ସରକାରୀ ଘରୁ ଡାକ୍ତରଙ୍କୁ ଅପହରଣ!

ଡ୍ୟୁଟି ସାରି ଘରକୁ ଫେରିବା ପରଠାରୁ ତାଙ୍କର ଖୋଜଖବର ନମିଳିବାରୁ ଥାନାରେ ଏତଲା ଦେଇଥିଲେ ଡାକ୍ତରଖାନା କର୍ତ୍ତୃପକ୍ଷ।

ସରକାରୀ ଘରୁ ଡାକ୍ତରଙ୍କୁ ଅପହରଣ!

ଜଣେ ଯୁବ ଡାକ୍ତରଙ୍କୁ ତାଙ୍କ ସରକାରୀ ବାସଭବନରୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳାରେ।

ଗତକାଲି ରାତିରେ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡ୍ୟୁଟି ସାରି ସରକାର ବାସଭବନକୁ ଯାଇଥିଲେ ଡାକ୍ତର ଅମ୍ଳାନ ଭୋଇ। ତେବେ ତା’ପରଠୁ ତାଙ୍କର ଆଉ କୌଣସି ଖୋଜଖବର ମିଳି ନଥିଲା। ତେଣୁ ଡାକ୍ତରଖାନା କର୍ତ୍ତୃପକ୍ଷ ଏନେଇ ଆଜି କାଲିମେଳା ଥାନାରେ ଏତଲା ଦେଇଥିଲେ।

ଡାକ୍ତର ଅମ୍ଳାନ ଭୋଇଙ୍କୁ ତାଙ୍କ ଘରୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଘରେ ତାଙ୍କର ମୋବାଇଲ ଓ ବାଇକ୍ ଅଛି। ତାଙ୍କ ଘରୁ ପୁଲିସ୍ ଏକ ପୋଷ୍ଟର ଜବତ କରିଥିବା କୁହାଯାଉଛି। ତେଣୁ ଏହା ନକ୍ସଲଙ୍କ କାମ ବୋଲି ଚର୍ଚ୍ଚା ହେଉଥିବା ବେଳେ ମାଲକାନଗିରି ଏସ୍‌ପି ଏହାକୁ ଖଣ୍ଡନ କରିଛନ୍ତି। ନକ୍ସଲଙ୍କ ଗତିବିଧି ନଥିବାରୁ ଏହା ସେମାନଙ୍କର କାମ ନୁହେଁ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି। 

Doctor's Houseଡାକ୍ତରଙ୍କ ସରକାରୀ ବାସଭବନ

ଅନ୍ୟପକ୍ଷରେ ଦୁଇ ଦିନ ତଳେ ଏକ ଶବ ବ୍ୟବଚ୍ଛେଦକୁ ନେଇ କିଛି ଲୋକଙ୍କ ସହ ଡାକ୍ତର ଅମ୍ଲାନଙ୍କର ବଚସା ହୋଇଥିଲା। ତେଣୁ ଏହି ଅପହରଣ ପଛରେ ସେମାନଙ୍କ ହାତ ଥିବା ମଧ୍ୟ ସନ୍ଦେହ କରାଯାଉଛି।  ଡାକ୍ତର ଅମ୍ଲାନ ଭୋଇଙ୍କ ଖୋଜଖବର ମିଳି ନଥିବା ବେଳେ ତାଙ୍କୁ କିଏ ଓ କାହିଁକି ଅପହରଣ କଲା, ତାହା ଜାଣିବାକୁ ତଦନ୍ତ ଜାରି ରଖିଛି ପୁଲିସ୍।  

ପୁଲିସ୍ ଅଧିକାରୀମାନେ ତାଙ୍କ ସରକାରୀ ବାସଭବନ ଯାଞ୍ଚ କରିଥିବା ବେଳେ ଆଖପାଖ ଲୋକଙ୍କୁ ପଚରାଉଚରା କରୁଛନ୍ତି। ଏହା ସହିତ ଆଖପାଖରେ ଲାଗିଥିବା ସମସ୍ତ ସିସିଟିଭି ଫୁଟେଜକୁ ପୁଲିସ୍ ଯାଞ୍ଚ କରୁଥିବା ଜଣାପଡ଼ିଛି।