ଶ୍ୱଶୁରଙ୍କ ଋଣ ଶୁଝୁଛନ୍ତି, ଦିଲ୍ଲୀରେ ବାଂଟିଲେ ଚିଲିକା ଚିଙ୍ଗୁଡ଼ି
ଆଇପିଏସ୍ ଶ୍ୱଶୁରଙ୍କ କେନ୍ଦ୍ରରେ ନିଯୁକ୍ତି ଖୁସିରେ ଦିଲ୍ଲୀ ଦରବାରରେ କୁଆଡ଼େ ଚିଲିକା ଚିଙ୍ଗୁଡ଼ି ବାଣ୍ଟିଛନ୍ତି। ଦିଲ୍ଲୀରେ କିଛି ବିଜେପି ନେତାଙ୍କ ଘରେ ବି ଏହି ଚିଙ୍ଗୁଡ଼ି ବଂଟାଯାଇଥିବା ଚର୍ଚ୍ଚା ହେଉଛି।
ଯାହାଙ୍କ ଦୟାରେ ସାଂସଦ ହେବାର ସୁଯୋଗ ପାଇଥିଲେ, ଏବେ ସେହି ଧରମ ଶ୍ୱଶୁରଙ୍କ ଋଣ ପରିଶୋଧ କରିବାରେ ଲାଗିଛନ୍ତି ଜଣେ ବିଜେଡି ନେତା। ଓଡ଼ିଶାର ଏହି ବିବାଦୀୟ ଆଇପିଏସଙ୍କୁ କେନ୍ଦ୍ରରେ ନିଯୁକ୍ତି ମିଳିବା ଖୁସିରେ ସଂପୃକ୍ତ ବିଜେଡି ନେତା କୁଆଡ଼େ ଚିଲିକା ଚିଙ୍ଗୁଡ଼ି ନେଇ ଦିଲ୍ଲୀରେ ବାଂଟିଛନ୍ତି। ଦିଲ୍ଲୀରେ କିଛି ବିଜେପି ନେତାଙ୍କ ଘରେ ବି ଏହି ଚିଙ୍ଗୁଡ଼ି ବଂଟାଯାଇଥିବା ଚର୍ଚ୍ଚା ହେଉଛି।
ସୂଚନା ଅନୁସାରେ, ବିଜେଡି ଶାସନ କାଳରେ ରାଜନୈତିକ କ୍ଷମତାକେନ୍ଦ୍ର ପାଲଟିଥିବା ଜଣେ ବରିଷ୍ଠ ଆଇପିଏସଙ୍କୁ କେନ୍ଦ୍ର ସରକାର ଡେପୁଟେସନରେ ନେବାପରେ ସେହି ଖୁସିରେ କୁଆଡ଼େ ଦିଲ୍ଲୀ ଦରବାରରେ ଚିଲିକା ଚିଙ୍ଗୁଡ଼ି ବଂଟାଯାଇଛି। କିଛି ନିର୍ଦ୍ଦିଷ୍ଟ ବିଜେପି ନେତାଙ୍କ ବାସଭବନକୁ କୁଆଡ଼େ ଏହି ଚିଲିକା ଚିଙ୍ଗୁଡ଼ି ନେଇ ସମ୍ପୃକ୍ତ ବିଜେଡି ନେତା ନିଜେ ଯାଇଥିଲେ। ଓଡ଼ିଶାରୁ ତଟକା ଚିଙ୍ଗୁଡ଼ି ଆସିଥିଲା ତ, ସେହିପାଇଁ ଦେବାକୁ ଆସିଥିଲି ବୋଲି କହି ସିନା ବାଆଁରେଇ ପଳାଇ ଆସିଥିଲେ। ମାତ୍ର ସେହି ଚିଙ୍ଗୁଡ଼ି ବାଂଟିବା ପଛରେ ଯେ ଅନ୍ୟ କିଛି ଉଦ୍ଦେଶ୍ୟ ଥିଲା ତାହା ଏବେ ଧୀରେଧୀରେ ପଦାକୁ ଆସିବାରେ ଲାଗିଛି।
ଚର୍ଚ୍ଚା ହେଉଛି, ଆଇପିଏସ୍ ଶ୍ୱଶୁରଙ୍କ ବିରୋଧରେ ଓଡ଼ିଶା ସରକାର କାର୍ଯ୍ୟାନୁଷ୍ଠାନ ନକରି ତାଙ୍କୁ କେନ୍ଦ୍ରରେ ଡେପୁଟେସନରେ ଯିବାକୁ ଦେଇଥିବାରୁ ସେହି ଖୁସିରେ କୁଆଡ଼େ ଏହି ଚିଙ୍ଗୁଡ଼ି ବଂଟାଯାଇଛି। ଆଉ ଯେଉଁ ଆଇଏଏସ୍ ଅଫିସରଙ୍କ ହାତଲେଖା(ଅଭିଯୋଗରେ) ସଂପୃକ୍ତ ଆଇପିଏସ୍ ଅଫିସରଙ୍କୁ ନିର୍ବାଚନ କମିଶନଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଥିଲା, ଏବେ ସେହି ଆଇଏଏସଙ୍କ ପଛରେ କୁଆଡ଼େ ଏହି ବିଜେଡି ନେତା ପଡ଼ିଯାଇଛନ୍ତି। ଶ୍ୱଶୁରଙ୍କ ଦୟାରୁ ବିଜେଡିରେ ରାତାରାତି ପାୱାରଫୁଲ୍ ପାଲଟି ଗଲେ, ଆଉ ତାଙ୍କୁ ‘ମାନ୍ୟବର’ ପଦବୀଟିଏ ମଧ୍ୟ ଧରାଇଦେଲେ। ଏବେ ସେହି ପଦବୀର ଦୁରୂପଯୋଗ କରି ସଂପୃକ୍ତ ଆଇଏଏସ୍ ଅଫିସରଙ୍କୁ ଅଡ଼ୁଆରେ ପକାଇବାକୁ କୁଆଡ଼େ କସରତ ଆରମ୍ଭ କରିଦେଇଛନ୍ତି।
ଦିନେକାଳେ ଗୋଟିଏ ବି ନିର୍ବାଚନ ଜିତିନଥିବା ଏହି ନେତାଜଣକ ବିଜେଡି ଶାସନକାଳରେ ବେଶ୍ ଧନସମ୍ପତ୍ତି ଠୁଳ କରିଛନ୍ତି। ମାତ୍ର ୮-୧୦ବର୍ଷ ଭିତରେ ତାଙ୍କର ସମ୍ପତ୍ତି ହଜାରେ ଗୁଣ ବଢ଼ିଯାଇଛି। ସବୁ ସେହି ଶ୍ୱଶୁରଙ୍କ କୃପାରୁ ହୋଇଥିଲା। ଏବେ ସିନା ବିଜେଡିର ସରକାର ନାହିଁ, କିନ୍ତୁ ଶଶ୍ୱୁରଙ୍କ ଦୟାରୁ ଯେଉଁ ମାନ୍ୟବର ପଦବୀଟିଏ ପାଇଛନ୍ତି ଆଉ ଅମାପ ସମ୍ପତ୍ତିର ଅଧିକାରୀ ହୋଇଛନ୍ତି ସେହି ଋଣର ପରିଶୋଧ କରୁଛନ୍ତି ବୋଲି ଚର୍ଚ୍ଚା। କିନ୍ତୁ ଅବଶ୍ୟ ଏହି ବାବୁଜଣକଙ୍କର ସ୍ୱଭାବ ସମସ୍ତଙ୍କ ପ୍ରତି ସେୟା ନୁହେଁ। କାରଣ ରାଜନୀତିରେ ପ୍ରବେଶ ପୂର୍ବରୁ ଯେଉଁ ସଂସ୍ଥାରେ କାମ କରୁଥିଲେ, ବିଜେଡି ଶାସନକାଳରେ ନିଜର ପତିଆରା ଦେଖାଇବାକୁ ସେହି ସଂସ୍ଥାକୁ ତଳିତଳାନ୍ତ କରିବାରେ ଲାଗିପଡ଼ିଥିଲେ ବୋଲି ଚର୍ଚ୍ଚା।