ସରକାରଙ୍କୁ ଝଟ୍‌କା, ଅଟକିଲା ମନ୍ଦିରରୁ ଟ୍ୟାକ୍ସ ଆଦାୟ ବିଲ୍

ଏହା ବିଧାନ ପରିଷଦରେ ପାରିତ ହୋଇପାରି ନାହିଁ।

ସରକାରଙ୍କୁ ଝଟ୍‌କା, ଅଟକିଲା ମନ୍ଦିରରୁ ଟ୍ୟାକ୍ସ ଆଦାୟ ବିଲ୍

କର୍ଣ୍ଣାଟକାର କଂଗ୍ରେସ ନେତୃତ୍ୱାଧୀନ ସରକାରଙ୍କୁ ଲାଗିଲା ବଡ଼ ଝଟ୍‌କା। କର୍ଣ୍ଣାଟକା ସରକାର ଆଣିଥିବା ‘ହିନ୍ଦୁ ଧାର୍ମିକ ଅନୁଷ୍ଠାନ ଏବଂ ଚାରିଟେବୁଲ ଏଣ୍ଡୋମେଣ୍ଟସ (ସଂଶୋଧନ) ବିଲ’ ଅଧାରେ ଅଟକି ଯାଇଛି। ଏହା ବିଧାନ ପରିଷଦରେ ପାରିତ ହୋଇପାରି ନାହିଁ। ଏହାକୁ ଖାରଜ କରି ଦିଆଯାଇଛି।

ଗତ ସପ୍ତାହରେ ବିଧାନସଭା ଦ୍ୱାରା ମନ୍ଦିର ବିଲ୍‌ ପାରିତ ହୋଇ ଶୁକ୍ରବାର ବିଧାନ ପରିଷଦରେ ଉପସ୍ଥାପିତ ହୋଇଥିଲା। ହେଲେ ଏହାକୁ ବିରୋଧୀ ଦଳ ବିଜେପି ଏବଂ ଜେଡିଏସ ଜୋରଦାର ବିରୋଧ କରିଥିଲେ। ବିଧାନ ପରିଷଦରେ ବିରୋଧୀଙ୍କ ସଂଖ୍ୟାଗରିଷ୍ଠତା ରହିଛି, ତେଣୁ ବିରୋଧ ହେତୁ ଏହି ବିଲ ବିଧାନ ପରିଷଦରେ ପାରିତ ହୋଇପାରି ନାହିଁ।

ସୂଚନା ମୁତାବକ, ରାଜ୍ୟର ଯେଉଁ ମନ୍ଦିରର ବାର୍ଷିକ ଆୟ ୧୦ଲକ୍ଷରୁ ୧ କୋଟି ଟଙ୍କା ରହିଛି, ସେସବୁ ମନ୍ଦିର ଉପରେ ପାଞ୍ଚ ପ୍ରତିଶତ ଟିକସ ଲାଗୁ କରିବାର ବ୍ୟବସ୍ଥା ଏହି ବିଲ୍‌ରେ ରହିଛି। ସେହିପରି ଯେଉଁ ମନ୍ଦିରଗୁଡ଼ିକର ବାର୍ଷିକ ଆୟ ୧ କୋଟିରୁ ଅଧିକ ସେସବୁ ଉପରେ ୧୦% ଟ୍ୟାକ୍ସ ଆଦାୟ କରିବାର ବ୍ୟବସ୍ଥା ଅଛି। ମନ୍ଦିର ରୋଜଗାରରୁ ପ୍ରାପ୍ତ ପାଣ୍ଠିକୁ ଏକ କମନ ପୁଲ୍ ପାଣ୍ଠିରେ ରଖିବା ପାଇଁ ଏକ ବ୍ୟବସ୍ଥା କରାଯାଇଛି, ଯାହା ରାଜ୍ୟ ଧାର୍ମିକ ପରିଷଦ ଦ୍ୱାରା ପରିଚାଳିତ ହେବ। ଏହି ପାଣ୍ଠି ରାଜ୍ୟର ଯେଉଁ ମନ୍ଦିରଗୁଡ଼ିକର ବାର୍ଷିକ ଆୟ ପାଞ୍ଚ ଲକ୍ଷରୁ କମ୍ ସେହି ମନ୍ଦିରର ପୁରୋହିତମାନଙ୍କ କଲ୍ୟାଣ ପାଇଁ ବ୍ୟବହୃତ ହେବ।

ତେବେ ବିରୋଧୀ ଏହାକୁ ନେଇ ଅଭିଯୋଗ ଆଣିଛନ୍ତି। ମନ୍ଦିରଗୁଡିକ ଉପରେ ଟ୍ୟାକ୍ସ ଲଗାଇ ସରକାର ରାଜକୋଷ ପୂରଣ କରିବାକୁ ଚେଷ୍ଟା କରୁଥିବା ସେମାନେ ଅଭିଯୋଗ ଆଣିଛନ୍ତି। ତେବେ ଏହାକୁ ଖଣ୍ଡନ କରିଛନ୍ତି ସରକାର।

ପରିବହନ ମନ୍ତ୍ରୀ ରାମଲିଙ୍ଗା ରେଡ୍ଡୀ କହିଛନ୍ତି, ଆମେ ହିନ୍ଦୁ ବିରୋଧୀ ନୁହେଁ। ବିଜେପି ହେଉଛି ହିନ୍ଦୁ ବିରୋଧୀ। ୨୦୦୩ରେ ଏହି ଆଇନ୍‌ ଲାଗୁ ହୋଇଥିଲା। ୨୦୧୧ରେ କ୍ଷମତାରେ ଥିବା ବେଳେ ବିଜେପି ଏହାକୁ ସଂଶୋଧନ କରିଥିଲା। ସେତେବେଳେ ଏଠାରେ ୩୪,୦୦୦ ମନ୍ଦିର ଥିଲା ଏବଂ ସେମାନେ ଧାର୍ମିକ ପରିଷଦକୁ କିଛି ଦେଇ ନ ଥିଲେ।

ରାଜ୍ୟରେ ପ୍ରାୟ ୧୯୩ଟି 'ବି ଗ୍ରେଡ୍' ମନ୍ଦିର ଅଛି - ସେମାନଙ୍କୁ ୫ ପ୍ରତିଶତ ଟିକସ ଦେବାକୁ ପଡିବ। ସେହିପରି ପ୍ରାୟ ୨୦୫ଟି ଏ ଗ୍ରେଡ୍‌ ମନ୍ଦିର ଅଛି - ସେମାନଙ୍କୁ ୧୦ ପ୍ରତିଶତ ଟିକସ ଦେବାକୁ ପଡିବ ବୋଲି ସେ କହିଛନ୍ତି।