ସମ୍ଭଲ ହିଂସାକୁ ନେଇ ତେଜିଲା ରାଜନୀତି

ନୂଆଦିଲ୍ଲୀ/ସମ୍ଭଲ,୨୬ା୧୧: ଉତ୍ତରପ୍ରଦେଶର ସମ୍ଭଲସ୍ଥିତ ଜୁମା ମସ୍‌ଜିଦ ପରିସରରେ ରବିବାର ସର୍ଭେକୁ ବିରୋଧ ବେଳେ ହିଂସାକାଣ୍ଡ ଘଟି ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପୋଲିସ ୭ ଜଣଙ୍କୁ ଗିରଫ କରିଛି। ଏପର୍ଯ୍ୟନ୍ତ ୪୦୦ ଜଣଙ୍କ ବିରୋଧରେ ୭ଟି ମାମଲା ରୁଜୁ ହୋଇଛି। ସମ୍ଭଲର ସମାଜବାଦୀ ପାର୍ଟି (ଏସ୍‌ପି) ଏମ୍‌ପି ଜିଆଉର୍‌ ରହମନ ବର୍କ ଏବଂ ବିଧାୟକ ଇକ୍‌ବାଲ ମହମଦଙ୍କ ପୁଅ ନଓ୍ବାବ ସୁହେଲ ଇକ୍‌ବାଲଙ୍କୁ ହିଂସା ଘଟଣାରେ ଅଭିଯୁକ୍ତ କରାଯାଇଛି। ତେବେ ହିଂସାକାଣ୍ଡ ବେଳେ ଏମ୍‌ପି ବର୍କ ସମ୍ଭଲରେ […] The post ସମ୍ଭଲ ହିଂସାକୁ ନେଇ ତେଜିଲା ରାଜନୀତି appeared first on Dharitri Odia News.

ସମ୍ଭଲ ହିଂସାକୁ ନେଇ ତେଜିଲା ରାଜନୀତି

ନୂଆଦିଲ୍ଲୀ/ସମ୍ଭଲ,୨୬ା୧୧: ଉତ୍ତରପ୍ରଦେଶର ସମ୍ଭଲସ୍ଥିତ ଜୁମା ମସ୍‌ଜିଦ ପରିସରରେ ରବିବାର ସର୍ଭେକୁ ବିରୋଧ ବେଳେ ହିଂସାକାଣ୍ଡ ଘଟି ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପୋଲିସ ୭ ଜଣଙ୍କୁ ଗିରଫ କରିଛି। ଏପର୍ଯ୍ୟନ୍ତ ୪୦୦ ଜଣଙ୍କ ବିରୋଧରେ ୭ଟି ମାମଲା ରୁଜୁ ହୋଇଛି। ସମ୍ଭଲର ସମାଜବାଦୀ ପାର୍ଟି (ଏସ୍‌ପି) ଏମ୍‌ପି ଜିଆଉର୍‌ ରହମନ ବର୍କ ଏବଂ ବିଧାୟକ ଇକ୍‌ବାଲ ମହମଦଙ୍କ ପୁଅ ନଓ୍ବାବ ସୁହେଲ ଇକ୍‌ବାଲଙ୍କୁ ହିଂସା ଘଟଣାରେ ଅଭିଯୁକ୍ତ କରାଯାଇଛି। ତେବେ ହିଂସାକାଣ୍ଡ ବେଳେ ଏମ୍‌ପି ବର୍କ ସମ୍ଭଲରେ ନ ଥିଲେ। ହିଂସାରେ ସମ୍ପୃକ୍ତି ଅଭିଯୋଗକୁ ସେ ଖଣ୍ଡନ କରିବା ସହ ଏହାକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି।
ଅନ୍ୟପକ୍ଷରେ ସମ୍ଭଲ ହିଂସା ଘଟଣାକୁ ନେଇ ପାର୍ଲାମେଣ୍ଟର ଉଭୟ ଗୃହରେ ସୋମବାର ବିରୋଧୀ ପ୍ରବଳ ହଟ୍ଟଗୋଳ କରିବାରୁ ଗୃହକାର୍ଯ୍ୟ ଚାଲିପାରି ନ ଥିଲା। ସମ୍ଭଲ ଦଙ୍ଗା ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର କରାଇଥିବା ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଅଭିଯୋଗ କରିଛନ୍ତି। ସାଧାରଣ ଲୋକଙ୍କ ମୃତ୍ୟୁ ପାଇଁ ଯେଉଁ ପୋଲିସ ଓ ପ୍ରଶାସନିକ ଅଧିକାରୀ ଦାୟୀ ସେମାନଙ୍କୁ ତୁରନ୍ତ ନିଲମ୍ବନ କରାଯିବାକୁ ସେ ଦାବି କରିଛନ୍ତି। ଉତ୍ତରପ୍ରଦେଶ ଉପନିର୍ବାଚନରେ ଭୋଟ ଲୁଟ୍‌ ପାଇଁ ରାଜ୍ୟ ସରକାର ଅନୁଚିତ କାର୍ଯ୍ୟରେ ସମ୍ପୃକ୍ତ ଥିଲେ। ଏହାକୁ ଲୁଚାଇବା ପାଇଁ ସରକାର ଯୋଜନାବଦ୍ଧ ଭାବେ ସମ୍ଭଲରେ ହିଂସାକାଣ୍ଡ ଘଟାଇଥିବା ଅଖିଳେଶ କହିଛନ୍ତି।
ଭାଜପା ହିନ୍ଦୁ ଏବଂ ମୁସଲମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରୁଥିବା ସୋମବାର କଂଗ୍ରେସ ଅଭିଯୋଗ କରିଛି। ଯଥାଶୀଘ୍ର ସମ୍ଭବ ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରିବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିବେଦନ କରିଛନ୍ତି। ସମ୍ଭଲ ଘଟଣା ଦୁର୍ଭାଗ୍ୟଜନକ। ରାଜ୍ୟ ସରକାରଙ୍କ ପକ୍ଷପାତ ଏବଂ ତରବରିଆ ନୀତି ଯୋଗୁ ଏହି ବିବାଦ ସୃଷ୍ଟି ହୋଇଛି। ହିଂସା ଓ ଗୁଳିମାଡ଼ରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ସଦସ୍ୟଙ୍କୁ ରାହୁଲ ସମବେଦନା ଜଣାଇଛନ୍ତି। ପ୍ରଶାସନ ସବୁ ଦଳର କଥା ନ ଶୁଣି, ତରବରିଆ ପଦକ୍ଷେପ ନେବାରୁ ଏଭଳି ପରିବେଶ ସୃଷ୍ଟି ହୋଇ ୪ ଜଣଙ୍କ ଜୀବନ ଗଲା ବୋଲି ରାହୁଲ ଏକ୍ସ’ରେ ଲେଖିଛନ୍ତି। ଭାଜପା କ୍ଷମତାର ଦୁରୁପଯୋଗ କରି ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ବିଭେଦ ସୃଷ୍ଟି କରୁଛି। ତେଣୁ ସୁପ୍ରିମକୋର୍ଟ ତୁରନ୍ତ ହସ୍ତକ୍ଷେପ କରି ନ୍ୟାୟ ଦେବା ପାଇଁ ରାହୁଲ ନିବେଦନ କରିଛନ୍ତି।
ପୂର୍ବରୁ ସମ୍ଭଲରେ ହରିହର ମନ୍ଦିର ଥିଲା। ମୋଗଲ ସମ୍ରାଟ ବାବର ଉକ୍ତ ପୁରାତନ ମନ୍ଦିରକୁ ଭାଙ୍ଗି ସେଠାରେ ଜାମା ମସ୍‌ଜିଦ ନିର୍ମାଣ କରାଇଥିଲେ ବୋଲି ଆଇନଜୀବୀ ବିଷ୍ଣୁଶଙ୍କର ଜୈନ ସମ୍ଭଲ ଜିଲା କୋର୍ଟରେ ଏକ ପିଟିଶନ ଦାଖଲ କରିଥିଲେ। ମସ୍‌ଜିଦ ସର୍ଭେ ପାଇଁ ଜିଲା କୋର୍ଟ ନିର୍ଦ୍ଦେଶ ଦେବା ସହ ନଭେମ୍ବର ୨୯ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କହିଥିଲେ। ରବିବାର ସକାଳ ୭ଟାରେ ଦ୍ୱିତୀୟ ପର୍ଯ୍ୟାୟ ସର୍ଭେ ଆରମ୍ଭ ହେବା ପରେ ସ୍ଥାନୀୟ ଲୋକେ ଜୋର୍‌ଦାର ବିରୋଧ କରିଥିଲେ। ଫଳରେ ପୋଲିସ ସହ ସେମାନଙ୍କର ସଂଘର୍ଷ ହୋଇଥିଲା। ପୋଲିସ ବିକ୍ଷୋଭକାରୀଙ୍କ ଟେକାମାଡ଼ର ଜବାବ ଗୁଳିରେ ଦେଇଥିଲା ବୋଲି ଅଭିଯୋଗ ହୋଇଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ବିକ୍ଷୋଭକାରୀମାନେ ଗାଡ଼ିଗୁଡ଼ିକୁ ଜାଳିଦେବା ସହ ପୋଲିସ ଉପରକୁ ଟେକାମାଡ଼ କରିଥିଲେ। ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡ଼ାଇବାକୁ ଯାଇ ପୋଲିସ ଲୁହବୁହା ବାଷ୍ପ ପ୍ରୟୋଗ କରିବା ସହ ଲାଠିଚାର୍ଜ କରିଥିଲା। ହିଂସାକାଣ୍ଡ ବେଳେ ୨୦ରୁ ଊର୍ଦ୍ଧ୍ୱ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ। ସ୍ଥାନୀୟ ଏମ୍‌ପି ବର୍କଙ୍କ ପୂର୍ବ ମନ୍ତବ୍ୟକୁ ନେଇ ସ୍ଥିତି ଅଧିକ ଖରାପ ହୋଇଥିଲା ବୋଲି ସମ୍ଭଲ ଏସ୍‌ପି କ୍ରିଷନ କୁମାର ଗଣମାଧ୍ୟମକୁ କହିଥିଲେ।

The post ସମ୍ଭଲ ହିଂସାକୁ ନେଇ ତେଜିଲା ରାଜନୀତି appeared first on Dharitri Odia News.