ସଞ୍ଜୟ ରାୟର ସାଇକୋଲଜିକାଲ୍ ଟେଷ୍ଟ କରିବ CBI
ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଉ କିଏ ସଂପୃକ୍ତ? ଦୁଷ୍କର୍ମ ନା ଗଣଦୁଷ୍କର୍ମ? ଏଥିରେ ରହିଛି କି କିଛି ବଡ଼ ବଡ଼ିଆଙ୍କ ହାତ? ଏବେ ଏହାକୁ ନେଇ ଜୋରଦାର ଖୋଳତାଡ଼ କରୁଛି ସିବିଆଇ।
କୋଲକାତା ଦୁଷ୍କର୍ମ ଓ ହତ୍ୟା ପଛର ଅସଲ କାରଣ ଖୋଜୁଛି CBI। ଅଭିଯୁକ୍ତ ସଞ୍ଜୟ ରାୟର ସାଇକୋଲଜିକାଲ୍ ଟେଷ୍ଟ କରାଯିବାକୁ ସଜବାଜ ଚାଲିଛି। ଅଭିଯୁକ୍ତର ମାନସିକ ଅବସ୍ଥା ଯାଞ୍ଚ କରିବ ସିବିଆଇ । ତାସହ ସେମିନାର୍ ହଲର 3D ଲେଜର୍ ସ୍କାନ୍ କରାଯାଇଛି। ଘଟଣା ଦିନ କ୍ରାଇମ୍ ସିନ୍ ରିକ୍ରିଏସନ୍ ସହ ସେମିନାର୍ ହଲରେ କେତେ ଜଣ ବ୍ୟକ୍ତି ଥିଲେ ସେ ଦିଗରେ ତଦନ୍ତ କରିଛି।
ଏହା କେବଳ ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ । ସେନେଇ ପରିବାର ଲୋକେ ଆଣିଥିବା ଅଭିଯୋଗ ଉପରେ ତଦନ୍ତ କରୁଛି ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିକେସନ୍ । ପ୍ରତିଦିନ ନୂଆ ନୂଆ ତଥ୍ୟ ଅନେକ ଘଟଣା ଉପରୁ ପରଦା ହଟାଉଛି। ସେହିପରି କୋଲକାତା RG କର୍ ମେଡିକାଲ ସମ୍ମୁଖରେ ଡାକ୍ତର ଓ ସାଧାରଣ ଲୋକେ ଏବେ ବି ଧାରଣାରେ ବସିଛନ୍ତି। ଉପଯୁକ୍ତ ତଦନ୍ତ ସହ ଅସଲ ଅଭିଯୁକ୍ତକୁ ଗିରଫ କରିବାକୁ ଦାବି କରିଛନ୍ତି ଲୋକେ।
ତେବେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଉ କିଏ ସଂପୃକ୍ତ? ଦୁଷ୍କର୍ମ ନା ଗଣଦୁଷ୍କର୍ମ? ଏଥିରେ ରହିଛି କି କିଛି ବଡ଼ ବଡ଼ିଆଙ୍କ ହାତ? ଏବେ ଏହାକୁ ନେଇ ଜୋରଦାର ଖୋଳତାଡ଼ କରୁଛି ସିବିଆଇ। ସୂଚନା ଅନୁସାରେ ପୀଡ଼ିତଙ୍କ ପରିବାର କିଛି ଡାକ୍ତର, ଇଣ୍ଟର୍ଣ୍ଣ, ଫିଜିସିଆନ୍ଙ୍କ ନାଁ ସିବିଆଇକୁ ଦେଇଥିଲେ। ଏହି ସବୁ ବ୍ୟକ୍ତିକୁ ବି ଚିହ୍ନଟ କରିଛି ତଦନ୍ତକାରୀ ସଂସ୍ଥା। ତାସହ ଆର.ଜି.କର ମେଡିକାଲର ପୂର୍ବତନ ପ୍ରିନସିପାଲଙ୍କ ସମେତ ୧୦ରୁ ଅଧିକ କର୍ମଚାରୀଙ୍କୁ ପଚରାଉଚରା କରୁଛି।
ଏମିତିକି କିଛି ଜଣଙ୍କୁ ସିବିଆଇ ନିଜ ହେପାଜତରେ ବି ରଖିଥିବା ସୂଚନା ମିଳିଛି। ତେଣୁ ଏସବୁ ଦିଗକୁ ଦେଖିଲେ ଅନୁମାନ କରାଯାଉଛି କି ସିବିଆଇ ହାତରେ କିଛି ବଡ଼ ତଥ୍ୟ ଲାଗିଥାଇପାରେ। ଅପରପକ୍ଷେ ଘଟଣାକୁ ନେଇ କୋଲକାତାଠୁ ଆରମ୍ଭ କରି ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ଚାଲିଛି । ସେପଟେ ଘଟଣାକୁ ନେଇ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦେଇଛି ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍-IMA। ୨୪ ଘଣ୍ଟିଆ ଧର୍ମଘଟକୁ ଓହ୍ଲାଇଛନ୍ତି ସବୁ ପ୍ରଫେସର, ଡାକ୍ତର ଓ ଡାକ୍ତରୀ ଛାତ୍ରଛାତ୍ରୀ।
ସେପଟେ ଏହି ମାମଲା ପରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ନିଜ ନିୟମ କଡ଼ାକଡ଼ି କରିଛି। ଏଣିକି ସବୁ ରାଜ୍ୟ ପ୍ରତି ୨ ଘଣ୍ଟାରେ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ରିପୋର୍ଟ ଦେବେ। ନିଜ ନିଜ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ରାଜ୍ୟ ସରକାର କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ସବିଶେଷ ତଥ୍ୟ ଜଣାଇବେ। ସବୁ ରାଜ୍ୟ ଗୃହ ମନ୍ତ୍ରାଳୟକୁ ଗୋଟି ଗୋଟି କରି ୨ ଘଣ୍ଟାକୁ ଥରେ ଅପଡେଟ୍ ଜଣାଇବେ। କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲା ଏବଂ ରାଜ୍ୟ ଗୁଡ଼ିକରେ ବଢ଼ୁଥିବା ଅପରାଧକୁ ନେଇ ଏଭଳି କଡ଼ା ପଦକ୍ଷେପ ନିଆଯାଇଛି।