ସମାନ ରାସ୍ତା; ଆଗରେ ଯାଉଛି ମହାବଳ, ପଛରେ ମଣିଷ...

ଏସିଆ ମହାଦେଶର ସର୍ବ ବୃହତ୍ ଜୈବ ମଣ୍ଡଳ ହେଉଛି ଶିମିଳିପାଳ ଅଭୟାରଣ୍ୟ। ଆଜି ଏହି ଭୟାରଣ୍ୟରୁ ଆସିଛି ଭଲ ଖବର। ଦିନ ବେଳେ ଅଭୟାରଣ୍ୟର କୋର ଅଞ୍ଚଳରେ ଗୋଟିଏ ମହାବଳ ବାଘ ଚାଲି ଚାଲି ଯାଉଛି।

ସମାନ ରାସ୍ତା; ଆଗରେ ଯାଉଛି ମହାବଳ, ପଛରେ ମଣିଷ...

ଶିମିଳିପାଳ ଅଭ୍ୟାରଣ୍ୟ କୋର ଏରିଆରୁ ଆସିଛି ଭଲ ଖବର। ସମାନ ରାସ୍ତାରେ ଆଗ, ପଛ ହୋଇ ଯାଉଛନ୍ତି ମହାବଳ ବାଘ ଓ ମଣିଷ। ଯେଉଁ ରାସ୍ତାରେ ବାଘମାମୁ ଯାଉଛନ୍ତି ସେହି ରାସ୍ତାରେ ମଣିଷ ଯାଉଛି। ମହାବଳ ଯିବାର କିଛି ମିନିଟ୍‌ ପରେ ସେହି ରାସ୍ତାରେ ଛୋଟ ଛୁଆ ସହିତ ଜଣେ ବ୍ୟକ୍ତି ଯାଉଥିବା ଚିତ୍ର ଟ୍ରାପ୍‌ କ୍ୟାମେରାରେ କଏଦ ହୋଇଛି। ଯାହାର ଫଟୋକୁ ଏକ୍ସରେ ପୋଷ୍ଟ କରିଛନ୍ତି ୱାଇଲଡ୍ ଲାଇଫ୍ ପିସିସିଏଫ ସୁଶାନ୍ତ ନନ୍ଦ।

ଏସିଆ ମହାଦେଶର ସର୍ବ ବୃହତ୍ ଜୈବ ମଣ୍ଡଳ ହେଉଛି ଶିମିଳିପାଳ ଅଭୟାରଣ୍ୟ। ଆଜି ଏହି ଭୟାରଣ୍ୟରୁ ଆସିଛି ଭଲ ଖବର। ଦିନ ବେଳେ ଅଭୟାରଣ୍ୟର କୋର ଅଞ୍ଚଳରେ ଗୋଟିଏ ମହାବଳ ବାଘ ଚାଲି ଚାଲି ଯାଉଛି। ତା’ର ପଛେ ପଛେ ଜଣେ ବ୍ୟକ୍ତି ଛୋଟ ଛୁଆକୁ ଧରି ନିର୍ଭୟରେ ଚାଲି ଚାଲି ଯାଉଛନ୍ତି। ଯାହାର ଚିତ୍ର ଅଭୟାରଣ୍ୟରେ ଲାଗିଥିବା ଟ୍ରାପ୍‌ କ୍ୟାମେରାରେ କଏଦ ହୋଇଛି। ସେହି ଫଟୋକୁ ୱାଇଲଡ୍ ଲାଇଫ୍ ପିସିସିଏଫ ସୁଶାନ୍ତ ନନ୍ଦ ସୋଶାଲ୍‌ ମିଡ଼ିଆ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି।

ଆଉ ସେ ଲେଖିଛନ୍ତି, ବାଘ ଓ ଗାଁ ଲୋକ ସମାନ ରାସ୍ତା ବ୍ୟବହାର କରୁଛନ୍ତି। କିଛି ମିନିଟ୍‌ର ବ୍ୟବଧାନରେ ଉଭୟ ସମାନ ରାସ୍ତାରେ ଯାଉଛନ୍ତି। ଏହି ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଆମ ବ୍ୟାଘ୍ର ସଂରକ୍ଷଣର ଭବିଷ୍ୟତ ବୋଲି ଶ୍ରୀ ନନ୍ଦ ଲେଖିଛନ୍ତି।

ସୂଚନାରୁ ପ୍ରକାଶ, ଶିମିଳିପାଳ ଅଭୟାରଣ୍ୟରେ ବନ୍ୟ ଜୀବଯନ୍ତୁଙ୍କ ସହିତ ମଣିଷ ରହୁଛି। କୋର ଏରିଆରେ ୧୧ଟି ଗାଁ ରହିଥିଲା। କେବଳ ବକୁଆ ଗାଁକୁ ଛାଡ଼ିଦେଲେ ରାଜ୍ୟ ସରକାର ସବୁ ଗାଁକୁ କୋର ଏରିଆ ବାହାରେ ଥଇଥାନ୍‌ କରିଛନ୍ତି। ବକୁଆ ଗାଁ ସ୍ଥାନାନ୍ତରିତ ହେଲେ ଶିମିଳିପାଳ ଜାତୀୟ ଉଦ୍ୟାନ ମାନ୍ୟତା ପାଇବ।

ସେପଟେ ଦେଖିବାକୁ ଗଲେ ୫୦ଟି ପଡ଼ାର ପ୍ରାୟ ୧୦ ହଜାର ଲୋକ କୋର ଏରିଆ ଭିତରେ ଯିବା ଆସିବା କରୁଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ବାଘ କାହାର କିଛି କ୍ଷତି କରିନି। ନା କେବେ ଉଭୟଙ୍କ ଭିତରେ ଲଢ଼େଇ ହୋଇଥିବା ଦେଖିବାକୁ ମିଳିନି। କହିବାକୁ ଗଲେ ମଣିଷ ଓ ବାଘ ମିଳିମିଶି ରହୁଛନ୍ତି। ଏହା ନିଶ୍ଚିତ ଶିମିଳିପାଳ ଅଭୟାରଣ୍ୟ ପାଇଁ ଭଲ ଖବର ବୋଲି ପରିବେଶବିତମାନେ ମତପ୍ରକାଶ କରିଛନ୍ତି।

ରିପୋର୍ଟ- ବାରିପଦାରୁ ମାନିକଲାଲ ପାଣି