ଶ୍ରେଷ୍ଠ ବନ୍ଧୁ
ସମାଜରେ ଆମ ସମସ୍ତଙ୍କର ନିହାତି ଅନ୍ତରଙ୍ଗ ବନ୍ଧୁଟିଏ ଥିବ। ଯେଉଁ ବନ୍ଧୁ ପାଖରେ ମନର ଅକୁହା କଥା ଯେତେ ପ୍ରକାଶ କରିଦେଲେ ନିଜକୁ ହାଲକା ଲାଗେ। ବିପଦରେ ପଡ଼ିଥିଲା ବେଳେ ଯିଏ ସବୁ ପ୍ରତିଘାତ ଡେଇଁ ସାହାଯ୍ୟ କରିବାକୁ ଧାଇଁ ଆସେ, ହତାଶା ମନରେ ବଞ୍ଚିବାର ନୂତନ ରାହା ଓ ସାହସ ଭରିଦିଏ ତାକୁ ଆମେ ବିପଦର ବନ୍ଧୁ ବୋଲି ଭାବି ଥାଉ। ଆଜିର ସମାଜରେ ବେଳେ ବେଳେ ଦେଖାଯାଏ ବନ୍ଧୁ ବନ୍ଧୁ ମଧ୍ୟରେ ବିଶ୍ୱାସ ଘାତକତା; […] The post ଶ୍ରେଷ୍ଠ ବନ୍ଧୁ appeared first on Dharitri Odia News.
ସମାଜରେ ଆମ ସମସ୍ତଙ୍କର ନିହାତି ଅନ୍ତରଙ୍ଗ ବନ୍ଧୁଟିଏ ଥିବ। ଯେଉଁ ବନ୍ଧୁ ପାଖରେ ମନର ଅକୁହା କଥା ଯେତେ ପ୍ରକାଶ କରିଦେଲେ ନିଜକୁ ହାଲକା ଲାଗେ। ବିପଦରେ ପଡ଼ିଥିଲା ବେଳେ ଯିଏ ସବୁ ପ୍ରତିଘାତ ଡେଇଁ ସାହାଯ୍ୟ କରିବାକୁ ଧାଇଁ ଆସେ, ହତାଶା ମନରେ ବଞ୍ଚିବାର ନୂତନ ରାହା ଓ ସାହସ ଭରିଦିଏ ତାକୁ ଆମେ ବିପଦର ବନ୍ଧୁ ବୋଲି ଭାବି ଥାଉ। ଆଜିର ସମାଜରେ ବେଳେ ବେଳେ ଦେଖାଯାଏ ବନ୍ଧୁ ବନ୍ଧୁ ମଧ୍ୟରେ ବିଶ୍ୱାସ ଘାତକତା; ଯାହା ଆଗରେ ବିଶ୍ୱାସରେ ସବୁ କଥା କହିଥିବ ସେଇ ବନ୍ଧୁ ହିଁ ଆମର ସର୍ବନାଶ କରିଦିଏ ତା’ ନିଜ ସ୍ବାର୍ଥ ଲାଗି । ସେତେବେଳେ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୁଏ ଏ ଦୁନିଆରେ ଆମେ ସତରେ କାହାକୁ ପ୍ରକୃତ ବନ୍ଧୁ ବା ଶ୍ରେଷ୍ଠ ବନ୍ଧୁ ବୋଲି ଭାବିବା। ଏ ବନ୍ଧୁକୁ ନେଇ ବିଶିଷ୍ଟ ସାହିତି୍ୟକ ମନୋଜ ଦାସ, ଗୋଟେ ଗଳ୍ପ ଉପସ୍ଥାପନ କରିଥିଲେ। ଜଣେ ସମ୍ଭ୍ରାନ୍ତ ବ୍ୟକ୍ତି କଥା ପ୍ରସଙ୍ଗରେ ତାଙ୍କ ତରୁଣ ପୁତ୍ରଙ୍କୁ ଦିନେ କହିଲେ,”ବାବୁ, ସମାଜରେ ପ୍ରତିଷ୍ଠା ହାସଲ କରିବା ଉତ୍ତମ, ବିତ୍ତ ସଞ୍ଚୟ କରିବା ମଧ୍ୟ ମନ୍ଦ ନୁହେଁ, କିନ୍ତୁ ଜୀବନରେ ଯଦି ଜଣେ, ଦୁଇ ଜଣ ଉତ୍ତମ ବନ୍ଧୁ ଲାଭ କରିପାରିବୁ, ତେବେ ତାହା ହିଁ ହେବ ଜୀବନ ସାୟାହ୍ନରେ ସବୁଠାରୁ ବଡ଼ ଆଶ୍ୱସ୍ତି।“ ତରୁଣ ପୁତ୍ର ହସି ଉତ୍ତର ଦେଲା,‘ଜଣେ ଦୁଇ ଜଣ? ମୋର ଅଛନ୍ତି ଶହେ ବନ୍ଧୁ!’ ପିତା ଗମ୍ଭୀର ହୋଇ କହିଲେ, ମୋତେ ଆସି ଷାଠିଏ ହେଲା। ଜୀବନରେ ମାତ୍ର ଦେଢ଼ ଜଣ ବନ୍ଧୁ ଲାଭ କରିଛି। ତୋତେ ମିଳିଗଲେଣି ଶହେ ବନ୍ଧୁ? ସଗର୍ବ ହାସ୍ୟ ଉତ୍ତର ଦେଲା ପୁତ୍ର,‘ହଁ, ବାପା ଏମିତି କିଛି ତ୍ୟାଗ ନାହିଁ, ଯାହା ସେମାନେ ମୋ ପାଇଁ ତ୍ୟାଗ ନ କରିବେ।’‘ବେଶ୍, ଟିକିଏ ପରୀକ୍ଷା କରି ଦେଖାଯାଉ’ କହିଲେ ବାପା। ପରଦିନ ରାତିରେ ସେ ଗୋଟାଏ ବଡ଼ ଟୋକେଇରେ କିଛି ଲୁଗା ଭର୍ତ୍ତିକରି ତହିଁ ଉପରେ କିଞ୍ଚିତ ଲାଲରଙ୍ଗ ଛିଟିକାଇ ଦେଇ ପୁଅକୁ କହିଲେ, ”ଯାହାକୁ ତୁ ଶହେ ଭିତରୁ ସବୁଠାରୁ ବିଶ୍ୱସ୍ତ ବନ୍ଧୁ ମନେକରୁ, ପ୍ରଥମେ ତା’ପାଖକୁ ଯାଇ କହିବୁ କି ଘଟଣା କ୍ରମେ ତୁ ଗୋଟାଏ ମଣିଷ ମାରି ପକାଇଛୁ। ରାଜାଙ୍କ ସିପାହିମାନେ ତୋତେ ଅନୁସରଣ କରୁଥିବା ସମ୍ଭବ। ଟୋକେଇରେ ମୃତଦେହ ସହ ତୋତେ ବନ୍ଧୁଟି ଯେମିତି ନିଜ ଘରେ ଲୁଚାଇ ରଖିବେ ରାତିକ ପାଇଁ।“
ତରୁଣ ଅନ୍ଧାର ରାତିରେ ତା’ର ସର୍ବଶ୍ରେଷ୍ଠ ବନ୍ଧୁଟିର ଘରେ ପହଞ୍ଚି ଦରଜା ପାଖରେ ଠିଆ ହୋଇ ସେହି ଆବେଦନ କଲା। ବନ୍ଧୁ ଚମକି ପଡ଼ି ଉତ୍ତର ଦେଲା, ”ଆରେ, ତୋ ପାଇଁ ମୁଁ କ’ଣ ଏତକ କରନ୍ତି ନାହିଁ ? ଅସୁବିଧା ହେଲା, ଆଜି ଆମ ଘରେ କୁଣିଆ ଅଛନ୍ତି। “ ବାସ, ବନ୍ଧୁ ଦରଜା ବନ୍ଦକରି ଦେଲା। ଶ୍ରେଷ୍ଠବନ୍ଧୁ ତାଲିକାରେ ଥିବା ପରବର୍ତ୍ତୀ ଯୁବକ ପାଖକୁ ଯାଇ ସେ ଶରଣ ଭିକ୍ଷା କରନ୍ତେ ସେ କହିଲା,”ବନ୍ଧୁ ବୋଲି କ’ଣ ତୋ ଅପରାଧ ଘୋଡ଼ାଇବି? ଏଠାରୁ ଶୀଘ୍ର ଚାଲିଯାଆ।“ ତରୁଣ ହେଲା ତୃତୀୟ ବନ୍ଧୁର ଦ୍ବାରସ୍ଥ। ବନ୍ଧୁ ଖୁସ୍ ମିଜାଜରେ ଥିଲେ। କହିଲେ,”ଆରେ ତୁ ଏମିତି ଛାନିଆ ହେଉଛୁ କାହିଁକି? ସିପାହି ଧରିନେଇ କରିବ ବା କ’ଣ? ତୋ ପ୍ରଭାବଶାଳୀ ବାପା ଲଢ଼ିବେ ନାହିଁ ? ଖୁବ୍ ବେଶି ହେଲେ ତତେ ଫାଶୀ ହେବ। ଆମେ କ’ଣ ଜାକଜମକରେ, ତୋ ସମ୍ମାନ ଜଗି, ତୋ ଶ୍ରାଦ୍ଧୋତ୍ସବ କରିବା ନାହିଁ ? ହେଉ, ଶୁଭରାତ୍ରି।“ ଦରଜା ବନ୍ଦ ହେଲା। କ୍ଳାନ୍ତ ଶ୍ରାନ୍ତ ହତାଶ ତରୁଣ ଯାଇ ବାପାଙ୍କ ଆଗରେ କାନ୍ଦି ପକାଇ ସବୁ କହିଲା। ”ବ୍ୟସ୍ତ ହୁଅନା ପୁଅ। ତୋ ଆଗରେ ରହିଛି ଦୀର୍ଘ ଜୀବନ। ଆଶା, ଜଣେ ଦୁଇଜଣ ସଚ୍ଚା ବନ୍ଧୁ ତୋ କପାଳରେ ଯୁଟିବେ। ବେଶ୍ ଆଗାମୀ କାଲି ମୋ ବନ୍ଧୁଙ୍କ ପରୀକ୍ଷା କରିବା।“ ଯାହାକୁ ଭଦ୍ରଲୋକ ଅଧା ବନ୍ଧୁ ବୋଲି ମନେ କରୁଥିଲେ, ତରୁଣ ଆଦ୍ୟ ରାତ୍ରିରେ ରକ୍ତାକ୍ତ ଦିଶୁଥିବା ଟୋକେଇ ମୁଣ୍ଡେଇ ତାଙ୍କ ପାଖରେ ପହଞ୍ଚି ସମାନ ଅଭିନୟ କରନ୍ତେ, ସେ ଜଣକ ସଙ୍ଗେ ସଙ୍ଗେ ତରୁଣକୁ ଆଶ୍ରୟ ଦେବାକୁ ପ୍ରସ୍ତୁତ ହେଲେ। କିନ୍ତୁ ତରୁଣ କୌଣସି ଯୁକ୍ତିରେ ଚାଲି ଆସିଲା। ତହିଁ ପରଦିନ ପିତାଙ୍କ ନିର୍ଦ୍ଦେଶରେ ସେ ଯାଇ ତାଙ୍କର ପୂର୍ଣ୍ଣ ବନ୍ଧୁଙ୍କ ଦ୍ୱାରଦେଶରେ ପହଞ୍ଚିଲା। ଯୋଗାଯୋଗ ଏମିତି, ସେଦିନ ସତକୁ ସତ ସେ ମୁଲକରେ ଏକ ହତ୍ୟାକାଣ୍ଡ ଘଟିଥାଏ ଏବଂ ମୃତଦେହ ସହ ପଳାତକ ଅପରାଧୀକୁ ସିପାହିମାନେ ଖୋଜୁଥାନ୍ତି। ଏକଥା ଗୃହସ୍ବାମୀ ଜାଣିଥିଲେ। ତଥାପି ସେ ତତ୍କ୍ଷଣାତ୍ ତରୁଣକୁ ଘରେ ଲୁଚାଇ ଟୋକେଇକୁ ଉଦ୍ୟାନରେ ପୋତିବାର ବ୍ୟବସ୍ଥା କଲେ। ପରେ ପରେ ସଦଳବଳ ସିପାହି ସର୍ଦ୍ଦାର ତାଙ୍କ ଘରେ ପହଞ୍ଚି କହିଲେ କି, ହତ୍ୟାକାରୀ ତରୁଣଟିଏ ତାଙ୍କ ଘରେ ଆଶ୍ରୟ ନେଇଛି ବୋଲି ସେମାନେ ସୂଚନା ପାଇଛନ୍ତି। ତାକୁ ଗିରଫ ନ କଲେ ସେମାନେ ଯିବେ ନାହିଁ; ଘର ତଲାସ କରିବେ। ଗୃହସ୍ବାମୀ ତତ୍କ୍ଷଣାତ୍ ନିଜ ସୁପୁତ୍ରକୁ ସିପାହି ଦଳ ହାତରେ ଅର୍ପଣ କରି କହିଲେ,”ତୁମେମାନେ ଯାହାକୁ ଖୋଜୁଚ ଏହି ଜଣକ ସେହି ଯୁବକ। ସେ କିଛି ଅପରାଧ କରିନାହିଁ। ତେବେ ସେ କଥା ମୁଁ ଆଗାମୀକାଲି ବୁଝିବି।“ ସିପାହି ସର୍ଦ୍ଦାର ଭଦ୍ରଲୋକଙ୍କ ପୁଅକୁ ଆପାତତଃ ଗିରଫ କରି ନେଇଗଲେ। ପ୍ରଭାତରେ ପିତାଙ୍କ ପାଖକୁ ଆସି ତରୁଣ କହିଲା,”ବାପା, ମୋର ମୋହମୁକ୍ତି ହେଲା। ପ୍ରକୃତ ବନ୍ଧୁର ସ୍ବରୂପ ଜାଣିଲି।“ ଅବଶ୍ୟ ଏ ଗଳ୍ପର ପଟଭୂମି ଦୁଇଶହ ବର୍ଷ ତଳର ସମାଜ ଓ ପରିବେଶ। ଏହାର ଆକ୍ଷରିକ ବାସ୍ତବତା ନୁହେଁ, ମର୍ମ ହିଁ ଆମର ଧ୍ୟେୟ । ସାମାଜିକ ଜୀବନରେ ବନ୍ଧୁ ଅପରିହାର୍ଯ୍ୟ। କିନ୍ତୁ କିଏ ଆମର ଶ୍ରେଷ୍ଠ ବନ୍ଧୁ? ଶ୍ରୀମା, ବନ୍ଧୁଙ୍କ ଉପରେ ଗୋଟେ ସୁନ୍ଦର ଉତ୍ତର ଦେଇଥିଲେ। ଆମର ଯିଏ ଶ୍ରେଷ୍ଠ ବନ୍ଧୁ, ସିଏ ଆମର ସବୁଠୁ ଉତ୍ତମ ଗୁଣ ଯୋଗୁ ଆମକୁ ଭଲପାଏ। କିନ୍ତୁ ଭଲପାଏ ବୋଲି ତା’ ରୁଚି ଅନୁସାରେ ଆମ ବ୍ୟକ୍ତିତ୍ୱ ବଦଳିବା ଚାହିଁ, ସେଭଳି ଦାବି ତା’ର ନ ଥାଏ। ଗଳ୍ପଟିରେ କହିବା ବାହୁଲ୍ୟ, ଶେଷ ଶ୍ରେଣୀର ବନ୍ଧୁ ହିଁ ସମସ୍ତଙ୍କ ପାଇଁ ମୂଲ୍ୟବାନ, କିନ୍ତୁ ସେଭଳି ବନ୍ଧୁ ଆଜିର ସମାଜରେ ମିଳିବା ବଡ଼ କଷ୍ଟକର। ପ୍ରକୃତରେ ଆମକୁ ହତାଶା ନ କଲା ଭଳି ବନ୍ଧୁ କାହାକୁ ଭାବିବା? ଶ୍ରୀମା’ଙ୍କ ଉତ୍ତର, ଏକମାତ୍ର ଭଗବାନ,‘ଯାବତୀୟ କରୁଣାର ଉତ୍ସ’। ସେ ହିଁ ଏକମାତ୍ର ସଚ୍ଚା ବନ୍ଧୁ, ଭଲ ସମୟରେ ଓ ଖରାପ ସମୟରେ ବନ୍ଧୁ। ସିଏ ହିଁ ଠିକ ବୁଝନ୍ତି,… ଏବଂ ସେ ଆମ ପ୍ରୟୋଜନ ବେଳେ ସର୍ବଦା ଉପସ୍ଥିତ ରହି ଯେକୌଣସି ମାଧ୍ୟମରେ ସାହାଯ୍ୟର ହାତ ବଢ଼ାନ୍ତି। ଏହାର ପ୍ରମାଣ ଆମେ ଅନେକ ଥର ଅନୁଭବ କରିଥାଉ । ‘ବନ୍ଧୁ ଯାହାର ପରମେଶ୍ୱର, ତା’ର ଆଉ ବା କାହାକୁ ଡର’।
ପ୍ରତିମା ବିଶ୍ୱାଳ
ଜଗତ୍ସିଂହପୁର
ମୋ:୯୭୭୬୨୯୦୦୮୪
The post ଶ୍ରେଷ୍ଠ ବନ୍ଧୁ appeared first on Dharitri Odia News.