ସଂସ୍ଥାପିତ ବିଶ୍ୱ ଓ ନବୀକରଣୀୟ ଶକ୍ତି
‘ଆମ ବିଶ୍ୱକୁ ପରିବର୍ତ୍ତନ କରିବା: ସ୍ଥାୟୀ ବିକାଶ ପାଇଁ ୨୦୩୦ ଏଜେଣ୍ଡା’ ୨୫ ସେପ୍ଟେମ୍ୱର ୨୦୧୫ରେ ଜାତିସଂଘର ସ୍ଥାୟୀ ବିକାଶ ପରିଷଦରେ ଗ୍ରହଣ କରାଯାଇଥିଲା। ଏହି ଏଜେଣ୍ଡାରେ ଦାରିଦ୍ର୍ୟ ସମାପ୍ତି, ଅସମାନତା ଓ ଅନ୍ୟାୟ ବିରୁଦ୍ଧରେ ଲଢ଼ିବା ଏବଂ ୨୦୩୦ ସୁଦ୍ଧା ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ପାଇଁ ୧୭ଟି ସ୍ଥାୟୀ ବିକାଶ ଲକ୍ଷ୍ୟ(ଏସ୍ଡିଜି) ଧାର୍ଯ୍ୟ କରାଯାଇଛି। ଏସ୍ଡିଜି ୭ ଶକ୍ତିର ସାର୍ବଜନୀନ ଉପଲବ୍ଧ ଉପରେ ଗୁରୁତ୍ୱାରୋପ କରୁଥିବା ବେଳେ ନବୀକରଣୀୟ ଶକ୍ତିର ଅଧିକ ଅଂଶ ଏବଂ […]

‘ଆମ ବିଶ୍ୱକୁ ପରିବର୍ତ୍ତନ କରିବା: ସ୍ଥାୟୀ ବିକାଶ ପାଇଁ ୨୦୩୦ ଏଜେଣ୍ଡା’ ୨୫ ସେପ୍ଟେମ୍ୱର ୨୦୧୫ରେ ଜାତିସଂଘର ସ୍ଥାୟୀ ବିକାଶ ପରିଷଦରେ ଗ୍ରହଣ କରାଯାଇଥିଲା। ଏହି ଏଜେଣ୍ଡାରେ ଦାରିଦ୍ର୍ୟ ସମାପ୍ତି, ଅସମାନତା ଓ ଅନ୍ୟାୟ ବିରୁଦ୍ଧରେ ଲଢ଼ିବା ଏବଂ ୨୦୩୦ ସୁଦ୍ଧା ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ପାଇଁ ୧୭ଟି ସ୍ଥାୟୀ ବିକାଶ ଲକ୍ଷ୍ୟ(ଏସ୍ଡିଜି) ଧାର୍ଯ୍ୟ କରାଯାଇଛି। ଏସ୍ଡିଜି ୭ ଶକ୍ତିର ସାର୍ବଜନୀନ ଉପଲବ୍ଧ ଉପରେ ଗୁରୁତ୍ୱାରୋପ କରୁଥିବା ବେଳେ ନବୀକରଣୀୟ ଶକ୍ତିର ଅଧିକ ଅଂଶ ଏବଂ ଶକ୍ତି ଦକ୍ଷତାରେ ବ୍ୟାପକ ଉନ୍ନତି ଉପରେ ଦିଗକୁ ସୂଚାଇ ଥାଏ। ଅପରପକ୍ଷରେ ଏସ୍ଜିଜି ୧୨ ଦାୟିତ୍ୱସମ୍ପନ୍ନ ବ୍ୟବହାର ଉପରେ ଗୁରୁତ୍ୱ ଦିଏ। ପ୍ରଭାବଶାଳୀ ଜଳବାୟୁ ଚୁକ୍ତିନାମା ସେହିବର୍ଷ ଡିସେମ୍ୱର ୧୨ ତାରିଖରେ ପ୍ୟାରିସରେ ଅନୁଷ୍ଠିତ ଶୀର୍ଷ ସମ୍ମିଳନୀରେ ଗ୍ରହଣ କରାଯାଇଥିଲା। ତେଣୁ ଜୀବାଶ୍ମ ଶକ୍ତି ପରିବର୍ତ୍ତେ ନବୀକରଣୀୟ ଶକ୍ତି ଉପରେ ଏଧିକ ନିର୍ଭରଶୀଳ ହେବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଆଜିର ଜରୁରୀ ଆହ୍ୱାନ ହୋଇପଡ଼ିଛି।
୨୦୩୦ ସୁଦ୍ଧା ଜୀବାଶ୍ମ ଇନ୍ଧନ ଶକ୍ତିକୁ ପର୍ଯ୍ୟାୟକ୍ରମେ ବନ୍ଦ କରିବା ଏବଂ ତିନିଗୁଣ ସ୍ୱଚ୍ଛ ବା ସବୁଜ ବିଦ୍ୟୁତ୍ ଉତ୍ପାଦନ ପାଇଁ ବିଶ୍ୱବ୍ୟାପୀ ଲୋକଙ୍କୁ ସଂକଳ୍ପିତ କରିବା ଉପରେ ଧ୍ୟାନ କେନ୍ଦ୍ରିତ ହେବା ପାଇଁ ଆହ୍ୱାନ ଦିଆଯାଇଛି। ଏହି ଅଭିଯାନ ବ୍ୟକ୍ତି, ସରକାର ଏବଂ ଶିଳ୍ପଗୁଡ଼ିକୁ ସୌର, ପବନ, ଜଳ, ଜୁଆର, ଭୂତାପଜ ଏବଂ ଜୈବ-ଶକ୍ତି ଭଳି ନବୀକରଣୀୟ ଶକ୍ତିର ବିକାଶ ଦିଗରେ କାର୍ଯ୍ୟ କରିବାକୁ ଉତ୍ସାହିତ କରେ। ଏହି କାର୍ଯ୍ୟକ୍ରମ ସମୟରେ ବିଶ୍ୱବ୍ୟାପୀ ଆୟୋଜିତ ହେଉଥିବା କିଛି ପ୍ରଭାବଶାଳୀ ପଦକ୍ଷେପ ଏଠାରେ ଦିଆଯାଇଛି: (୧) ମହାନ ବିଶ୍ୱ ସଫେଇ ଅଭିଯାନ: ବିଶ୍ୱର ସ୍ୱେଚ୍ଛାସେବୀମାନେ ପଡ଼ୋଶୀ, ପାର୍କ, ନଦୀ ଏବଂ ବେଳାଭୂମିରୁ ୩୪୦୨ ମେଟ୍ରିକ୍ ଟନ୍ରୁ ଅଧିକ ଅଳିଆ ଅପସାରଣ କରିବେ; (୨) ସବୁଜ ବନାନୀ ପ୍ରକଳ୍ପ: ୫, ୫୦, ୦୦୦ ଟି ଗଛ ଲଗାଇବା, ଗୁରୁତ୍ୱପୂର୍ଣ୍ଣ ପରିସଂସ୍ଥାକୁ ପୁନରୁଦ୍ଧାର କରିବା ଏବଂ ବାୟୁ ଗୁଣବତ୍ତା ଉନ୍ନତ କରିବା ଲକ୍ଷ୍ୟ; (୩) ଧରିତ୍ରୀ ସୁଧାର ଦିବସ: ୫୫୦ରୁ ଅଧିକ ସହର ଏବଂ ୧୦୦ ମହାବିଦ୍ୟାଳୟ ଜଳବାୟୁ ପଦଯାତ୍ରାଠାରୁ ଆରମ୍ଭ କରି ଶକ୍ତି-ଦକ୍ଷତା କର୍ମଶାଳା ପର୍ଯ୍ୟନ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ; (୪) ଜଳବାୟୁ ଶିକ୍ଷା: ୧୦ ଲକ୍ଷ ଜଳବାୟୁ-କେନ୍ଦ୍ରିତ ସ୍କୁଲ ପାଠ୍ୟକ୍ରମ କାର୍ଯ୍ୟକାରୀ କରିବେ, ଯାହା ଆମ ଭବିଷ୍ୟତ ପଢ଼଼ିିଙ୍କୁ ସବୁଜ ପରିବେଶ ବାହିନୀ ଭାବରେ ଗଢ଼ି ତୋଳିବ।
୧୭୬୦ ମସିହାରେ ଗ୍ରେଟ୍ ବ୍ରିଟେନରେ ଆରମ୍ଭ ହୋଇଥିବା ଶିଳ୍ପ ବିପ୍ଳବ ୱେଲ୍ସ ଏବଂ କାଉଣ୍ଟି ଡୁରହାମ ଭଳି ସ୍ଥାନରୁ କୋଇଲା ଖଣି ଦ୍ୱାରା ତ୍ୱରାନ୍ୱିତ ହୋଇଥିଲା ଏବଂ ବଡ଼ ବଡ଼ ପ୍ରତିଷ୍ଠାନରେ ଶିଳ୍ପର କେନ୍ଦ୍ରୀକରଣ ହୋଇଥିଲା। କୃଷି ପଦ୍ଧତିରେ ବିରାଟ ପରିବର୍ତ୍ତନ ଆସିଥିଲା। ୧୭୧୨ ମସିହାରେ ଥମାସ ନ୍ୟୁକମେନ୍ ପ୍ରଥମ ସଫଳ ବାଷ୍ପ ଇଞ୍ଜିନ୍ ଉତ୍ପାଦନ କରିଥିଲେ ଏବଂ ୧୭୬୯ ମସିହାରେ ଜେମ୍ସ ୱାଟ୍ ଆଧୁନିକ ବାଷ୍ପ ଇଞ୍ଜିନ୍ ପେଟେଣ୍ଟ କରିଥିଲେ। ଏହାପରେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଅନେକ ବିକାଶ ଘଟି ଚାଲିଲା। କାରଖାନାଗୁଡ଼ିକରୁ ସୃଷ୍ଟ ପ୍ରଦୂଷକ ଦ୍ରବ୍ୟଗୁଡ଼ିକ ବାୟୁମଣ୍ଡଳ, ହ୍ରଦ ଓ ନଦୀମାନଙ୍କରେ ପ୍ରବେଶ କରିବାକୁ ଲାଗିଲା, ଯାହାର କିଛି ଆଇନଗତ ପ୍ରତିକାର ବିଶେଷ ନ ଥିଲା। ୧୯୬୦ ଦଶକର ପ୍ରାରମ୍ଭ ସୁଦ୍ଧା ଆମେରିକୀୟମାନେ ପରିବେଶ ଉପରେ ପ୍ରଦୂଷଣର ପ୍ରଭାବ ବିଷୟରେ ସଚେତନ ହୋଇ ଭୂମି, ନଦୀ, ହ୍ରଦ ଓ ବାୟୁ ସହିତ କ’ଣ ଘଟୁଛି ସେ ବିଷୟରେ ସେମାନଙ୍କର ଚିନ୍ତା ପ୍ରକଟ କରିବା ପାଇଁ ଏକ ମଞ୍ଚ ଗଠନ କରିଥିଲେ।
୧୯୫୦ ଦଶକର ଶେଷଭାଗରେ ଜଣେ ଆମେରିକୀୟ ସାମୁଦ୍ରିକ ଜୀବବିଜ୍ଞାନୀ, ଲେଖିକା ଏବଂ ସଂରକ୍ଷଣବାଦୀ ରାଚେଲ ଲୁଇସ୍ କାର୍ସନ କୃଷି କ୍ଷେତ୍ରରେ କିଛି ସମସ୍ୟା ପ୍ରତି ତାଙ୍କ ନିଜର ଧ୍ୟାନ ଆକର୍ଷଣ କରିଥିଲେ, ଯାହା ସେ ବିଶ୍ୱାସ କରୁଥିଲେ ଯେ ସମ୍ଭବତଃ ତାହା କୃତ୍ରିମ କୀଟନାଶକ ଦ୍ୱାରା ସୃଷ୍ଟି ହୋଇଥିଲା। ତାଙ୍କର ସର୍ବାଧିକ ବିକ୍ରୟ ହୋଇଥିବା ପୁସ୍ତକ ‘ସାଇଲେଣ୍ଟ ସ୍ପ୍ରିଙ୍ଗ’ ବା ‘ନିରବ ଝରଣା’ (୧୯୬୨) ଆମେରିକୀୟ ଲୋକଙ୍କ ମନରେ ଏକ ଅଭୂତପୂର୍ବ ସଚେତନତା ଆଣିଥିଲା। ପ୍ରଭାବ ଏତେ ବହୁତ ଶକ୍ତିଶାଳୀ ଥିଲା ଯେ; ଏହା ଜାତୀୟ କୀଟନାଶକ ନୀତିରେ ଏକ ପରିବର୍ତ୍ତନ ଆଣିଥିଲା, ଯାହା ଡିଡିଟି ଓ ଅନ୍ୟାନ୍ୟ କୀଟନାଶକ ଦ୍ରବ୍ୟ ବ୍ୟବହାର ଉପରେ ଦେଶବ୍ୟାପୀ ପ୍ରତିବନ୍ଧକ ଲଗାଇଥିଲା।
ଆଜି ସବୁଠାରୁ ବଡ଼ ସଙ୍କଟ ହେଉଛି ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳ ପରେ ଶୁଳ୍କ ଯୁଦ୍ଧ ନୁହେଁ, ବରଂ ଏହା ହେଉଛି ଜଳବାୟୁ ପରିବର୍ତ୍ତନ। ସେ ପ୍ୟାରିସ ପରିବେଶ ଚୁକ୍ତିନାମାରୁ ଆମେରିକାକୁ ଓହରି ଆଣିଲେ। ବିଶାଳ ବାଣିଜ୍ୟ, ଖଣି, ସାମରିକତା ଏବଂ ଶିଳ୍ପାୟନ ମାଧ୍ୟମରେ, ଆମର ଗ୍ରହ-ତାପ ନିର୍ଗମନ ସମସ୍ୟା ବା ଆନ୍ଥ୍ରୋପୋସିନ୍ ସୃଷ୍ଟି କରିଛି – ପୃଥିବୀ ଉପରେ ଏକ ଚାପର ଯୁଗ ଉପନୀତ ହୋଇଛି। ଏହାର ମାପଦଣ୍ଡରେ ତାପମାତ୍ରା ବୃଦ୍ଧିରୁ ଦ୍ରୁତ ବିଶ୍ୱ ବରଫ ହ୍ରାସ, ସମୁଦ୍ର ପତନ ବୃଦ୍ଧି, ଅତିମାତ୍ରାର ପାଣିପାଗ ବିଭ୍ରାଟ ଘଟଣା, ଗରମ ଲହରୀ, ଅଗ୍ନିକାଣ୍ଡ, ମରୁଡ଼ି ଏବଂ ବନ୍ୟା ଅନ୍ତର୍ଭୁକ୍ତ। ଲୋକଙ୍କ ବିସ୍ଥାପନ, ପରିବେଶଗତ ଶରଣାର୍ଥୀ, ଜୀବନ ଓ ସମ୍ପତ୍ତିର କ୍ଷତି ପ୍ରଚଣ୍ଡ ଏବଂ ଆହୁରି ଅନେକ କ’ଣ ବିପର୍ଯ୍ୟୟର ସାମ୍ନା କରିବାକୁ ହେବ, ଆମେ ଆକଳନ କରିପାରୁନାହୁଁ। ଏକ ସ୍ଥାୟୀ ଏବଂ ସଂସ୍ଥାପିତ ବିଶ୍ୱ ପାଇଁ ନବୀକରଣୀୟ ଶକ୍ତି ହିଁ ଭରସାଯୋଗ୍ୟ।
ଡକ୍ଟର ସୁନ୍ଦର ନାରାୟଣ ପାତ୍ର
(ସଭାପତି, ଓଡ଼ିଶା ପରିବେଶ ସମିତି)
ଭୁବନେଶ୍ୱର, ମୋ: ୯୪୩୭୧୯୦୪୨୦