ଷ୍ଟଣ୍ଟ ଦେଖାଉଥିଲେ ଅକ୍ଷୟ-ଟାଇଗର, ହେଲା ଚପଲ-ପଥର ମାଡ଼

ପୂରା ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି।

ଷ୍ଟଣ୍ଟ ଦେଖାଉଥିଲେ ଅକ୍ଷୟ-ଟାଇଗର, ହେଲା ଚପଲ-ପଥର ମାଡ଼

ବଲିଉଡର ଖିଲାଡି ଷ୍ଟାର୍‌ ଅକ୍ଷୟ କୁମାର ଓ ଆକ୍ସନ ହିରୋ ଟାଇଗର ଶ୍ରଫ। ଫିଲ୍ମ ପ୍ରମୋସନ ପାଇଁ ଉଭୟ ଷ୍ଟାର୍‌ ଦେଖଉଥିଲେ ଷ୍ଟଣ୍ଟ। ଏହି ଦୁଇ ହିରୋଙ୍କୁ ଦେଖିବା ପାଇଁ ଜମିଥିଲା ପ୍ରବଳ ଭିଡ। ଠିକ୍‌ ଏତିକି ବେଳେ ଭିଡ ଭିତରେ ଉଡିଥିଲା ଚପଲ, ମାଡ ହୋଇଥିଲା ପଥର। ଫଳରେ ପୁଲିସ ଲୋକଙ୍କ ଉପରେ ଲାଠି ଚାର୍ଜ କରିଥିଲା। ଏଭଳି କିଛି ଦୃଶ୍ୟ ଏବେ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଖୁବଶୀଘ୍ର ଏହି ଦୁଇ ଷ୍ଟାର୍‌ଙ୍କୁ ବଡ ପରଦାରେ ଏକାଠି ଦେଖିବାକୁ ମିଳିବ। ଉଭୟଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ 'ବଡେ ମିୟାଁ ଛୋଟେ ମିୟାଁ' ରିଲିଜ ପାଇଁ ପ୍ରସ୍ତୁତ। ଏହି ଫିଲ୍ମକୁ ନେଇ ଫ୍ୟାନ୍‌ଙ୍କ ମଧ୍ୟରେ ଜୋରଦାର କ୍ରେଜ ରହିଛି। ଏହି ଫିଲ୍ମର ପ୍ରମୋସନ ପାଇଁ ନିକଟରେ ଅକ୍ଷୟ କୁମାର ଓ ଟାଇଗର ଶ୍ରଫ ଲକ୍ଷ୍ନୌ ଯାଇଥିଲେ। ସେଠାକାର ଘଣ୍ଟାଘର ପାଖରେ ପହଞ୍ଚି ଫିଲ୍ମ ପ୍ରମୋସନ ପାଇଁ ଲୋକଙ୍କ ସାମ୍ନାରେ ଉଭୟ ଷ୍ଟଣ୍ଟ ଦେଖାଇଥିଲେ।

ଏହି ଦୁଇ ଷ୍ଟାର୍‌ଙ୍କୁ ଦେଖିବାକୁ ପାଇଁ ଖଚାଖଚ ଭିଡ ମଧ୍ୟ ଜମିଥିଲା। କିନ୍ତୁ ଦେଖୁଦେଖୁ ଏହି ଭିଡ ବଢ଼ିବାକୁ ଲାଗିଥିଲା ଓ ଲୋକଙ୍କ ମଧ୍ୟରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା। ଲୋକେ ପରସ୍ପର ଉପରକୁ ଚପଲ ଫିଙ୍ଗିବା ସହ ପଥର ମାଡ କରିଥିଲେ। ଫଳରେ ପୁଲିସ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ଲାଠି ଚାର୍ଜ କରିଥିଲା। ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଏହି ପୂରା ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଅକ୍ଷୟ କୁମାର ଓ ଟାଇଗରଙ୍କ ଇଭେଣ୍ଟରେ ହୋଇଥିବା ଏହି ଉତ୍ତେଜନାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଚାଲିଛି।