ସରିଲା ରତ୍ନଭଣ୍ଡାର ଯାଞ୍ଚ, ଖୁବ୍‌ଶୀଘ୍ର ସୁଡ଼ଙ୍ଗ ଓ ଗୁପ୍ତ କୋଠରୀ ଉପରୁ ପରଦା ହଟିବ

ପୁରୀ: ଶେଷ ହୋଇଛି ଶ୍ରୀମନ୍ଦିର ରତ୍ନଭଣ୍ଡାରର ଯାଞ୍ଚ। ଏହି ଯାଞ୍ଚର ଚୂଡାନ୍ତ ରିପୋର୍ଟ ଆସିବା ପରେ ରତ୍ନଭଣ୍ଡାରରେ ସୁଡ଼ଙ୍ଗ ଓ ଗୁପ୍ତ କୋଠରୀ ଥିବା ନେଇ ଯେଉଁ ଚର୍ଚ୍ଚା ହେଉଛି ତା’ ଉପରୁ ପରଦା ହଟିବ। ତେବେ ଦୁଇଟି ପର୍ଯ୍ୟାୟରେ ଏହି ଯାଞ୍ଚ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଲେଜର ସ୍କାନିଂ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଜିପିଆର୍‌ ସର୍ଭେ ଶେଷ ହୋଇଛି। ଶନିବାର ଏବଂ ରବିବାର ଦୁଇଦିନ ଧରି ଏଏସ୍‌ଆଇ ପକ୍ଷରୁ (ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର) ସର୍ଭେ କରାଯାଇଥିଲା। […]

ସରିଲା ରତ୍ନଭଣ୍ଡାର ଯାଞ୍ଚ, ଖୁବ୍‌ଶୀଘ୍ର ସୁଡ଼ଙ୍ଗ ଓ ଗୁପ୍ତ କୋଠରୀ ଉପରୁ ପରଦା ହଟିବ
srimandira ratan-bhandara

ପୁରୀ: ଶେଷ ହୋଇଛି ଶ୍ରୀମନ୍ଦିର ରତ୍ନଭଣ୍ଡାରର ଯାଞ୍ଚ। ଏହି ଯାଞ୍ଚର ଚୂଡାନ୍ତ ରିପୋର୍ଟ ଆସିବା ପରେ ରତ୍ନଭଣ୍ଡାରରେ ସୁଡ଼ଙ୍ଗ ଓ ଗୁପ୍ତ କୋଠରୀ ଥିବା ନେଇ ଯେଉଁ ଚର୍ଚ୍ଚା ହେଉଛି ତା’ ଉପରୁ ପରଦା ହଟିବ। ତେବେ ଦୁଇଟି ପର୍ଯ୍ୟାୟରେ ଏହି ଯାଞ୍ଚ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଲେଜର ସ୍କାନିଂ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଜିପିଆର୍‌ ସର୍ଭେ ଶେଷ ହୋଇଛି। ଶନିବାର ଏବଂ ରବିବାର ଦୁଇଦିନ ଧରି ଏଏସ୍‌ଆଇ ପକ୍ଷରୁ (ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର) ସର୍ଭେ କରାଯାଇଥିଲା। ତେବେ ୩ ଦିନ ରାଡାର ସର୍ଭେ କରାଯିବ ବୋଲି ପୂର୍ବରୁ ଧାର୍ଯ୍ୟ ହୋଇଥିବା ବେଳେ ଏଏସ୍‌ଆଇର ଟେକ୍ନିକାଲ ଟିମ୍‌ ୨ ଦିନରେ ଏହି କାର୍ଯ୍ୟ ଶେଷ କରିଛନ୍ତି। ଫଳରେ ସୋମବାର ମହାପ୍ରଭୁଙ୍କ ଦର୍ଶନରେ କୌଣସି କଟକଣା ରହିବ ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସ୍ପଷ୍ଟ କରିଛନ୍ତି।

ରବିବାର ରତ୍ନଭଣ୍ଡାର ସର୍ଭେ ପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଥିଲା। ଶନିବାର ରାତି ୨ଟା ୪୦ରେ ଦ୍ୱାର ଫିଟା ଯାଇଥିଲା। ଧାର୍ଯ୍ୟ ନୀତିକାନ୍ତି ଶେଷ ହେବା ପରେ ରବିବାର ଅପରାହ୍ନ ୧ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ହୋଇଥିଲା। ନିର୍ଦ୍ଧାରିତ ସମୟରେ ମିଳିତ ଟିମ୍‌ ବୈଷୟିକ ଉପକରଣ ସହ ରତ୍ନଭଣ୍ଡାରକୁ ପ୍ରବେଶ କରିଥିଲେ। ପ୍ରାୟ ୪ ଘଣ୍ଟା ଧରି ଯାଞ୍ଚ ଚାଲିଥିଲା। ୩ଟି ଆଣ୍ଟିନା ମାଧ୍ୟମରେ ସର୍ଭେ କରି ଡାଟା ଜେନେରେଟ୍‌ କରିଛି ହାଇଦ୍ରାବାଦସ୍ଥିତ ଏନ୍‌ଜିଆର୍‌ଆଇ (ନ୍ୟାଶନାଲ ଜିଓଫିଜିକାଲ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ) ଟିମ୍‌। ସମସ୍ତ ବୈଦ୍ୟୁତିକ ଚୁମ୍ବକୀୟ ତରଙ୍ଗ ଓ ଗ୍ରାଫକୁ ଏକତ୍ରିତ କରାଯାଇ ୭ଟି ପର୍ଯ୍ୟାୟରେ ଡାଟା ଆନାଲିସିସ ହୋଇ ଇମେଜ ତିଆରି ହେବ। ଡାଟା ଆନାଲିସିସ୍‌ ଲାବ୍‌ରେ ବିଶ୍ଲେଷଣ ପରେ ରିପୋର୍ଟ ବାହାରିବ ବୋଲି ଏନ୍‌ଜିଆର୍‌ଆଇ ରାଡାର ବିଶେଷଜ୍ଞ ଆନନ୍ଦ ପାଣ୍ଡେ ସୂଚନା ଦେଇଛନ୍ତି। ରବିବାର ଯାଞ୍ଚ ବେଳେ ତିନୋଟି ମେସିନ ଲାଗିଥିଲା। ୨୦୦, ୪୦୦ ଓ ୯୦୦ ଫ୍ରିକ୍ୟୁଏନ୍ସି ବିଶିଷ୍ଟ ଆଣ୍ଟିନା ଦ୍ୱାରା ୧୦ ମିଟର ଗଭୀର ପର୍ଯ୍ୟନ୍ତ ଏହି ଜିପିଆର୍‌ ସର୍ଭେ କରାଯାଇଛି। ସମ୍ପୂର୍ଣ୍ଣ ବୈଜ୍ଞାନିକ ପଦ୍ଧତିରେ ଏହା ସମ୍ପନ୍ନ ହୋଇଛି। ଏହି ଯାଞ୍ଚ ପ୍ରକ୍ରିୟାରେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏସ୍‌ପି ପିନାକ ମିଶ୍ରଙ୍କ ସମେତ ଏଏସ୍‌ଆଇର ଟେକ୍ନିକାଲ ଟିମ୍‌ ଏବଂ ଅନ୍ୟ ସଦସ୍ୟମାନେ ସାମିଲ ଥିଲେ।