ଷ୍ଟିଲ୍‌ ସିଟିରେ ମୋ’ ବସ୍‌ ସେବା ଠପ୍‌; ଷ୍ଟାଣ୍ଡରେ ଛିଡ଼ା ହୋଇଛି ୧୦୦ ବସ୍‌

ମାଡ଼ ପରେ ଡ୍ରାଇଭର ଓ କର୍ମଚାରୀମାନେ ବସ୍‌କୁ ଧରି ବସ୍‌ଷ୍ଟାଣ୍ଡକୁ ପଳାଇ ଆସିଥିଲେ। ଏ ସମ୍ପର୍କରେ ଖବର ପାଇଁ ଅନ୍ୟ ଡ୍ରାଇଭରମାନେ ଜାଣିପାରି ଯିଏ ଯେଉଁଥିଲା, ସିଏ ସେଠାରୁ ବସ୍‌ ଧରି ଷ୍ଟାଣ୍ଡକୁ ପଳାଇ ଆସିଥିଲେ।

ଷ୍ଟିଲ୍‌ ସିଟିରେ ମୋ’ ବସ୍‌ ସେବା ଠପ୍‌; ଷ୍ଟାଣ୍ଡରେ ଛିଡ଼ା ହୋଇଛି ୧୦୦ ବସ୍‌

ଷ୍ଟିଲ୍‌ ସିଟି ରାଉରକେଲା ମୋ ବସ୍‌ ସେବା ଠପ୍‌ ହୋଇଯାଇଛି। ବସ୍‌ଷ୍ଟାଣ୍ଡରେ ଛିଡ଼ା ହୋଇଛି ୧୦୦ ବସ୍‌। ପ୍ରାୟ ୩ ଘଣ୍ଟା ଧରି ପ୍ରତିବାଦ କରୁଛନ୍ତି ବସ୍‌ କର୍ମଚାରୀ। ଯେଉଁଥିପାଇଁ ସହରବାସୀ ନାହିଁନଥିବା ଅସୁବିଧାରେ ପଡ଼ିଛନ୍ତି। କିଛି ବିଶୃଙ୍ଖଳି ଯୁବକଙ୍କ ଅଭଦ୍ରାମୀ ଆଚରଣ ପାଇଁ ଏହି ବିବାଦ ମୁଣ୍ଡ ଟେକିଛି। ରାଉରକେଲା ଡିଏସ୍‌ପି ଷ୍ଟାଣ୍ଡରେ ପହଞ୍ଚି ଆନ୍ଦୋଳନ କରୁଥିବା କର୍ମଚାରୀଙ୍କ ସହିତ ଆଲୋଚନା କରୁଛନ୍ତି।

ଆଜି ଅପରାହ୍ନ ପ୍ରାୟ ୧ଟା ବେଳେ ରାଉରକେଲା ନୂଆ ବସ୍‌ଷ୍ଟାଣ୍ଡ ନିକଟରେ ଗୋଟିଏ ମୋ ବସ୍‌ ଯାତ୍ରୀଙ୍କୁ ଧରି ଯାଉଥିଲା। ଠିକ୍‌ ସେହି ସମୟରେ ଗୋଟିଏ ବୁଲା କୁକୁର ବସ୍‌ ଆଗକୁ ଚାଲି ଆସିଥିଲା। କୁକୁରଟି ବସ୍‌ରେ ପିଟି ହୋଇ କେ’ ପରି କରି ପଳାଇ ଯାଇଥିଲେ। କୁକୁରର କିଛି ହୋଇନଥିଲା। ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଥିଲା। ହେଲେ ସେଠାରେ ଉପସ୍ଥିତ ଥିବା ୩ ଜଣ ଯୁବକ ଅଜଥାରେ ବସ୍‌କୁ ଅଟକାଇ ଥିଲେ। ଆଉ ବସ୍‌ କର୍ମଚାରୀଙ୍କୁ ଗାଳି ଦେଇଥିଲେ। ଏପରିକି ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ମାଡ଼ ପରେ ଡ୍ରାଇଭର ଓ କର୍ମଚାରୀମାନେ ବସ୍‌କୁ ଧରି ବସ୍‌ଷ୍ଟାଣ୍ଡକୁ ପଳାଇ ଆସିଥିଲେ। ଏ ସମ୍ପର୍କରେ ଖବର ପାଇଁ ଅନ୍ୟ ଡ୍ରାଇଭରମାନେ ଜାଣିପାରି ଯିଏ ଯେଉଁଥିଲା, ସିଏ ସେଠାରୁ ବସ୍‌ ଧରି ଷ୍ଟାଣ୍ଡକୁ ପଳାଇ ଆସିଥିଲେ। ବର୍ତ୍ତମାନ ଷ୍ଟାଣ୍ଡରେ ରାଉରକେଲା ସହରରେ ଚାଲୁଥିବା ୧୦୦ ବସ୍‌ ଛିଡ଼ା ହୋଇଛି। ଆଉ କର୍ମଚାରୀମାନେ ଷ୍ଟାଣ୍ଡରେ ଛିଡ଼ା ହୋଇ ପ୍ରତିବାଦ କରୁଛନ୍ତି। ଗତ ୩ ଘଣ୍ଟା ଧରି ମୋ ବସ୍‌ କର୍ମଚାରୀମାନେ ଆନ୍ଦୋଳନ କରୁଛନ୍ତି।

ବସ୍‌ କର୍ମଚାରୀଙ୍କ ଆନ୍ଦୋଳନ ସମ୍ପର୍କରେ ଖବର ପାଇ ବସ୍‌ ଷ୍ଟାଣ୍ଡରେ ପହଞ୍ଚିଥିଲେ ଡିଏସ୍‌ପି ନିର୍ମଳ କୁମାର ମହାପାତ୍ର। ସେ ବସ୍‌ କର୍ମଚାରୀଙ୍କୁ ବୁଝାସୁଝା କରିଥିଲେ। କିନ୍ତୁ ବସ୍‌ କର୍ମଚାରୀମାନେ ନିଜ ଜିଦ୍‌ରେ ଅଟଳ ରହିଥିଲେ। ମାମଲା ରୁଜୁ କରିବା ସହିତ ମାଡ଼ ମାରିଥିବା ୩ ଯୁବକଙ୍କୁ ଗିରଫ କରାଯାଉ ବୋଲି ଦାବି କରିଥିଲେ। ଖବର ଲେଖା ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିଛି।

ରିପୋର୍ଟ- ରାଉରକେଲାରୁ ପବନ ତିୱାରୀ