ସମ୍ପର୍କ ଶିକୁଳି ନ ହେଉ

ବଞ୍ଚିରହିବାର ଲୋଭ ପରି ଯାହା ମଣିଷକୁ ସେହି ପରିମାଣରେ ଓ ସେହି ତୀବ୍ରତାର ସହ ଆକର୍ଷିତ କରିଛି, ତାହା ହେଉଛି ‘ସ୍ବାଧୀନତା’। ତାହା ବ୍ୟକ୍ତି ସ୍ବାଧୀନତା ହେଉ କି ନିଜ ଦେଶମାତୃକାର ସ୍ବାଧୀନତା। କେବଳ ବଞ୍ଚିରହିବା ନୁହେଁ, ସମ୍ମାନର ସହ ଓ ସ୍ବାଧୀନ ଭାବେ ବଞ୍ଚିରହିବା ମଣିଷର ସବୁଠାରୁ ବଡ଼ ଈପ୍ସିତ କାମନା ହୋଇଆସିଛି ଇତିହାସରୁ ଆଜି ଯାଏ। ସେ ଭଗତ ସିଂହ, ସୁଭାଷ ବୋଷ, ଗାନ୍ଧିଜୀ ହୁଅନ୍ତୁ କି ମାର୍ଟିନ ଲୁଥର ଓ ନେଲସନ ମଣ୍ଡେଲା […] The post ସମ୍ପର୍କ ଶିକୁଳି ନ ହେଉ appeared first on Dharitri Odia News.

ସମ୍ପର୍କ ଶିକୁଳି ନ ହେଉ

ବଞ୍ଚିରହିବାର ଲୋଭ ପରି ଯାହା ମଣିଷକୁ ସେହି ପରିମାଣରେ ଓ ସେହି ତୀବ୍ରତାର ସହ ଆକର୍ଷିତ କରିଛି, ତାହା ହେଉଛି ‘ସ୍ବାଧୀନତା’। ତାହା ବ୍ୟକ୍ତି ସ୍ବାଧୀନତା ହେଉ କି ନିଜ ଦେଶମାତୃକାର ସ୍ବାଧୀନତା। କେବଳ ବଞ୍ଚିରହିବା ନୁହେଁ, ସମ୍ମାନର ସହ ଓ ସ୍ବାଧୀନ ଭାବେ ବଞ୍ଚିରହିବା ମଣିଷର ସବୁଠାରୁ ବଡ଼ ଈପ୍ସିତ କାମନା ହୋଇଆସିଛି ଇତିହାସରୁ ଆଜି ଯାଏ। ସେ ଭଗତ ସିଂହ, ସୁଭାଷ ବୋଷ, ଗାନ୍ଧିଜୀ ହୁଅନ୍ତୁ କି ମାର୍ଟିନ ଲୁଥର ଓ ନେଲସନ ମଣ୍ଡେଲା ହୁଅନ୍ତୁ, ସମସ୍ତେ ସ୍ବାଧୀନତା ପାଇଁ ନିଜ ବ୍ୟକ୍ତିଗତ ସୁଖ ସମୃଦ୍ଧିକୁ ଜଳାଞ୍ଜଳି ଦେବାର ଅନେକ ନଜିର ଅଛି। ଇତିହାସରୁ ନେଇ ଆଜି ଯାଏ ସ୍ବାଧୀନତାକୁ ନେଇ ମଣିଷର ଚେତନା ଧୀରେ ଧୀରେ ବିକଶିତ ହେବାରେ ଲାଗିଛି। ସମ୍ପର୍କରେ ସ୍ବାଧୀନତା ବ୍ୟକ୍ତି ସ୍ବାଧୀନତାର ଗୋଟେ ଗୁରୁତ୍ୱପୂର୍ଣ୍ଣ ଦିଗ। ଯଦି ଆମେ ବ୍ୟକ୍ତି ସ୍ବାଧୀନତାର ସପକ୍ଷବାଦୀ ତେବେ ସମ୍ପର୍କରେ ସ୍ବାଧୀନତାର ଗୁରୁତ୍ୱକୁ ନିଶ୍ଚୟ ଅନୁଭବ କରିପାରିବା। ଯଦି ପ୍ରିୟ ମଣିଷଙ୍କ ପାଖରେ ନିଜକୁ ମୁକ୍ତ ଅନୁଭବ କରାଯାଇପାରୁନାହିଁ, ତେବେ ସେ ସମ୍ପର୍କର ନିଦାପଣ ଉପରେ ନିଶ୍ଚୟ ପ୍ରଶ୍ନ ଉଠିବ। ସମ୍ପର୍କ ବା ରିଲେଶନଶିପର ଅର୍ଥ କ’ଣ କେବଳ ଜଣକ ପାଖରେ ବାନ୍ଧି ହୋଇରହିବା! ସେ ରକ୍ତର ସମ୍ପର୍କ ହେଉ କି ଅନ୍ତରର ଆକର୍ଷଣରୁ ତିଆରି ହୋଇଥିବା ସମ୍ପର୍କ ହେଉ ପ୍ରତ୍ୟେକ ସମ୍ପର୍କରେ ଯେହେତୁ ବ୍ୟକ୍ତି ଜଡ଼ିତ, ତେଣୁ ସ୍ବାଧୀନତାର ଇଚ୍ଛା ରଖିବା ଏକ ସହଜାତ ପ୍ରବୃତ୍ତି। ସମ୍ପର୍କରେ ସ୍ବାଧୀନତାର ଅର୍ଥ ପରସ୍ପରଙ୍କ ସହ ଭବନାତ୍ମକ ସ୍ତରରେ ସଂଯୁକ୍ତ ରହି ନିଜ ବ୍ୟକ୍ତିସତ୍ତା, ସ୍ବାୟତ୍ତତା ଓ ପାରସ୍ପରିକ ସମ୍ମାନକୁ ବଜାୟ ରଖିବା। ଅନେକଙ୍କର ଏକ ଭୁଲ୍‌ ବୁଝାମଣା ଥାଏ ଯେ, ସମ୍ପର୍କରେ ସ୍ବାଧୀନତା ଅର୍ଥ ପରସ୍ପର ପ୍ରତି ଉଦାସୀନତା ଓ ଦୁର୍ବଳ ସଙ୍କଳ୍ପବଦ୍ଧତାକୁ ପ୍ରକାଶ କରିଥାଏ। କିନ୍ତୁ ବାସ୍ତବରେ ସ୍ବାଧୀନତା ସମ୍ପର୍କକୁ ଅଧିକ ଦୃଢ଼ କରିଥାଏ। ସ୍ବାଧୀନତା ଯୋଗୁ ସମ୍ପର୍କର ଉଭୟ ପକ୍ଷରେ ଥିବା ବ୍ୟକ୍ତି ଅଧିକ ସ୍ବଚ୍ଛନ୍ଦ, ମୁକ୍ତ ଓ ଖୁସି ଅନୁଭବ କରିଥାନ୍ତି, ଯେଉଁଥିପାଇଁ ସେମାନେ ସମ୍ପର୍କରେ ସମ୍ପୂର୍ଣ୍ଣ ହୃଦୟକୁ ଢାଳିଦେବା ପାଇଁ ପ୍ରେରଣା ଅନୁଭବ କରିଥାନ୍ତି।
ସମ୍ପର୍କ ଯେହେତୁ ମୁଖ୍ୟତଃ ଦୁଇଟି ବ୍ୟକ୍ତିଙ୍କ ମଧ୍ୟରେ ଗଢ଼ିଉଠିଥାଏ, ତେଣୁ ସମ୍ପର୍କରେ ବ୍ୟକ୍ତିସତ୍ତାର ସ୍ବତନ୍ତ୍ରତା ରହିବା ନିହାତି ଆବଶ୍ୟକ। ସମ୍ପର୍କରେ ଯଦି ସ୍ବାଧୀନତା ତଥା ମୁକ୍ତ ଭାବନା ରହିବ, ତେବେ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତି ନିଜକୁ ହରେଇ ନ ଦେଇ ନିଜର ସ୍ବତନ୍ତ୍ରତା ରକ୍ଷାକରି ସମ୍ପର୍କରେ ନିର୍ବିଘ୍ନରେ ଭାଗନେଇପାରିବେ। ଗୋଟେ ସୁସ୍ଥ ସମ୍ପର୍କ ପ୍ରତିଷ୍ଠା ପାଇଁ ବ୍ୟକ୍ତିତ୍ୱର ବିକାଶ ଜରୁରୀ ବା ଗୋଟେ ବାସ୍ତବିକ ସୁସ୍ଥ ସମ୍ପର୍କରେ ଜଡ଼ିତ ଉଭୟ ପକ୍ଷଙ୍କର ବ୍ୟକ୍ତିତ୍ୱର ବିକାଶ ହୋଇଥାଏ। ସ୍ବାଧୀନତା, ସମ୍ପର୍କର ଉଭୟ ପକ୍ଷରେ ଥିବା ବ୍ୟକ୍ତିଙ୍କର ବ୍ୟକ୍ତିତ୍ୱ ବିକାଶକୁ ନିଶ୍ଚିତ କରିଥାଏ। ଉଭୟଙ୍କୁ ଉପଯୁକ୍ତ ସ୍ଥାନ (ସ୍ପେସ୍‌) ବା ସୁଯୋଗ ପ୍ରାପ୍ତି ହେଲେ ଏହା ସମ୍ପର୍କରେ ଥିବା ଦୃଢ଼ବିଶ୍ୱାସକୁ ପ୍ରତିଫଳିତ କରିଥାଏ ଓ ପରସ୍ପରଙ୍କ ପ୍ରତି ଥିବା ଭାବାବେଗକୁ ମଜଭୁତ କରିଥାଏ। ସମ୍ପର୍କରେ ସ୍ବାଧୀନତା ରହିଲେ ଏହା ଭାବନାତ୍ମକ ନିର୍ଭରଶୀଳତାକୁ କମ୍‌ କରିଥାଏ। ପରସ୍ପର ପ୍ରତି ମାତ୍ରାଧିକ ନିର୍ଭରଶୀଳତା ରହିଲେ ମନରେ ଧୀରେ ଧୀରେ ତିକ୍ତଭାବ ଆସିବା ସହ ଗୋଟେ ସମୟରେ ଶ୍ୱାସରୋଧ ପରି ଅନୁଭବ ହେବା ଆରମ୍ଭ ହୁଏ। ଏହି ପରିସ୍ଥିତିକୁ ଏଡ଼ାଇବା ପାଇଁ ସମ୍ପର୍କରେ ଉଭୟଙ୍କ ପାଇଁ ସ୍ବାଧୀନତା ରହିବା ଜରୁରୀ। ଏହାଦ୍ବାରା ଉଭୟଙ୍କ ମଧ୍ୟରେ ଯୋଗାଯୋଗ ମଧ୍ୟ ସୁରୁଖୁରୁରେ ହୋଇଥାଏ। ଉଭୟ ମୁକ୍ତ ଅନୁଭବ କଲେ ହିଁ ମନର ଭାବ ସଚ୍ଚୋଟତାର ସହିତ ଓ ସହଜରେ ପ୍ରକାଶ ହୋଇଥାଏ। ପ୍ରତ୍ୟେକ ବ୍ୟକ୍ତିର ନିଜ ଜୀବନକୁ ନେଇ କିଛି ଲକ୍ଷ୍ୟ ଥାଏ। ବ୍ୟକ୍ତିସତ୍ତାର ସ୍ବାଧୀନତା ତଥା ଏକ ବନ୍ଧନମୁକ୍ତ ସମ୍ପର୍କ ଆମକୁ ଆମ ଲକ୍ଷ୍ୟ ଦିଗରେ ନିର୍ବିଘ୍ନରେ ବାଟ କଢ଼େଇ ନେଇଥାଏ। ସମ୍ପର୍କରେ ପରସ୍ପରଙ୍କ ପ୍ରତି ଅଯଥା ବନ୍ଧନ ରହିଲେ, ଧୀରେ ଧୀରେ ସମ୍ପର୍କରେ ବିଷ ଭରିଯାଏ ଓ ଗୋଟିଏ ସମୟ ଆସେ ଯେତେବେଳେ ଉଭୟ ସମ୍ପର୍କରୁ ମୁକ୍ତି ଚାହିଁଥାନ୍ତି। ସମ୍ପର୍କରେ ଉଭୟଙ୍କ ପାଇଁ ସ୍ବାଧୀନତା ବଜାୟ ରହିଲେ ସାମାଜିକ ଜୀବନ ଅଧିକ ବ୍ୟାପକ ଓ ସୁଖମୟ ହୋଇଥାଏ। ନିର୍ଦ୍ଦିଷ୍ଟ ସମ୍ପର୍କ ବାହାରେ ମଧ୍ୟ ଉଭୟଙ୍କର ସାମାଜିକ ପରିସୀମା ବଢ଼ିଥାଏ। ପ୍ରତ୍ୟେକ ବ୍ୟକ୍ତିଙ୍କୁ ସ୍ବାଧୀନତା ମିଳିଲେ ସେମାନେ ଖୁସି ଅନୁଭବ କରିବା ସହ ମାନସିକ ଭାବେ ଅଧିକ ପୂର୍ଣ୍ଣତା ଅନୁଭବ କରିଥାନ୍ତି। ସମ୍ପର୍କରେ ଅଯଥାରେ ଅଧିକାର ଜାହିର କରିବା ଦ୍ୱାରା ଅପରପକ୍ଷକୁ ଫସି ଯିବା ପରି ମନେହୋଇଥାଏ ଓ ମନରେ ପ୍ରଚୁର ଅସନ୍ତୋଷ ଭାବ ଆସିଥାଏ। ବାସ୍ତବରେ କହିବାକୁ ଗଲେ ସ୍ବାଧୀନତା ହିଁ ସମ୍ପର୍କକୁ ଜୀବନ୍ତ ରଖିଥାଏ। ଅନେକ କ୍ଷେତ୍ରରେ ଦେଖାଯାଏ, ସମ୍ପର୍କରେ ପରସ୍ପରଙ୍କ ପାଇଁ ସ୍ବାଧୀନତା ନ ଥିବା ଯୋଗୁ ଉଭୟେ ଖୁବ୍‌ ଶୀଘ୍ର ସମ୍ପର୍କରୁ ଆଗ୍ରହ ହରାଇବସିଥାନ୍ତି।
କିନ୍ତୁ ଏହି ସ୍ବାଧୀନତା ଉଚ୍ଛୃଙ୍ଖଳତାରେ ପରିଣତ ହେବା ଉଚିତ ନୁହେଁ। ଏହା ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ଆଣିପାରେ। ପରସ୍ପରଙ୍କ ପାଇଁ ସ୍ବାଧୀନତା ନାମରେ ପରସ୍ପରକୁ ଅବହେଳା କରାଯିବା ଉଚିତ ନୁହେଁ। ଅବହେଳା ମନରେ ସନ୍ଦେହ ତଥା ଅବିଶ୍ବାସ ଭରିଦେଇପାରେ। ତେଣୁ ସ୍ବାଧୀନତା, ସମ୍ପର୍କ ପ୍ରତି ଉଦାସୀନ ଭାବ ଯେପରି ନ ଆଣେ ସେଥିପ୍ରତି ସଚେତନ ରହିବା ଉଚିତ। ସମ୍ପର୍କରେ ସବୁଠୁ ବଡ଼ କଥା ହେଉଛି ପରସ୍ପରଙ୍କ ଭାବନାକୁ ଉଚିତ ସମ୍ମାନଦେବା। ସ୍ବାଧୀନତା ନାମରେ ଏହା ବ୍ୟାଘାତ ହେବା ଉଚିତ ନୁହେଁ। ସ୍ବାଧୀନତା ନାମରେ ପରସ୍ପରଙ୍କ ପ୍ରତି ଥିବା ସଙ୍କଳ୍ପବଦ୍ଧତା ଓ ବିଶ୍ୱାସ ଆଦୌ ବି ଦୁର୍ବଳ ହେବା ଉଚିତ ନୁହେଁ। ଏହା ସମ୍ପର୍କର ମୂଳଦୁଆକୁ ଦୁର୍ବଳ କରିଦେଇପାରେ। ଏକ ସୁସ୍ଥ ସମ୍ପର୍କ ସ୍ଥାପନ ପାଇଁ ଧୈର୍ଯ୍ୟ ଓ ବୁଝାମଣା ସବୁବେଳେ ଜରୁରୀ ହୋଇଥାଏ। ପରସ୍ପରଙ୍କ ଦୁର୍ବଳତାକୁ ବୁଝି ସହଜତାର ସହ ଗ୍ରହଣକରି ଭାବନାକୁ ସମ୍ମାନଦେଇ ସଚ୍ଚୋଟତାର ସହିତ ମତ ପ୍ରକାଶକଲେ ଉଭୟ ଆଗକୁ ବଢ଼ିବା ସହ ସମ୍ପର୍କ ବି ଆଗକୁ ବଢ଼ିଥାଏ।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର
ମୋ: ୯୪୩୮୪୬୮୪୭୪

The post ସମ୍ପର୍କ ଶିକୁଳି ନ ହେଉ appeared first on Dharitri Odia News.