ସଚିନଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ ପୁଣି ଝଟକା

କ୍ରମାଗତ ଖରାପ ପ୍ରଦର୍ଶନ ପାଇଁ ତାଙ୍କୁ ପୁଣିଥରେ ଗୋଆ ଟିମରୁ ବାଦ ଦିଆଯାଇଛି।

ସଚିନଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ ପୁଣି ଝଟକା

କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନଙ୍କୁ ପୁଣି ବଡ଼ ଝଟକା ଲାଗିଛି। କ୍ରମାଗତ ଖରାପ ପ୍ରଦର୍ଶନ ପାଇଁ ତାଙ୍କୁ ପୁଣିଥରେ ଗୋଆ ଟିମରୁ ବାଦ ଦିଆଯାଇଛି। ବର୍ତ୍ତମାନ ଚାଲିଥିବା ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଅର୍ଜୁନ ଗୋଆ ଟିମର ଚୂଡ଼ାନ୍ତ ଏକାଦଶରେ ନିଜକୁ ସାମିଲ କରିବାକୁ ସମର୍ଥ ହୋଇପାରି ନାହାନ୍ତି।

ଗୋଆ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ପୂର୍ବ ମ୍ୟାଚ୍‌ରେ କେରଳକୁ ଭେଟିଥିବା ବେଳେ ଅର୍ଜୁନଙ୍କୁ ଏଥିରେ ସୁଯୋଗ ମିଳି ନଥିଲା। ଲାଗୁଥିଲା ମଙ୍ଗଳବାର ମହାରାଷ୍ଟ୍ର ବିପକ୍ଷ ମ୍ୟାଚ୍‌ରେ ସେ ନଜର ଆସିବେ। ହେଲେ ବାମହାତୀ ଦ୍ରୁତ ବୋଲିଂ ଅଲରାଉଣ୍ଡର ଅର୍ଜୁନଙ୍କୁ ଗୋଆ ଆଜି ମଧ୍ୟ ଚୂଡ଼ାନ୍ତ ଏକାଦଶରେ ରଖି ନାହିଁ।

ନିକଟରେ ଅର୍ଜୁନ ତେନ୍ଦୁଲକରଙ୍କୁ ଆଇପିଏଲ ମେଗା ଅକ୍ସନ ବେଳେ ମୁମ୍ବାଇ ଇଣ୍ଡିଆନ୍ସ ବେସ ପ୍ରାଇସ ୩୦ ଲକ୍ଷ ଟଙ୍କା ବଳରେ ନିଜ ସହ ସାମିଲ କରିଥିଲା। ହେଲେ ଟି-୨୦ ଫର୍ମାଟରେ ଖେଳା ଯାଉଥିବା ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଅର୍ଜୁନ ସୁଯୋଗ ନ ପାଇବାରୁ ତାଙ୍କ ପାଇଁ ଶକ୍ତ ଝଟକା ସଦୃଶ ହୋଇଛି।

ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଅର୍ଜୁନ ଗୋଆ ପାଇଁ ପ୍ରଥମ ମ୍ୟାଚ୍‌ ମୁମ୍ବାଇ ବିପକ୍ଷ ଖଳିଥିଲେ। ଏହି ମ୍ୟାଚ୍‌ରେ ସେ ୪ ଓଭର ବୋଲିଂ କରି ୪୮ ରନ ଦେଇଥିଲେ। ସେହପରି ବ୍ୟାଟିଂରେ କେବଳ ୯ ରନ କରିପାରି ଥିଲେ। ଗୋଆ ମଧ୍ୟ ବଡ଼ ପରାଜୟ ବରଣ କରିଥିଲା।

ଦ୍ୱିତୀୟ ମ୍ୟାଚ୍‌ରେ ଅର୍ଜୁନ ସର୍ଭିସେସ ବିପକ୍ଷରେ ୩ ଓଭର ବୋଲିଂ କରି ୧୯ ରନ ଦେଇଥିଲେ। କିନ୍ତୁ ତାଙ୍କୁ ୱିକେଟ ମିଳି ନଥିଲା। ତୃତୀୟ ମ୍ୟାଚ୍‌ରେ ସେ ‌ଆନ୍ଧ୍ର ବିପକ୍ଷରେ ୩.୪ ଓଭରରେ ୩୬ ରନ ଖର୍ଚ୍ଚ କରି ଗୋଟିଏ ବି ୱିକେଟ ପାଇ ନଥିଲେ।

୪ର୍ଥ ମ୍ୟାଚ୍‌ ଗୋଆ କେରଳ ବିପକ୍ଷରେ ଖେଳିଥିଲେ ହେଁ ପୁଣି ହାରିଥିଲା। ଅର୍ଜୁନ ଆଜି ମହାରାଷ୍ଟ୍ର ବିପକ୍ଷ ମ୍ୟାଚ୍‌ରେ ଖେଳୁ ନଥିବା ବେଳେ ଗୋଆ ୪ ୱିକେଟରେ ମ୍ୟାଚ୍‌ ଜିତିଛି।

ଗୋଆ ସୟଦ ମୁସ୍ତାକ ଅଲୀ ଟ୍ରଫିର ପ୍ରଥମ ୪ଟି ଯାକ ମ୍ୟାଚ୍‌ ହାରିଥିବା ଗୋଆ ଆଜି ପ୍ରଥମଥର ବିଜୟ ସ୍ୱାଦ ଚାଖିଛି।