ଷ୍ଟାଲିନ୍ ଚିନ୍ତା
ଜାତୀୟ ରାଜନୀତିଠାରୁ ନିଜକୁ ଦୂରେଇ ରଖିଥିବା ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ତଥା ଡିଏଏମ୍କେ ସୁପ୍ରିମୋ ଏମ୍ କେ ଷ୍ଟାଲିନ୍ ଏବେ କିନ୍ତୁ ଜାତୀୟ ରାଜନୀତିରେ ଚର୍ଚ୍ଚିତ ବ୍ୟକ୍ତି। ଜାତୀୟ ରାଜନୀତିକୁ ଆସିବା ଲାଗି ସେ କୌଣସି ଆଗ୍ରହ ପ୍ରକାଶ କରିନାହାନ୍ତି। କିନ୍ତୁ ଜାତୀୟ ଶିକ୍ଷା ନୀତି ଏବଂ ଲୋକସଭା ନିର୍ବାଚନମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ ପ୍ରସଙ୍ଗରେ ତାଙ୍କର ଆଭିମୁଖ୍ୟ ଜାତୀୟ ରାଜନୀତିରେ ଏକପ୍ରକାର କମ୍ପନ ସୃଷ୍ଟି କରିଛି। ଜାତୀୟ ଶିକ୍ଷା ନୀତିକୁ ସେ ବିରୋଧ କରୁଛନ୍ତି ଏବଂ ଏହାକୁ ନେଇ […]

ଜାତୀୟ ରାଜନୀତିଠାରୁ ନିଜକୁ ଦୂରେଇ ରଖିଥିବା ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ତଥା ଡିଏଏମ୍କେ ସୁପ୍ରିମୋ ଏମ୍ କେ ଷ୍ଟାଲିନ୍ ଏବେ କିନ୍ତୁ ଜାତୀୟ ରାଜନୀତିରେ ଚର୍ଚ୍ଚିତ ବ୍ୟକ୍ତି। ଜାତୀୟ ରାଜନୀତିକୁ ଆସିବା ଲାଗି ସେ କୌଣସି ଆଗ୍ରହ ପ୍ରକାଶ କରିନାହାନ୍ତି। କିନ୍ତୁ ଜାତୀୟ ଶିକ୍ଷା ନୀତି ଏବଂ ଲୋକସଭା ନିର୍ବାଚନମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ ପ୍ରସଙ୍ଗରେ ତାଙ୍କର ଆଭିମୁଖ୍ୟ ଜାତୀୟ ରାଜନୀତିରେ ଏକପ୍ରକାର କମ୍ପନ ସୃଷ୍ଟି କରିଛି। ଜାତୀୟ ଶିକ୍ଷା ନୀତିକୁ ସେ ବିରୋଧ କରୁଛନ୍ତି ଏବଂ ଏହାକୁ ନେଇ କେନ୍ଦ୍ର ସହିତ ସେ ମୁହାଁମୁହିଁ ଅବସ୍ଥାରେ ଅଛନ୍ତି। ହିନ୍ଦୀ ଭାଷାକୁ ଦକ୍ଷିଣ ଭାରତ ରାଜ୍ୟରେ ଲଦିଦେବା ଲାଗି କେନ୍ଦ୍ର ଉଦ୍ୟମ କରୁଛି ବୋଲି ସେ ଅଭିଯୋଗ କରିବା ସହିତ ଏହାକୁ ଜୋରଦାର ବିରୋଧ କରୁଛନ୍ତି। ଏହି ଘଟଣାରେ ସେ ପାଦେ ଆଗକୁ ଯାଇ ରାଜ୍ୟ ବଜେଟ୍ ପୁସ୍ତକରୁ ହିନ୍ଦୀରେ ଥିବା ଟଙ୍କା ଚିହ୍ନକୁ ହଟାଇ ଦେଇଛନ୍ତି। ତାଙ୍କର ଏଭଳି ଆଚରଣକୁ କେନ୍ଦ୍ର ସରକାର ନାପସନ୍ଦ କରିବା ସହିତ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବିଚ୍ଛିନ୍ନତାବାଦ ସହ ତୁଳନା କରିବାକୁ ପଛାଇ ନାହାନ୍ତି।
ଏହି ପ୍ରସଙ୍ଗରେ ଅନେକ ଆଞ୍ଚଳିକ ଓ ଜାତୀୟ ନେତା ନିରବ ରହିଥିବା ବେଳେ ଲୋକସଭା ନିର୍ବାଚନମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ ପ୍ରସଙ୍ଗରେ ଷ୍ଟାଲିନଙ୍କୁ ଅପ୍ରତ୍ୟାଶିତ ଭାବେ ସମର୍ଥନ ମିଳିବାରେ ଲାଗିଛି। ୨୦୨୬ରେ ଜନଗଣନା ହେବ ଏବଂ ଏହାକୁ ଆଧାର କରି ଲୋକସଭା ନିର୍ବାଚନମଣ୍ଡଳୀର ସୀମା ପୁନଃନିର୍ଦ୍ଧାରଣ ହେବ। କିନ୍ତୁ ଏହି ପ୍ରକ୍ରିୟାରେ ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକ କ୍ଷତିଗ୍ରସ୍ତ ହେବେ ବୋଲି ଷ୍ଟାଲିନ ଅଭିଯୋଗ କରିଛନ୍ତି। ତାଙ୍କର ଯୁକ୍ତି ହେଲା ଯେ ଦକ୍ଷିଣ ଭାରର ରାଜ୍ୟଗୁଡ଼ିକ ପରିବାର ନିୟୋଜନ ନୀତି ସଠିକ ଭାବେ ଲାଗୁ କରିଥିବାରୁ ଏଠାରେ ଜନସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି। ଯାହାକି ଉତ୍ତର ଭାରତରେ ପରିଲକ୍ଷିତ ହୋଇନାହିଁ। ତେଣୁ କମ୍ ଜନସଂଖ୍ୟା ଦୃଷ୍ଟିରୁ ଦକ୍ଷିଣ ଭାରତୀୟ ରାଜ୍ୟ ଲୋକସଭା ଆସନ ବଣ୍ଟନ କ୍ଷେତ୍ରରେ ଭୀଷଣ କ୍ଷତିଗ୍ରସ୍ତ ହେବେ। ଏଭଳି ପରିସ୍ଥିତିରେ ଉତ୍ତର ଭାରତର ରାଜ୍ୟମାନଙ୍କୁ ବେଶି ଫାଇଦା ମିଳିବ। ସେମାନଙ୍କ ଇଚ୍ଛାରେ ସରକାର ଗଠନ ହେବ ଏବଂ ଜାତୀୟ ରାଜନୀତିରେ ଦକ୍ଷିଣ ଭାରତ ରାଜ୍ୟମାନଙ୍କର ପ୍ରଭାବ ଆଉ ରହିବନାହିଁ।
ତେଣୁ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିବା ଲାଗି ସେ ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ରାଜନୈତିକ ଦଳର ନେତାମାନଙ୍କୁ ଏକାଠି କରିବାକୁ ଉଦ୍ୟମ ଚଳାଇଛନ୍ତି। ଏହି ରାଜ୍ୟର ନେତାମାନଙ୍କୁ ନେଇ ଚେନ୍ନାଇରେ ଆସନ୍ତା ୨୨ ତାରିଖରେ ଏକ ବୈଠକର ଆୟୋଜନ କରୁଛନ୍ତି। ବୈଠକରେ ସାମିଲ ହେବା ଲାଗି ସେ ଦକ୍ଷିଣ ଭାରତ ରାଜ୍ୟର ନେତାମାନଙ୍କ ନିକଟକୁ ପ୍ରତିନିଧି ଦଳ ପଠାଉଛନ୍ତି। କଂଗ୍ରେସ ଶାସିତ ତେଲଙ୍ଗାନା ଓ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡୀ, ଭାରତୀୟ ରାଷ୍ଟ୍ରୀୟ ସିମିତି ନେତା କେ ଟି ରାମାରାଓଙ୍କୁ ଏହି ପ୍ରତିନିଧି ଦଳ ଭେଟି ଚେନ୍ନାଇ ବୈଠକରେ ଯୋଗଦେବା ଲାଗି ଅନୁରୋଧ କରିଛନ୍ତି। ପଶ୍ଚିମ ବଙ୍ଗ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ତାଙ୍କ ପ୍ରତିନିଧି ଭେଟିଛନ୍ତି।
ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଓ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଏହି ବୈଠକରେ ଯୋଗଦେବେ ବୋଲି ଜଣାଇ ସାରିଛନ୍ତି। ଜଗନମୋହନ ରେଡୀ ଏବଂ କେ ଟି ରାମାରାଓ ମଧ୍ୟ ଯୋଗଦେବେ। ସୀମା ପୁନଃନିର୍ଦ୍ଧାରଣ ଯୋଗୁଁଁ ସର୍ବାଧିକ କ୍ଷତିଗ୍ରସ୍ତ ହେବାକୁ ଯାଉଥିବା କେରଳ ସରକାର ମଧ୍ୟ ନିଜ ପ୍ରତିନିଧି ପଠାଇବେ। ବିଜେପିର ଅନ୍ୟତମ ସହଯୋଗୀ ଟିଡିପି ମୁଖ୍ୟ ତଥା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କୁ ମଧ୍ୟ ଷ୍ଟାଲିନ୍ ନିମନ୍ତ୍ରଣ କରିଛନ୍ତି। ଚନ୍ଦ୍ରବାବୁ ଚେନ୍ନାଇ ବୈଠକରେ ଯୋଗ ଦେଇ ନ ପାରନ୍ତି। କିନ୍ତୁ ଏହି ପ୍ରସଙ୍ଗରେ ସେ ମଧ୍ୟ ଚିନ୍ତିତ। ଯେଉଁଥିପାଇଁ ସେ ରାଜ୍ୟରେ ଅଧିକ ସନ୍ତାନ ଜନ୍ମ ପାଇଁ ପ୍ରୋତ୍ସାହନ ଦେବାକୁ ଘୋଷଣା କରିଛନ୍ତି। ଏହି ସାତଟି ରାଜ୍ୟର ନେତାମାନଙ୍କୁ ଏକାଠି କରିବା ଲାଗି ଷ୍ଟାଲିନଙ୍କ ଅଭିଯାନକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି କେନ୍ଦ୍ର ସରକାର। କାରଣ ଏହି ପ୍ରସଙ୍ଗରେ ବିଜେପି ଏକପ୍ରକାର କୋଣଠେସା ହେବାର ସମ୍ଭାବନା ରହିଛି। ସୀମା ପୁନଃନିର୍ଦ୍ଧାରଣ ଏକ ପ୍ରମୁଖ ପ୍ରସଙ୍ଗ ହୋଇ ଉଭା ହେଉଥିବାରୁ ଏହିସବୁ ରାଜ୍ୟରେ ବିଜେପି ଠାରୁ ଆଞ୍ଚଳିକ ଦଳ ଦୂରେଇ ଯାଇପାରନ୍ତି। ଦକ୍ଷିଣ ଭାରତ ରାଜ୍ୟମାନଙ୍କରେ ଏହି ପ୍ରସଙ୍ଗ ଆନ୍ଦୋଳନର ରୂପ ନେବା ପୂର୍ବରୁ କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡାକି ଏହା ଉପରେ ବିଚାର ଆଲୋଚନା କରିବା ଉଚିତ।