ଶ୍ରୀମନ୍ଦିରରେ ଦେବ ଦୀପାବଳି ଆରମ୍ଭ : ଅଦିତି ଓ କଶ୍ୟପଙ୍କୁ ଦୀପଦାନ କଲେ ମହାପ୍ରଭୁ

ପୁରୀ : ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଦେବ ଦୀପାବଳି ଉତ୍ସବ। ଶନିବାର ମାର୍ଗଶୀର କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ମହାପଭୁ ଶ୍ରୀଜଗନ୍ନାଥ ସତ୍ୟଯୁଗୀୟ ମାତାପିତା ଅଦିତି ଓ କଶ୍ୟପଙ୍କୁ ଦୀପଦାନ କରିଛନ୍ତି। ସନ୍ଧ୍ୟାଧୂପ ନୀତି ପରେ ଭଣ୍ଡାର ମେକାପ ସିଂହାସନ ତଳେ ଚାଉଳରେ ଗଛ ତିଆରି କରିଥିଲେ। ପାଳିଆ ମେକାପ ସେହି ଗଛରେ ଦୀପ ବସାଇଥିଲେ। ତିନିଗୋଟି ସୁନା ଆଳତି ଲଗାଇବା ପରେ ପୂଜାପଣ୍ଡା ସେବକ ଚାଉଳ ଗଛକୁ ସଂସ୍କାର କରି ପାଣି ଛଡାଇଥିଲେ। ପଣ୍ଡା, ପତି ମହାପାତ୍ର […]

ଶ୍ରୀମନ୍ଦିରରେ ଦେବ ଦୀପାବଳି ଆରମ୍ଭ : ଅଦିତି ଓ କଶ୍ୟପଙ୍କୁ ଦୀପଦାନ କଲେ ମହାପ୍ରଭୁ
On the last day of the Deva Dipawali at the shree mandir puri

ପୁରୀ : ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଦେବ ଦୀପାବଳି ଉତ୍ସବ। ଶନିବାର ମାର୍ଗଶୀର କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ମହାପଭୁ ଶ୍ରୀଜଗନ୍ନାଥ ସତ୍ୟଯୁଗୀୟ ମାତାପିତା ଅଦିତି ଓ କଶ୍ୟପଙ୍କୁ ଦୀପଦାନ କରିଛନ୍ତି। ସନ୍ଧ୍ୟାଧୂପ ନୀତି ପରେ ଭଣ୍ଡାର ମେକାପ ସିଂହାସନ ତଳେ ଚାଉଳରେ ଗଛ ତିଆରି କରିଥିଲେ। ପାଳିଆ ମେକାପ ସେହି ଗଛରେ ଦୀପ ବସାଇଥିଲେ। ତିନିଗୋଟି ସୁନା ଆଳତି ଲଗାଇବା ପରେ ପୂଜାପଣ୍ଡା ସେବକ ଚାଉଳ ଗଛକୁ ସଂସ୍କାର କରି ପାଣି ଛଡାଇଥିଲେ। ପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ସେବକ ସିଂହାସନ ଉପରେ ଚଢି ବନ୍ଦାପନା କରିଥିଲେ।

ଏହାପରେ ତିନୋଟି ମହାଦୀପ ବନ୍ଦାପନା ହୋଇଥିଲା। ପାଳିଆ ପୂଜାପଣ୍ଡା ମହାଦୀପକୁ ହାତରେ ଧରି ଜୟ ବିଜୟ ଦ୍ୱାର ଭିତର ପାଖକୁ ଆସି ସେଠାରେ ଥିବା ଚାଉଳ ନିର୍ମିତ ଗଛକୁ ସଂସ୍କାର କରି ପାଣି ଛଡାଇଥିଲେ। ଏହାପରେ ମହାଦୀପ କଳସ ଧରି ଚୁନରା ସେବକଙ୍କୁ ପ୍ରଦାନ କରିଥିଲେ। ଚୁନରା ସେବକ ଗୋଟିଏ ଦୀପ ଶ୍ରୀମନ୍ଦିର ଅଁଳା ବେଢା ଉପରେ, ଆଉ ଗୋଟିଏ ଦୀପ ନାଟମଣ୍ଡପ ଉପରେ ଏବଂ ଅନ୍ୟଟି ଭୋଗମଣ୍ଡପ ଉପରେ ଜାଳିଥିଲେ। ଏଥିସହ ଚନ୍ଦ୍ର ଉଦିଆ ମଧ୍ୟ ଜାଳିଥିଲେ। ଦେବ ଦୀପାବଳି ଉପଲକ୍ଷେ ଶ୍ରୀମନ୍ଦିରକୁ ଦୀପମାଳାରେ ସଜ୍ଜିତ କରାଯାଇଥିଲା ବେଳେ ସିଂହଦ୍ୱାର ନିକଟରେ ମଧ୍ୟ ଦୀପ ଜଳାଯାଇଥିଲା।

ଠାକୁରଙ୍କ ଶ୍ରାଦ୍ଧ ବେଶ

ମହାପ୍ରଭୁଙ୍କ ଏହି ଦୀପଦାନ ନୀତି ସମୟରେ ସ୍ୱତନ୍ତ୍ର ଧରଣର ବେଶ ଅନୁଷ୍ଠିତ ହୁଏ। ଏହାକୁ ଶ୍ରାଦ୍ଧ ବେଶ କୁହାଯାଏ। ଶନିବାର ଠାକୁର ଏହି ବେଶ ଧାରଣ କରିଥିଲେ। ଏହି ବେଶରେ ପୁଷ୍ପାଳକ ସେବକମାନେ ଶ୍ରୀବିଗ୍ରହମାନଙ୍କୁ ନାଗପୁରୀ କାଶୀ ଧଡ଼ିଆ ଧଳା ବସ୍ତ୍ରରେ ବିଭୂଷିତ କରିଥିଲେ। ଶ୍ରୀଜଗନ୍ନାଥଙ୍କୁ ଲାଗି ହୋଇଥିବା ଧଳାବସ୍ତ୍ର ଧଡ଼ିର ରଙ୍ଗ ନାଲି, ବଳଭଦ୍ରଙ୍କ ବସ୍ତ୍ରର ଧଡ଼ି ରଙ୍ଗ କଳା ଏବଂ ସୁଭଦ୍ରାଙ୍କ ବସ୍ତ୍ରର ଧଡ଼ି ରଙ୍ଗ ହଳଦିଆ ରହିଥିଲା। ବିଗ୍ରହମାନଙ୍କ ଶିର ଦେଶରେ ଶ୍ରୀକପଡ଼ା (ସୂତାବସ୍ତ୍ର)ରେ ଆବୃତ କରାଯାଇଥିଲା। ଏହି ବେଶରେ ଠାକୁର ତଡ଼ଗୀ, ନଳୀଭୂଜ, ଚନ୍ଦ୍ର, ସୂର୍ଯ୍ୟ, କୁଣ୍ଡଳ, ଆଡ଼କାନି, ହରିଡ଼ା ମାଳି, ଅଣ୍ଟା କମରପଟି ଇତ୍ୟାଦି ସ୍ୱର୍ଣ୍ଣ ଅଳଙ୍କାର ପରିଧାନ କରିଥିଲେ। ସୂଚନାଯୋଗ୍ୟ, ଶ୍ରୀମନ୍ଦିରରେ ଦେବ ଦୀପାବଳି ଉତ୍ସବ ମାର୍ଗଶୀର କୃଷ୍ଣପକ୍ଷ ଚତୁର୍ଦ୍ଦଶୀ, ଅମାବାସ୍ୟ ଏବଂ ଶୁକ୍ଳ ପ୍ରତିପଦାରେ ପାଳିତ ହୋଇଥାଏ। ଏହି ତିନିଦିନ ଠାକୁରମାନଙ୍କର ମଧ୍ୟାହ୍ନଧୂପ ପରେ ଶ୍ରାଦ୍ଧ ବେଶ ଅନୁଷ୍ଠିତ ହୋଇଥାଏ।