ସମ୍ବିଧାନ ଓ ଶୃଙ୍ଖଳା
ସ୍ୱାଧୀନତା ପରେ ଖ୍ରୀ.୧୯୫୦ ଜାନୁୟାରୀ ୨୬ ତାରିଖରେ ଯଶସ୍ୱୀ ରାଷ୍ଟ୍ରନାୟକମାନଙ୍କ ଦ୍ୱାରା ସ୍ୱତନ୍ତ୍ର ନିଜସ୍ୱ ସମ୍ବିଧାନ ପ୍ରଚଳନ କରାଗଲା, ଯାହାର ନୀତିଖସଡ଼ା ସମଗ୍ର ଭାରତୀୟଙ୍କୁ ଗୌରବାନ୍ୱିତ କରିବା ସହ ସାମଗ୍ରିକ ବିକାଶ ଏବଂ ଶାନ୍ତିପୂର୍ଣ୍ଣ ସହାବସ୍ଥାନର ବାର୍ତ୍ତା ପ୍ରଦାନ କରି ଶାନ୍ତି, ମୈତ୍ରୀ, ପ୍ରୀତି ସହ ବୈଶ୍ୱିକ କୁଟୁମ୍ବର ଚିନ୍ତାଧାରାକୁ ପ୍ରଶସ୍ତିତ କଲା। ସମସ୍ତ ଜାତି, ଧର୍ମ, ବର୍ଣ୍ଣ, ବର୍ଗର ଜନସମୂହଙ୍କୁ ଏକ ରାଷ୍ଟ୍ର ବନ୍ଧନରେ ବାନ୍ଧି ଧର୍ମନିରପେକ୍ଷ, ସାର୍ବଭୌମ ରାଷ୍ଟ୍ରର ମାନ୍ୟତା ପ୍ରଦାନ କଲା ନୂତନ […]

ସ୍ୱାଧୀନତା ପରେ ଖ୍ରୀ.୧୯୫୦ ଜାନୁୟାରୀ ୨୬ ତାରିଖରେ ଯଶସ୍ୱୀ ରାଷ୍ଟ୍ରନାୟକମାନଙ୍କ ଦ୍ୱାରା ସ୍ୱତନ୍ତ୍ର ନିଜସ୍ୱ ସମ୍ବିଧାନ ପ୍ରଚଳନ କରାଗଲା, ଯାହାର ନୀତିଖସଡ଼ା ସମଗ୍ର ଭାରତୀୟଙ୍କୁ ଗୌରବାନ୍ୱିତ କରିବା ସହ ସାମଗ୍ରିକ ବିକାଶ ଏବଂ ଶାନ୍ତିପୂର୍ଣ୍ଣ ସହାବସ୍ଥାନର ବାର୍ତ୍ତା ପ୍ରଦାନ କରି ଶାନ୍ତି, ମୈତ୍ରୀ, ପ୍ରୀତି ସହ ବୈଶ୍ୱିକ କୁଟୁମ୍ବର ଚିନ୍ତାଧାରାକୁ ପ୍ରଶସ୍ତିତ କଲା। ସମସ୍ତ ଜାତି, ଧର୍ମ, ବର୍ଣ୍ଣ, ବର୍ଗର ଜନସମୂହଙ୍କୁ ଏକ ରାଷ୍ଟ୍ର ବନ୍ଧନରେ ବାନ୍ଧି ଧର୍ମନିରପେକ୍ଷ, ସାର୍ବଭୌମ ରାଷ୍ଟ୍ରର ମାନ୍ୟତା ପ୍ରଦାନ କଲା ନୂତନ ଜାତୀୟ ସମ୍ବିଧାନ। ସମ୍ବିଧାନ ଅର୍ଥ ହେଉଛି ସମ+ବିଧାନ। ଅର୍ଥାତ୍ ସାମ୍ୟ ବିଧାନ। ସମ୍ବିଧାନ ଏପରି ଏକ ଶୁଦ୍ଧ, ସଂସ୍କାରିତ ଓ ନିଷ୍ପକ୍ଷ ଶାସନ ଖସଡ଼ା, ଯାହାଦ୍ୱାରା ଏକ ଦେଶାଧୀନ ଅନେକ ରାଜ୍ୟ ଅନୁବନ୍ଧିତ ହୋଇଥା’ନ୍ତି। ଏଠାରେ ସମସ୍ତ ଶାସନ କାଳ, ରାଜନୈତିକ ଦଳ, ବିଚାରବିଭାଗ ସମସ୍ତେ ନିଜ ନିଜର ଗୁରୁଦାୟିତ୍ୱ ପ୍ରତିପାଳନ କରି ଭାରତର ସାର୍ବଭୌମତ୍ୟ, ଅଖଣ୍ଡତା ଓ ନିରପେକ୍ଷତା ବଜାୟ ରଖିବାର ସଂକଳ୍ପ ନେଇଥା’ନ୍ତି। ଏହାର ମୁଖବନ୍ଧରେ ଲିଖିତ ଅଛି- ଭାରତ ଏକ ସାର୍ବଭୌମ, ନିରପେକ୍ଷ, ଗଣତନ୍ତ୍ର ରାଷ୍ଟ୍ର, ଯାହା ଆମକୁ ସାମାଜିକ, ରାଜନୈତିକ, ଅର୍ଥନୈତିକ ଦିଗରେ ସାମ୍ୟବିଚାର ପ୍ରଦାନ କରେ। ବାକ୍ ପ୍ରକାଶ, ବିଶ୍ୱାସ, ପ୍ରାର୍ଥନା ଆଦିର ସ୍ୱାଧୀନତା ମଧ୍ୟ ପ୍ରଦାନ କରେ ଏବଂ ସମସ୍ତଙ୍କ ପାଇଁ ସମାନ ସୁବିଧା ସୁଯୋଗ ଉପଲବ୍ଧି କରାଏ। ଭାରତ ତା’ର ସମସ୍ତ ବର୍ଗ ନାଗରିକଙ୍କୁ ନିଜସ୍ୱ ସମ୍ମାନ ରକ୍ଷା କରିବା ସହ ସମସ୍ତଙ୍କ ସହଯୋଗ ଓ ରାଷ୍ଟ୍ରୀୟ ସୁରକ୍ଷାର ଆଶ୍ୱାସନା ପ୍ରଦାନ କରେ।
ସମ୍ବିଧାନ ଏପରି ଏକ ଶୁଦ୍ଧପୂତ ଶାସନ ଖସଡ଼ା, ଯାହା ଗଣତନ୍ତ୍ରର ତିନୋଟି ସ୍ତମ୍ଭ ଯଥା- କାର୍ଯ୍ୟକାରିଣୀ, ବିଚାରବିଭାଗ ଓ ବୈଧାନିକ ବିଭାଗରୁ ସକାରାତ୍ମକ ପଦ୍ଧତିରେ ଦେଶସେବା ନିମନ୍ତେ ସୁଦୃଢ଼ କରିଥାଏ। ଗଣତନ୍ତ୍ର ବିଧିବ୍ୟବସ୍ଥାକୁ ସଶକ୍ତ କରିବାକୁ ହେଲେ ଏହି ତିନିସ୍ତମ୍ଭର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ବେଳେ ଅଘୋଷିତ ଚତୁର୍ଥ ସ୍ତମ୍ଭରୂପେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସମ୍ବିଧାନ ଏକ ନୈତିକ ଆଧାରିତ ରାଷ୍ଟ୍ରୀୟ ଗ୍ରନ୍ଥ, ଯାହା ସମଗ୍ର ମାନବ ସମାଜକୁ ଶୃଙ୍ଖଳିତ ଜୀବନଚର୍ଯ୍ୟା ଅନୁପାଳନ କରିବାର ସାମର୍ଥ୍ୟ ରଖେ। ସମ୍ବିଧାନ ସମ୍ମୁଖରେ ଉଚ୍ଚନୀଚ ଭେଦଭାବ ଦୃଶ୍ୟମାନ ହୁଏ ନାହିଁ।
ପରିତାପର ବିଷୟ ଯେ ସାମ୍ପ୍ରତିକ ଆଧୁନିକ ସମାଜ ଯେତେ ଯାନ୍ତ୍ରିକ ବିକାଶୋନ୍ମୁଖୀ ହେଉଛି, ତତ୍ମାତ୍ରାରେ ସମ୍ପର୍କ ଓ ସାମାଜିକ ଆବେଗଭିତ୍ତିକ ମାନବୀୟ ମୂଲ୍ୟବୋଧ ସେତେ ପତନୋନ୍ମୁଖୀ ହେଉଛି। ରାଜନୈତିକ ଦଳମାନେ ନିଜନିଜର ଭୋଟ ପ୍ରତିଶତ ବୃଦ୍ଧି କରିବା ଲକ୍ଷ୍ୟରେ ଅନ୍ତର୍ଜାତୀୟ ବ୍ୟାଙ୍କରୁ ଋଣ ଆଣି, ଜନତାଙ୍କଠାରୁ କର ଆଦାୟ କରି କୌଣସି ଜନହିତକର ପ୍ରକଳ୍ପକୁ କାର୍ଯ୍ୟକାରୀ ନକରି ମାଗଣା ଟଙ୍କା, ଭତ୍ତା, ଦ୍ରବ୍ୟ, ଆହାର ବଣ୍ଟନ କରିବାରେ ବ୍ୟସ୍ତ। ଅଟଳବିହାରୀ ବାଜପେୟୀଙ୍କ ଭଳି ସ୍ୱନାମଧନ୍ୟ ପ୍ରଧାନମନ୍ତ୍ରୀ ମଧ୍ୟ ଏହି କୁତ୍ସିତ ରାଜନୈତିକ ଚାଲବାଜିକୁ ନାପସନ୍ଦ କରି କେବଳ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଲୋକକଲ୍ୟାଣକାରୀ ଯୋଜନାକୁ ପ୍ରୋତ୍ସାହିତ କରିଥିଲେ। କୌଣସି ରାଷ୍ଟ୍ରକୁ ନିମ୍ନଗାମୀ, ସ୍ଥାଣୁ କରିବାକୁ ହେଲେ ମାଗଣା ଖାଦ୍ୟ ବଣ୍ଟନ ଯଥେଷ୍ଟ ବୋଲି ଅନେକ ଯୁଗ ପ୍ରବର୍ତ୍ତକ, ସାମାଜିକ ଦାର୍ଶନିକ ତାଙ୍କର ବହୁମୂଲ୍ୟ ଉପଦେଶ ଛଳରେ କହିଛନ୍ତି। ଭାରତରେ ବର୍ତ୍ତମାନ ୭୦% ଯୁବକ ଥିବାରୁ ଗ୍ରାମୀଣ ପରିବେଶ କର୍ମବିମୁଖ ହୋଇପଡ଼ୁଛି। ଏହା ହିଁ ସାମାଜିକ ଓ ସାମ୍ବିଧାନିକ ବିଶୃଙ୍ଖଳା। ଦୀର୍ଘସୂତ୍ରୀ ଅର୍ଥ ଉପାର୍ଜନକ୍ଷମ ପ୍ରକଳ୍ପ ରାଜନୈତିକ ଇଚ୍ଛାଶକ୍ତି ଓ ଦୂରଦୃଷ୍ଟି ଅଭାବରୁ ପ୍ରାରମ୍ଭ ହେଉନାହିଁ। ପରିବେଶ ପ୍ରଦୂଷଣ କ୍ଷେତ୍ରରେ ଅତିନଗଣ୍ୟ ପ୍ରଚେଷ୍ଟା ଉତ୍ତରପିଢ଼ିଙ୍କୁ ବିପଦୋନ୍ମୁଖୀ କରୁଛି। ଭୋଟ ରାଜନୀତି କଥା ଅତ୍ୟନ୍ତ ପୀଡ଼ାଦାୟକ। କିଛି ଅର୍ଥର ପ୍ରଲୋଭନ, ଭୁଲ-ଠିକ ନିର୍ଦ୍ଧାରଣ କରିବା ଦକ୍ଷତାକୁ ପ୍ରଭାବିତ କରି ନ୍ୟୂନ ସ୍ୱାର୍ଥାଚ୍ଛନ୍ନ କରି ରଖିଥିବାରୁ ରାଜନେତା ଚୟନରେ ବିଶୃଙ୍ଖଳା ସୃଷ୍ଟି ହେଉଛି। ଏହି ଅନିୟମିତତା ଗଣତନ୍ତ୍ରର ସୁଦୃଢ଼ ମାନଦଣ୍ଡକୁ ଦୋଳାୟିତ କରି ଗଣତନ୍ତ୍ରର ସ୍ୱାଭିମାନ ପ୍ରତି କୁଠାରଘାତ କରୁଛି। ଭ୍ରଷ୍ଟ ରାଜନେତାଙ୍କ ଅଭିଳାଷ ଚରିତାର୍ଥ କରିବା ଆଶା, ଆକାଂକ୍ଷା ରାଷ୍ଟ୍ରୀୟ ସ୍ତରରେ ସନ୍ତୁଳିତ ଅଗ୍ରଗାମୀ ବିକାଶ ପଥକୁ ପ୍ରତିରୋଧ କରୁଛି। ଏହା ସାମ୍ବିଧାନିକ ମୂଳ ଲକ୍ଷ୍ୟ ପ୍ରତି ମଧ୍ୟ ବିଶ୍ୱାସଘାତ। ଦଳ ପ୍ରତି ଅଙ୍ଗୀକାରବଦ୍ଧତା ରଖୁନଥିବା ରାଜନୈତିକ ବ୍ୟକ୍ତିତ୍ୱ ରାଷ୍ଟ୍ରପ୍ରତି କେତେ ଅଙ୍ଗୀକାରବଦ୍ଧ ହେବେ ତାହା ବିଚାର୍ଯ୍ୟ। ଦଳବଦଳ ଆଇନର ଅପବ୍ୟବହାର ନିଶ୍ଚିତ ରୂପେ ଗଣତନ୍ତ୍ର ଶୃଙ୍ଖଳା ପ୍ରତି ବିପଜ୍ଜନକ। ଉଭୟ ସଦନ ଗଣତନ୍ତ୍ରର ପୂଜ୍ୟ ଆରାଧନା ସ୍ଥଳୀ ହୋଇଥିବା ବେଳେ ଏହାର ଗର୍ଭଗୃହରେ ରାଜନେତାଙ୍କ ବିଶୃଙ୍ଖଳିତ ଆଚରଣ କେତେ ସ୍ପୃହଣୀୟ ତାହା ଚିନ୍ତନଯୋଗ୍ୟ। ରାଷ୍ଟ୍ରର ମର୍ଯ୍ୟାଦା ଏହି ଗୃହଦ୍ୱୟରୁ ପ୍ରଦର୍ଶିତ ହୋଇ ସାରାବିଶ୍ୱକୁ ପ୍ରସାରିତ ହୁୁଏ। ଏହାର ଅବକ୍ଷୟମୁଖୀ ଅବସ୍ଥା ଗଣତନ୍ତ୍ର ପ୍ରେମୀ ଭାରତୀୟଙ୍କୁ ଚିନ୍ତିତ କରୁଛି। ଶାସନ ତନ୍ତ୍ର ସମ୍ବିଧାନର ରକ୍ଷକ, ତା’ର ପ୍ରଭୁ ନୁହେଁ, ଏହା ସର୍ବଦା ସ୍ମରଣୀୟ ହେବା କଥା। ସ୍ୱଚ୍ଛ, ଗଣଧର୍ମୀ ଶାସନ ତନ୍ତ୍ର ସମ୍ବିଧାନର ପରିପାଳକ ହେଲେ ଗଣତନ୍ତ୍ର ସୁଦୃଢ଼ ହେବ।
ବିଚାର ବିଭାଗ ଯଦି ନିଃସ୍ୱାର୍ଥପର ମାନସିକତାରେ ସ୍ୱଚ୍ଛ, କଠୋର ହେବ ଏବଂ ସାମ୍ବିଧାନିକ ବିଚାର ପ୍ରକ୍ରିୟା ପ୍ରତିଷ୍ଠିତ ହେବ, ତେବେ ସମ୍ବିଧାନର ଔଜ୍ଜ୍ୱଲ୍ୟ ବିକିରଣ ହୋଇ ବିଶ୍ୱାସର ବାତାବରଣ ଅନୁଭୂତ ହେବ।
ଶାସନତନ୍ତ୍ରରେ ଅମଲାତନ୍ତ୍ର ସାଧାରଣ ଜନତାଙ୍କ ସେବକ ରୂପେ ଶପଥ ନେଇ କାର୍ଯ୍ୟାରମ୍ଭ କରୁଥିଲେ ସୁଦ୍ଧା ସମୟ ଅତିକ୍ରାନ୍ତେ ଚାରିତ୍ରିକ ଅବକ୍ଷୟ ସହ ଅର୍ଥଲାଳସା ପ୍ରବୃତ୍ତିର ଜାଗ୍ରତ ହେତୁ ଗଣତନ୍ତ୍ରର ସର୍ବନିମ୍ନ ଆଭିମୁଖ୍ୟ ମର୍ଯ୍ୟାଦାର ଅବକ୍ଷୟ ହେଉଛି। ବିଚାର ବିଭାଗର ପ୍ରଲମ୍ବିତ ପ୍ରକ୍ରିୟା ତ୍ୱରିତ ନ୍ୟାୟ ପ୍ରଦାନରେ ଅକ୍ଷମ ହେବାରୁ ଏ ସମସ୍ତ ଅନିୟମିତା ଓ ଅସ୍ବାଭାବିକତା ପ୍ରସ୍ଫୁଟିତ ଓ ବିବର୍ଦ୍ଧିତ ହେଉଛି। ଏଣୁ ସମ୍ବିଧାନର ନ୍ୟାୟିକ ଓ କାର୍ଯ୍ୟକାରିଣୀ ସ୍ତମ୍ଭ ଏହାର ତୁରନ୍ତ ଉପଚାର କରିବା ବିଧେୟ। ଗଣମାଧ୍ୟମ ସମ୍ବିଧାନର ଚତୁର୍ଥ ସ୍ତମ୍ଭ ରୂପେ ସମାଜର ସର୍ବନିମ୍ନ ମୌଳିକ ଆବଶ୍ୟକତା, ଜନତାଙ୍କ ଦାବି ଓ ଅଧିକାର, ବିକାଶ ଯୋଜନାର ନୂତନ ରୂପରେଖ ଓ ତା’ର ଆଭିମୁଖ୍ୟ, ସଫଳ କାର୍ଯ୍ୟାନ୍ୱୟନର ମୂଲ୍ୟାଙ୍କନ, ସାମାଜିକ ବିଧିବ୍ୟବସ୍ଥାର ସଫଳ ରୂପାୟନ, ଦୁର୍ନୀତି ନିବାରଣ ଏବଂ ଶାନ୍ତି, ମୈତ୍ରୀ, ପ୍ରୀତିପୂର୍ଣ୍ଣ ସହାବସ୍ଥାନର ବାର୍ତ୍ତା ପ୍ରସାରଣ କରି ଅନ୍ୟ ସ୍ତମ୍ଭଙ୍କ ଉପରେ ନୈତିକ ଚାପ ପ୍ରୟୋଗ କରେ। ଗଣମାଧ୍ୟମ ହିଁ ସାଧାରଣ ଜନତାଙ୍କ ପ୍ରକୃଷ୍ଟ ଅସ୍ତ୍ର ଏବଂ ସମାଜବନ୍ଧୁ ଭାବେ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ। ଏହା ଶାସକ ଓ ଶାସିତଙ୍କ ମଧ୍ୟରେ ଶାଶ୍ୱତ ସମ୍ପର୍କ ସୃଷ୍ଟି କରିବାରେ ସିଦ୍ଧହସ୍ତ। କିନ୍ତୁ ଅବସୋସର ବିଷୟ ଗଣମାଧ୍ୟମ ଶାସନତନ୍ତ୍ରର ହାତବାରିସୀ ସାଜୁଥିବା ନେଇ କ୍ଷୋଭ ପ୍ରକାଶ ପାଉଛି। ଗଣମାଧ୍ୟମ ସାମାନ୍ୟ କକ୍ଷଚ୍ୟୁତ ହେଲେ ଗଣତନ୍ତ୍ରର ସଂଘୀୟ ଢାଞ୍ଚା ଭୁଶୁଡ଼ି ପଡ଼ିବ।
ସମ୍ବିଧାନର ସୁରକ୍ଷା ରାଷ୍ଟ୍ରହିତ ନିମନ୍ତେ ଅପରିହାର୍ଯ୍ୟ। ତେଣୁ ସର୍ବକ୍ଷେତ୍ରରେ ଶୃଙ୍ଖଳିତ ଆଚରଣ, ଉଚ୍ଚାରଣ ସହିତ ଦୁର୍ନୀତି ମୂଳୋତ୍ପାଟନ ନିମନ୍ତେ ପ୍ରତିଶ୍ରୁତିବଦ୍ଧତା, ସାମଗ୍ରିକ ବିକାଶ ଓ ବିଶ୍ୱସ୍ତରୀୟ ମୈତ୍ରୀ ସ୍ଥାପନ ମାନସିକତା ପ୍ରତ୍ୟେକ ରାଜନୈତିକ ଦଳର ଧ୍ୟେୟ ହେଲେ ଭାରତ ସାରା ବିଶ୍ୱର ଗୁରୁ ହେବାର ସ୍ୱପ୍ନ ସାକାର ହେବ ଓ ସମଗ୍ର ବିଶ୍ୱ ଏକ ପରିବାର ଭାବନାର ସିଦ୍ଧାନ୍ତ ପ୍ରତିପାଦିତ ହେବ।
ଡ.ଇଂ.ସଞ୍ଜୟ କୁମାର ପଣ୍ଡା
ବୌଦ୍ଦ, ମୋ: ୯୪୩୭୦୭୯୦୯୯