ସରପଞ୍ଚ-ଭିଜିଲାନ୍ସ ଅଧିକାରୀ ମୁହାଁମୁହିଁ, ପଞ୍ଚାୟତରେ ଉତ୍ତେଜନା

ବିନା ସୂଚନାରେ କାହିଁକି ପଞ୍ଚାୟତରେ ପଶୁଛ ବୋଲି ସରପଞ୍ଚଜଣକ ଭିଜିଲାନ୍ସ ଅଧିକାରୀଙ୍କୁ ଧମକାଇବା ସହ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେଲେ ଦାୟୀ ରହିବେ ବୋଲି ବି ଚେତାଇ ଦେଇଛନ୍ତି ।

ସରପଞ୍ଚ-ଭିଜିଲାନ୍ସ ଅଧିକାରୀ ମୁହାଁମୁହିଁ, ପଞ୍ଚାୟତରେ ଉତ୍ତେଜନା

ମୁହାଁମୁହିଁ ହେଲେ ସରପଞ୍ଚ ଓ ଭିଜିଲାନ୍ସ ଅଧିକାରୀ । ବ୍ୟାପକ ଅନିୟମିତତା ଓ ଦୁର୍ନୀତିର ତଦନ୍ତ ନିମନ୍ତେ ଭିଜିଲାନ୍ସ ଟିମ୍ ପଞ୍ଚାୟତରେ ପଶିଥିବା ବେଳେ ଏହାକୁ ସହଜେ ହଜମ କରି ପାରୁ ନାହାନ୍ତି ଶାସକ ଦଳ ସମର୍ଥିତ ସରପଞ୍ଚ । ବିନା ସୂଚନାରେ କାହିଁକି ପଞ୍ଚାୟତରେ ପଶୁଛ ବୋଲି ସରପଞ୍ଚଜଣକ ଭିଜିଲାନ୍ସ ଅଧିକାରୀଙ୍କୁ ଧମକାଇବା ସହ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେଲେ ଦାୟୀ ରହିବେ ବୋଲି ବି ଚେତାଇ ଦେଇଛନ୍ତି । ଏପରି ଏକ ଅଭାବନୀୟ ଦୃଶ୍ୟ ଭଦ୍ରକ ଜିଲ୍ଲାର ଭଦ୍ରକ ବ୍ଲକ ଅଧୀନ ଗୁଜିଦରଡ଼ା ପଞ୍ଚାୟତରେ ଦେଖିବାକୁ ମିଳିଛି।

ଏହି ପଞ୍ଚାୟତର ବିଭିନ୍ନ ରାସ୍ତା ଓ ଡ୍ରେନ କାର୍ଯ୍ୟକୁ ନେଇ କୋଟି କୋଟି ଟଙ୍କାର ବ୍ୟାପକ ଅନିୟମିତତା ଓ ମିଥ୍ୟା ବିଲ୍‌ ହୋଇଥିବାର ଅଭିଯୋଗ ପରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି। ତେବେ ଏହି ଦୁର୍ନୀତିର ଏକ ବୈଷୟିକ ତଦନ୍ତ ପାଇଁ ଗତ କିଛି ଦିନ ପୂର୍ବରୁ ଭିଜିଲାନ୍ସ ଅଧିକାରୀମାନେ ଗୁଜିଦରଡ଼ା ପଞ୍ଚାୟତକୁ ଯାଇଥିଲେ। ମାତ୍ର ସେଠାରେ ସରପଞ୍ଚଙ୍କ ସମର୍ଥକ ତାଙ୍କୁ ତୀବ୍ର ବିରୋଧ କରି ଫେରାଇ ଦେଇଥିଲେ।

Vigilance Teamଭିଜିଲାନ୍ସ ଟିମ୍‌ ଅଭିଯୋଗର ତଦନ୍ତ ପାଇଁ ଯାଉଛି।

 ପୁଣିଥରେ ଭିଜିଲାନ୍ସ ବିଭାଗ ଏହି ଦୁର୍ନୀତି ଅଭିଯୋଗର ତଦନ୍ତ ପାଇଁ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ୍‌ ସହାୟତାରେ ଗୁଜିଦରଡ଼ା ପଞ୍ଚାୟତରେ ଆଜି ପହଞ୍ଚିଛନ୍ତି। ଭିଜିଲାନ୍ସ ଟିମ୍‌ ରାସ୍ତା ଓ ଡ୍ରେନର ମାପଚୁପ କରୁଥିବା ବେଳେ ସ୍ଥାନୀୟ ସରପଞ୍ଚ ଏହାର ତୀବ୍ର ବିରୋଧ କରିଥିଲେ। ଫଳରେ ଏହାକୁ ନେଇ ସରପଞ୍ଚ -ଭିଜିଲାନ୍ସ ବିଭାଗ ଅଧିକାରୀମାନେ ମୁହାଁମୁହିଁ ହୋଇଥିବା ବେଳେ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। 

ତଦନ୍ତ ପାଇଁ ଆସିଲା ବେଳେ କାହିଁକି ସରପଞ୍ଚଙ୍କୁ ଅବଗତ କରାଗଲା ନାହିଁ ବୋଲି ସରପଞ୍ଚ ପ୍ରଥମେ କହିଥିଲେ। ତଦନ୍ତ ଚାଲିଛି ତେଣୁ କିଛି ଏ ସମ୍ପର୍କରେ କୁହାଯାଇ ପାରିବ ନାହିଁ ବୋଲି ଭିଜିଲାନ୍ସ ଡିଏସପି ଇନଚାର୍ଜ ନିଜ ପ୍ରତିକ୍ରିୟାରେ କହିଛନ୍ତି। ଶେଷରେ ଉପରିସ୍ଥ ଅଧିକାରୀଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡିଥିବା ଜଣାଯାଇଛି।

Vigilance Teamଭିଜିଲାନ୍ସ ଟିମ୍‌ ରାସ୍ତା ମାପଚୁପ କରୁଛନ୍ତି।

ଏହି ପଞ୍ଚାୟତରେ ୧୮ ଗୋଟି ପ୍ରକଳ୍ପର ରାସ୍ତା ଘାଟ ଓ ଡ୍ରେନ ଆଦି ନିର୍ମାଣରେ ପ୍ରାୟ ୧ କୋଟି ଟଙ୍କାର ଉର୍ଦ୍ଧ୍ଵ ମିଥ୍ୟା ବିଲ୍‌ କରାଯାଇ ଥିବା ଭିଜିଲାନ୍ସ ପାଖରେ ଅଭିଯୋଗ ହୋଇଥିଲା। ଏହାପରେ ଭଦ୍ରକ ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ୱରେ ବାଲେଶ୍ୱର, ଯାଜପୁର ଓ ଟିଟିଲାଗଡ଼ରୁ ଆସିଥିବା ବୈଷୟିକ ଟିମ୍‌ ଏହି ପଞ୍ଚାୟତର ବିଭିନ୍ନ ରାସ୍ତା ଖୋଳି କାର୍ଯ୍ୟର ମାନ ଦେଖିବା ସହିତ ମାପଚୁପ କାର୍ଯ୍ୟ ଆରମ୍ଭ କରିଛନ୍ତି।

ଗୁଜିଦରଡ଼ା ପଞ୍ଚାୟତରେ କୋଟି କୋଟି ଟଙ୍କା ଘୋଟଲା ହୋଇଥିବା ବେଳେ ତଦନ୍ତ କରାଯାଇ ଏହାର ସତ ସାମନାକୁ ଅଣାଯାଉ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।