ ମନ୍ଦିର ଭିତରକୁ ଯାଇଥିବା ୪ଜଣ ଓ ପରିକ୍ରମା ମାର୍ଗରେ ବୁଲୁଥିବା ସେମାନଙ୍କ ସାଙ୍ଗେ ଆସିଥିବା ସାଥୀଙ୍କୁ ମିଶାଇ ମୋଟ୍ ୯ଜଣଙ୍କ ପାସପୋର୍ଟ ସିଜ୍ କରାଯାଇଛି । ତାର ଅବଧୀ ଓ ବୈଧତା ଯାଞ୍ଚ ଚାଲିଛି ।’ କେଉଁ ଉଦ୍ଦେଶ୍ୟ ନେଇ ସେମାନେ ଓଡ଼ିଶା ଆସିଥିଲେ ? ପୂର୍ବରୁ ଭାରତର ଅନ୍ୟ କେଉଁ କେଉଁ ସ୍ଥାନକୁ ଯାଇଥିଲେ କି ? ଓ ଆଗରୁ କେତେଥର ଭାରତ ଆସିଥିଲେ ? ସେସବୁ ଦିଗକୁ ଗୁରୁତ୍ବର ସହ ନେଇ ଖୋଳତାଡ଼ ଚଳାଇଛି ।

ଜଗନ୍ନାଥ ମନ୍ଦିରକୁ କେବଳ ହିନ୍ଦୁମାନେ ହିଁ ଯାଇ ପାରିବେ। ଅନ୍ୟ ଧର୍ମରଲୋକଙ୍କୁ ରହିଛି ସମ୍ପୂର୍ଣ୍ଣ ପ୍ରବେଶ ବାରଣ। ଏକଥା ଜନ ସାଧାରଣଙ୍କୁ ଜଣାଇବା ଦାୟିତ୍ବ କାହାର ? ପୋଲିସ ନା ମନ୍ଦିର ପ୍ରଶାସନର ? ଏ ମନଧାତା ଅମଳର ସୂଚନା ଫଳକ ସିଂହଦ୍ବାର ଆଗରେ ଅଛି । ତା ଅବସ୍ଥା ଏମିତି ଯେ, କଣ ଲେଖାଅଛି ଭଲକରି ଦେଖାଯାଉନି, ତାସହ ଅନ୍ୟ କେଉଁଠି ବି ସୂଚନା ଫଳକଟିଏ ଲଗାଯାଇନି । ତେଣୁ ଏହାକୁ ନେଇ ବେଶୀ କ୍ଷୁବ୍ଧ ହୋଇଛନ୍ତି ମହାପ୍ରଭୁଙ୍କ ସେବାରେ ନିୟୋଜିତ ସେବାୟତ। ସଫା ସଫା କହିଛନ୍ତି- ଜଗନ୍ନାଥ ମନ୍ଦିରକୁ ଅଣହିନ୍ଦୁଙ୍କ ପ୍ରବେଶ ରୋକିବାକୁ କଡ଼ା ନିୟମ ଆସୁ । ଦରକାର ପଡ଼ିଲେ ଟେମ୍ପୁଲ ଆକ୍ଟରେ ପରିବର୍ତ୍ତନ କରାଯାଉ । ସବୁ ଚେକିଂ ପଏଣ୍ଟରେ ସ୍ବତନ୍ତ୍ର ପ୍ରଶିକ୍ଷଣ ନେଇଥିବା ସେବାୟତ ଓ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଉ । 

ତେଣେ ଗତକାଲିର ଘଟଣା ପରେ ଶ୍ରୀମନ୍ଦିର ପ୍ରଶାସନ ବି ଚେତିଛି । ଉନ୍ନୟନ ପ୍ରଶାସକ କହିଛନ୍ତି- ଭବିଷ୍ୟତରେ ଯେପରି ଏଭଳି ଅଘଟଣ ଆଉ ନଘଟେ, ସେଥିପାଇଁ ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ବସି ସୂତ୍ର କାଢ଼ିବୁ । ଭକ୍ତଙ୍କୁ ଯାଞ୍ଚ ପାଇଁ ଏସଓପି କରାଯିବ । ଏସି କରିଡ଼ରଠୁ ସବୁ ଚେକିଂ ପଏଣ୍ଟ ଓ ମନ୍ଦିର ପ୍ରବେଶ ଦ୍ବାରରେ କେବଳ ହିନ୍ଦୁଙ୍କୁ ପ୍ରବେଶ ଅନୁମତି ଲେଖାଥିବା ବଡ଼ ବଡ଼ ସାଇନବୋର୍ଡ ଲଗାଇବୁ । 

ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ନୂଆ ନୁହେଁ । ଯଦିଓ ପାଶ୍ଚାତ୍ୟ ଦେଶ ନାଗରିକଙ୍କୁ ଚିହ୍ନଟ ସହଜ ହେଉଛି । ହେଲେ ବାଂଲାଦେଶ ଭଳି ଭାରତର ଅନ୍ୟ ପଡ଼ୋଶୀ ଦେଶର ନାଗରିକ ହୁଅନ୍ତୁ କି ଦେଶ ଭିତରର ଭିନ୍ନ ସଂପ୍ରଦାୟ ଲୋକଙ୍କୁ ଚିହ୍ନିବାଟା ସହଜ ହେଉନି। ଯେହେତୁ ଶ୍ରୀମନ୍ଦିର ଆତଙ୍କବାଦୀ ଟାର୍ଗେଟରୁ ବାଦ ପଡ଼ିନି, ତେଣୁ ତାକୁ ନେଇ ବଢିଛି ଚିନ୍ତା ।