ସବାଇ ଘାସରୁ ଶିଳ୍ପ ସମ୍ଭାବନା

ଅଧ୍ୟାପକ ଗୋପବନ୍ଧୁ   ସବାଇ ଗ୍ରାସ୍‌ ବା ବୁବେଇ ଘାସ ମୟୂରଭଞ୍ଜ ଜିଲାର ଏକ ବିଶାଳ ଅଞ୍ଚଳରେ ଲୋକଙ୍କୁ କର୍ମନିଯୁକ୍ତି ପ୍ରଦାନ କରିଥାଏ। ବିଶେଷକରି ମୋରଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଶୂଳିଆପଦା, ମୋରଡ଼ା ଓ ରାସଗୋବିନ୍ଦପୁର ବ୍ଲକରେ ଅନେକଙ୍କ ପାଇଁ ଏହା ଜୀବିକା ନିର୍ବାହର ଏକ ପ୍ରମୁଖ ମାଧ୍ୟମ। ଏହି ନିର୍ବାଚନମଣ୍ଡଳୀ ସଂଲଗ୍ନ ଅନ୍ୟାନ୍ୟ ବ୍ଲକର କିଛି ଅଞ୍ଚଳରେ ମଧ୍ୟ ଏହା ପରିବାର ଗୁଜରାଣ ପାଇଁ ସର୍ବନିମ୍ନ ଅର୍ଥ ଉପାର୍ଜନର ମାଧ୍ୟମ। ସମ୍ପୃକ୍ତ ଅଞ୍ଚଳରେ ଏହା ଚାଷର ମାନ୍ୟତା […] The post ସବାଇ ଘାସରୁ ଶିଳ୍ପ ସମ୍ଭାବନା appeared first on Dharitri Odia News.

ସବାଇ ଘାସରୁ ଶିଳ୍ପ ସମ୍ଭାବନା

ଅଧ୍ୟାପକ ଗୋପବନ୍ଧୁ

 

ସବାଇ ଗ୍ରାସ୍‌ ବା ବୁବେଇ ଘାସ ମୟୂରଭଞ୍ଜ ଜିଲାର ଏକ ବିଶାଳ ଅଞ୍ଚଳରେ ଲୋକଙ୍କୁ କର୍ମନିଯୁକ୍ତି ପ୍ରଦାନ କରିଥାଏ। ବିଶେଷକରି ମୋରଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଶୂଳିଆପଦା, ମୋରଡ଼ା ଓ ରାସଗୋବିନ୍ଦପୁର ବ୍ଲକରେ ଅନେକଙ୍କ ପାଇଁ ଏହା ଜୀବିକା ନିର୍ବାହର ଏକ ପ୍ରମୁଖ ମାଧ୍ୟମ। ଏହି ନିର୍ବାଚନମଣ୍ଡଳୀ ସଂଲଗ୍ନ ଅନ୍ୟାନ୍ୟ ବ୍ଲକର କିଛି ଅଞ୍ଚଳରେ ମଧ୍ୟ ଏହା ପରିବାର ଗୁଜରାଣ ପାଇଁ ସର୍ବନିମ୍ନ ଅର୍ଥ ଉପାର୍ଜନର ମାଧ୍ୟମ। ସମ୍ପୃକ୍ତ ଅଞ୍ଚଳରେ ଏହା ଚାଷର ମାନ୍ୟତା ପାଏ। କୃଷକମାନେ ଉଚ୍ଚ ସମତଳ ପଡ଼ିଆଗୁଡ଼ିକରେ ବୁବେଇ ଚାଷ କରନ୍ତି। ପୂର୍ବେ ଏହି ଘାସର ଚାହିଦା ବହୁତ ଥିଲା। ଚାଷୀମାନେ ଏସବୁ ବିକ୍ରିକରି ବେଶ୍‌ ରୋଜଗାର କରୁଥିଲେ। ଏବେ ଏହାର ଚାହିଦା କମି କମି ଯାଉଥିବା ଯୋଗୁ ଚାଷୀମାନେ ଏହା ଉପରେ ବିଶେଷ ଧ୍ୟାନ ଦେଉନାହାନ୍ତି। ସମ୍ପୃକ୍ତ ଅଞ୍ଚଳରେ ଏହି ଘାସ ତଥା ଏଥିରୁ ତିଆରି ହେଉଥିବା ଦଉଡ଼ିର କିଣାବିକା ପାଇଁ ହାଟ ବସେ। ସ୍ଥାନୀୟ ଅଞ୍ଚଳର ଅର୍ଥନୀତିରେ ଏହାର ଯୋଗଦାନ କିଛି କମ୍‌ ନୁହେଁ। ଅନେକ ଲୋକ ଏଥିରେ ନିୟୋଜିତ ହୁଅନ୍ତି ଓ ବେଶ୍‌ କିଛି ରୋଜଗାର ମଧ୍ୟ କରନ୍ତି।
ବୁବେଇ ଘାସକୁ ଅନେକ ପର୍ଯ୍ୟାୟରେ ବିକ୍ରି କରାଯାଏ। ପ୍ରଥମେ ଚାଷୀ ଏହାକୁ କାଟି ଶୁଖାଇ ବିକ୍ରି କରେ। ଏହାକୁ ବର୍ଷରେ ଦୁଇଥର କଟାଯାଇ ଥାଏ। କିଛି ବ୍ୟବସାୟୀ ଏହାକୁ କିଣି ଗଚ୍ଛିତ ରଖନ୍ତି ଓ ଦାମ୍‌ ବଢ଼ିଲେ ବିକ୍ରିକରି ଲାଭବାନ୍‌ ହୋଇଥା’ନ୍ତି। ସାଧାରଣତଃ ଖରାଦିନେ ଏହାର ଚାହିଦା ବେଶି ରହେ। କିଛି ଘାସ ପେପର ମିଲ୍‌କୁ ଯାଏ। ପେପର ତିଆରି ପାଇଁ ଏହା କଞ୍ଚାମାଲ୍‌ ଭାବେ ବ୍ୟବହାର ହୁଏ। ବାକିତକ ଦଉଡ଼ି ତିଆରିରେ ବ୍ୟବହାର ହୁଏ। ଏଥିରୁ ତିଆରି ଦୁଇପ୍ରକାର ଦଉଡ଼ିର ବ୍ୟବସାୟ ହୁଏ। ଗୋଟିଏ ହେଉଛି ରାଫ୍‌ ଓ ଅନ୍ୟଟି ହେଉଛି ପଲିଶ୍‌। କେତେକ ପରିବାର ଅର୍ଥାଭାବ ଯୋଗୁ ବୋଳାଯାଇଥିବା ଦଉଡ଼ିକୁ ପଲିଶ୍‌ ନ କରି ଓଜନ ଦରରେ ବିକ୍ରି କରିଦିଅନ୍ତି। ବେପାରୀମାନେ ଏହାକୁ କିଣିନେଇ ପଲିଶ୍‌ କରି ବିକନ୍ତି। କେତେକେ ନିଜେ ପଲିଶ୍‌ କରି ବିକନ୍ତି। ଏଥିରୁ ବହୁତ ଲାଭ ହୁଏ ଭାବିବା ଅନୁଚିତ। ତେଲଲୁଣର ସଂସାରକୁ ଆଗେଇନେବା ପାଇଁ ଏହା ଉପରେ ଆଶ୍ରା କରିବାକୁ ବାଧ୍ୟହୁଅନ୍ତି।
ସମ୍ପୃକ୍ତ ଅଞ୍ଚଳର ବିଭିନ୍ନ ଗାଁକୁ ଗଲେ ଦେଖିବେ ପ୍ରାୟ ପ୍ରତ୍ୟେକ ପରିବାରର ବୁଢ଼ାରୁ ଛୁଆ ପର୍ଯ୍ୟନ୍ତ ସକାଳୁ ସନ୍ଧ୍ୟା ଯାଏ ଘର ପିଣ୍ଡା କିମ୍ବା ସାମ୍ନା ଅଗଣାରେ ବସି ବୁବେଇ ଦଉଡ଼ି ବଳୁଛନ୍ତି। ଏହା ତାଙ୍କ ନିତିଦିନିଆ କାମ। ପୁଣି ସକାଳୁ ସକାଳୁ ଦେଖିବେ ଗୋଟିଏ ଚକ୍ରି ଘୂରାଇ ଓଦା ଦଉଡ଼ିକୁ ପାଗ ଦେଉଛନ୍ତି। ଦଉଡ଼ି ଶୁଖିଗଲା ପରେ ତାକୁ ପଲିଶ୍‌ କରିବା ପାଇଁ ରାଞ୍ଜ ଦିଆଯାଏ। ଏ କାମ ଉଦୁଉଦିଆ ଖରାବେଳେ କରାଯାଏ। ଦେଖିବେ ଖରାବେଳେ ରାସ୍ତାକଡ଼ରେ ସ୍ତ୍ରୀଲୋକମାନେ ଗୋଟିଏ ଗଛ ଦେହରେ ଦଉଡ଼ି ଗୋଛାକୁ ଛନ୍ଦି ରାଞ୍ଜ ଦେଉଥାନ୍ତି। ଯେଉଁ ଦଉଡ଼ି ଯେତେ ପଲିଶ୍‌ ଓ ଗୋଟିଏ ସାଇଜ୍‌ର ହେବ ତାହାର ଦାମ୍‌ ସେହି ଅନୁସାରେ ଅଧିକ ହେବ। ସାବେଳେ ପଲିଶ୍‌ ଦଉଡ଼ିର ବଣ୍ଡିଲ ବନା ହୁଏ। ଗୋଟିଏ ବଣ୍ଡିଲରେ ପାଖାପାଖି ଏକ କେଜି ଦଉଡ଼ି ଥାଏ। ବଣ୍ଡିଲ ବନାଇବା କାମ ପ୍ରାୟତଃ ପୁରୁଷମାନେ କରନ୍ତି। ଛୋଟ ଛୋଟ ବଣ୍ଡିଲକୁ ନେଇ ପଚିଶ ତିରିଶ କେଜିର ବଡ଼ ବଣ୍ଡିଲ ତିଆରି ହୁଏ। ତହିଁ ଆରଦିନ ସକାଳୁ ସେଗୁଡ଼ିକୁ ସାଇକେଲରେ ନେଇ ପାଖ ହାଟରେ ବିକ୍ରି କରାଯାଏ। ଯେତେକ ଟଙ୍କା ମିଳେ ସେଥିରୁ ବୁବେଇ ଘାସ କିଣିବା ପାଇଁ ମୂଳ ଟଙ୍କା ରଖି ବାକିତକ ଘରସଉଦା ଲାଗି ଖର୍ଚ୍ଚ କରାଯାଏ। ଏହି ପ୍ରକାରେ ଆର୍ଥିକଚକ୍ର ଚାଲେ।
ଯେଉଁମାନେ ଏହାକୁ ଜୀବିକା ରୂପେ ଗ୍ରହଣ କରିଥା’ନ୍ତି, ସେମାନେ ପ୍ରାୟତଃ ଗରିବ ଓ କ୍ୱଚିତ୍‌ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର। ଅନେକେ ଏହାକୁ ଆନୁଷଙ୍ଗିକ କର୍ମସଂସ୍ଥାନ ରୂପେ ଗ୍ରହଣ କରନ୍ତି। ଅନ୍ୟାନ୍ୟ କାମ କଲାପରେ ଯେଉଁ ସମୟ ବଳେ ସେ ସମୟରେ ଏମାନେ ବୁବେଇ ବଳନ୍ତି। ଏମାନେ ପ୍ରାୟତଃ କ୍ଷୁଦ୍ରଚାଷୀ ଅଥବା ନାମକୁମାତ୍ର ଚାଷୀ ହୋଇଥା’ନ୍ତି। ଅନେକେ ଶ୍ରମିକଭାବେ କାମ କରନ୍ତି। ଯେଉଁ ସମୟରେ କାମଦାମ ମିଳେନାହିଁ ସେତେବେଳେ ଘରେ ବସି ବୁବେଇ ବଳନ୍ତି। ଏହା ବହୁତ ଲାଭଦାୟକ ହୋଇଥିବା ଯୋଗୁ ଏହାକୁ ଲୋକମାନେ ଆପଣେଇଥାଆନ୍ତି ତାହା ନୁହେଁ, ବରଂ ରୋଜଗାରର ଅନ୍ୟ କୌଣସି ମାଧ୍ୟମ ନ ପାଇବା ଯୋଗୁ ଏ କାମକୁ ଗ୍ରହଣ କରିଥା’ନ୍ତି। ଜଣେ ଦିନସାରା ବୁବେଇ ବଳିଲେ ହାରାହାରି ଏକଶହ ଟଙ୍କା ରୋଜଗାର କରିଥାଏ। ପରିଶ୍ରମ ତୁଳନାରେ ଆୟ ବହୁତ କମ୍‌। ତଥାପି ଲୋକେ ‘ବସିବା ଅପେକ୍ଷା କାଶିବା ଭଲ’ ନ୍ୟାୟରେ ଏହାକୁ ଜୀବିକା ରୂପେ ଗ୍ରହଣ କରନ୍ତି।
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ସବାଇ ଗ୍ରାସ୍‌କୁ ମାଡାଗାସ୍କାରରୁ ମୟୂରଭଞ୍ଜକୁ ଆଣିଥିବାର ସୂଚନା ମିଳେ। ଏହାର ଦଉଡ଼ି ଦୃଢ଼ ଓ ଦୀର୍ଘସ୍ଥାୟୀ ହୋଇଥିବା ଯୋଗୁ ଇଂରେଜମାନେ ପ୍ରଥମ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବିଭିନ୍ନ ପ୍ରକାର ବନ୍ଧାବନ୍ଧି କାମ ପାଇଁ ଏହାକୁ ବ୍ୟବହାର କରୁଥିଲେ। ଫଳରେ ଏଥିରୁ ଦଉଡ଼ି ତିଆରି ପାଇଁ ବିଭିନ୍ନ ଅଞ୍ଚଳରେ ଲୋକମାନେ ନିୟୋଜିତ ହେଲେ। କ୍ରମେ ଦଉଡ଼ିର ଚାହିଦା ବଢ଼ିଲା। ବିଶେଷକରି ନିର୍ମାଣ କାର୍ଯ୍ୟରେ ଏହାର ବହୁଳ ଉପଯୋଗ ହେଲା। ଏବେ ମଧ୍ୟ ଏଥିପାଇଁ ଏହାର ବହୁଳ ବ୍ୟବହାର ହେଉଛି। ସାରା ଭାରତବର୍ଷର ବିଭିନ୍ନ ସ୍ଥାନକୁ ଏହି ଦଉଡ଼ି ପ୍ରେରଣ ହୁଏ। ପ୍ଲାଷ୍ଟିକ୍‌ ଦଉଡ଼ି ଏହି ଦଉଡ଼ିର ବିକଳ୍ପ ହୋଇପାରିବ ନାହିଁ। ଯେହେତୁ ବୁବେଇ ଦଉଡ଼ି ଖସରା ନୁହେଁ, ତେଣୁ ଏହାର ଲୋକପ୍ରିୟତା ଅତୁଟ ରହିଛି।
ସବାଇ ଘାସର ଚାଷ କ୍ରମେ ଉଜୁଡ଼ି ଯାଉଛି। କାରଣ ମାଟିର ଉର୍ବରତା କମି କମି ଯାଉଛି। ଏହି ଚାଷ ଆଉ ଲାଭଦାୟକ ହେଉନାହିଁ। ଏହାଛଡ଼ା ପ୍ଲାଷ୍ଟିକ୍‌ ଦଉଡ଼ିର ଆବିର୍ଭାବ ବୁବେଇ ଦଉଡ଼ିର ବହୁଳ ବ୍ୟବହାରକୁ ସୀମିତ କରିଛି। ଏହି କାର୍ଯ୍ୟରେ ଲିପ୍ତ ଲୋକଙ୍କ ରୋଜଗାର ପରିଶ୍ରମ ତୁଳନାରେ ବହୁତ କମ୍‌। ଏବେ ଯୁବତୀଯୁବକମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ପଳାଉଛନ୍ତି। ଯେଉଁମାନେ ଏ ଜୀବିକାକୁ ବଞ୍ଚାଇ ରଖିଛନ୍ତି ଖୁସିରେ ନୁହେଁ, ବରଂ ବାଧ୍ୟବାଧକତାରେ, ବିକଳ୍ପର ଅଭାବରେ। ସାଧାରଣତଃ ଉଚ୍ଚ ଓ ସମତଳ ଜାଗାରେ ସବାଇ ଘାସ ଚାଷ ହୁଏ। ଏ ସମସ୍ତ ସ୍ଥାନରେ ଧାନଚାଷ ଭଲ ହୁଏନାହିଁ। ଏ ଅଞ୍ଚଳରେ ଜଳସେଚନର ସୁବିଧା ନାହିଁ। ସୁବର୍ଣ୍ଣରେଖା ନଦୀର ଜଳ ଆଣିବା ପାଇଁ କେନାଲ ଖୋଳାସରିଛି। ହେଲେ ଚାଳିଶ ବର୍ଷ ହେଲା ଜଳର ଦେଖାନାହିଁ। ସମ୍ପୃକ୍ତ ଅଞ୍ଚଳରେ କୌଣସି ଶିଳ୍ପ ମଧ୍ୟ ନାହିଁ, ଯେଉଁଠାରେ କର୍ମନିଯୁକ୍ତିର ସମ୍ଭାବନା ତିଆରି ହେବ। ଲୋକମାନଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ। ସତେଯେମିତି ଏମାନଙ୍କୁ ନିଜ ହାତରେ ନିଜକୁ ଗଢ଼ିବା ନୀତିରେ ଛାଡ଼ି ଦିଆଯାଇଛି। ଏହି ଅଞ୍ଚଳ ପଶ୍ଚିମବଙ୍ଗ ସହିତ ସଂଯୁକ୍ତ, ପଶ୍ଚିମବଙ୍ଗର ଯେଉଁ ଅଞ୍ଚଳ ଦିନେ ନକ୍ସଲପ୍ରବଣ ଥିଲା।
ଏ ଅଞ୍ଚଳରେ ସବାଇ ଘାସ ସହିତ ବାଉଁଶ ପ୍ରବଳମାତ୍ରାରେ ଉପଲବ୍ଧ। କାଗଜ କାରଖାନା ପାଇଁ କଞ୍ଚାମାଲ୍‌ର ଅଭାବ ହେବନାହିଁ। ତେଣୁକରି ବୃହତ୍‌ ପେପର ମିଲ୍‌ ସ୍ଥାପନ ପାଇଁ ଲୋକମାନେ ଦାବିକରି ଆସିଛନ୍ତି। ସରକାରୀ ହେଉ ଅବା ବେସରକାରୀ ଭାବେ ଏ ଦିଗରେ ଉଦ୍ୟମ ହେବା ଉଚିତ୍‌। ବୁବେଇ ଦଉଡ଼ିରୁ ବିଭିନ୍ନ ପ୍ରକାର ଗୃହ ଉପକରଣ ତିଆରି ହୁଏ, ଯେପରି ସୋଫା, ପାପୋଚ୍ଛ, ଖେଳଣା ଇତ୍ୟାଦି। ଏହି ସାମଗ୍ରୀଗୁଡ଼ିକୁ ଅଧିକ ଲୋକପ୍ରିୟ କରିବା ପାଇଁ ସରକାରୀ ପ୍ରୋତ୍ସାହନ ଲୋଡ଼ା। ଏହା ସହିତ କର୍ମସଂସ୍ଥାନ ସୃଷ୍ଟି ପାଇଁ ଅନ୍ୟାନ୍ୟ ଶିଳ୍ପ ପ୍ରତିଷ୍ଠାନ ବିଷୟରେ ମଧ୍ୟ ଚିନ୍ତା କରାଯିବା ଉଚିତ୍‌। ସମ୍ପୃକ୍ତ ଅଞ୍ଚଳ ଶାଳ ଜଙ୍ଗଲରେ ଭରପୂର। ତେଣୁ ଶାଳପତ୍ର ତିଆରି ସାମଗ୍ରୀର ଉତ୍ପାଦନ ପାଇଁ ଶିଳ୍ପର କଥା ଚିନ୍ତା କରାଯାଇପାରିବ, ଯାହାର ସର୍ବକାଳୀନ ଚାହିଦା ଯଥେଷ୍ଟ ରହିଛି। ଲୋକଙ୍କ ଆର୍ଥିକ ଅବସ୍ଥାରେ ବିକାଶ ଆଣିବା ସରକାରଙ୍କ ଦାୟିତ୍ୱ। ଲୋକପ୍ରତିନିଧିମାନେ ମଧ୍ୟ ଏ ଦିଗରେ ପଦକ୍ଷେପ ନେବା ଅତ୍ୟନ୍ତ ଜରୁରୀ।
ଦର୍ଶନ ବିଭାଗ(ଅବସରପ୍ରାପ୍ତ),
ବାରିପଦା, ମୟୂରଭଞ୍ଜ
ମୋ:୭୦୦୮୯୭୬୧୮୦

The post ସବାଇ ଘାସରୁ ଶିଳ୍ପ ସମ୍ଭାବନା appeared first on Dharitri Odia News.