ସରିଲା ଲୀଳାଖେଳା; ଭାଇ ଉଉଣୀଙ୍କୁ ନେଇ ନୀଳକନ୍ଦରକୁ ବିଜେ କଲେ ଚକାଡ଼ୋଳା..

ଘୋଷଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରିବିଜେ ବେଳେ ପ୍ରଭୁ ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ଅଟକାଇଥିଲେ ଦେବୀ ମହାଲକ୍ଷ୍ମୀ । ଅଭିମାନିନୀ ମହାଲକ୍ଷ୍ମୀଙ୍କୁ ପ୍ରଭୁ ଚକାଡୋଳା ସାଙ୍ଗରେ ନେଇ ଆସିଥିବା ସ୍ବାଦିଷ୍ଟ ରସଗୋଲା ଦେଇ ମାନ ଭଙ୍ଗ କରିଥିଲେ ।

ସରିଲା ଲୀଳାଖେଳା; ଭାଇ ଉଉଣୀଙ୍କୁ ନେଇ ନୀଳକନ୍ଦରକୁ ବିଜେ କଲେ ଚକାଡ଼ୋଳା..

ସରିଲା କାଳିଆର ରଥଲୀଳା । ନୀଳାଦ୍ରି ବିଜେ କରିଛନ୍ତି ନୀଳାଦ୍ରିନାଥ। ବଡ଼ଭାଇ ବଳଭଦ୍ର, ଭଉଣୀ ଦେବୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ନୀଳକନ୍ଦର ବିଜେ କରିଛନ୍ତି ପ୍ରଭୁ ଚକାଡ଼ୋଳା । ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମହାବାହୁଙ୍କୁ ରଥବେଦୀରୁ ରତ୍ନବେଦୀକୁ ବାହୁଡ଼ିଯିବାର ଦୃଶ୍ୟ ଦେଖି କୃତ୍ୟ କୃତ୍ୟ ହୋଇଥିଲେ । ସମସ୍ତଙ୍କ ଆଖିରେ ଖୁସିର ଲୁହ ଝରି ଆସିଥିଲା ବେଳେ ଶ୍ରୀଜିଉଙ୍କ ଗୋଟି ପହଣ୍ଡି ଦେଖି ନିଜକୁ ଧନ୍ୟ ମନେ କରିଥିଲେ ।

ଘୋଷଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରିବିଜେ ବେଳେ ପ୍ରଭୁ ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ଅଟକାଇଥିଲେ ଦେବୀ ମହାଲକ୍ଷ୍ମୀ । ଅଭିମାନିନୀ ମହାଲକ୍ଷ୍ମୀଙ୍କୁ ପ୍ରଭୁ ଚକାଡୋଳା ସାଙ୍ଗରେ ନେଇ ଆସିଥିବା ସ୍ବାଦିଷ୍ଟ ରସଗୋଲା ଦେଇ ମାନ ଭଙ୍ଗ କରି ଥିଲେ । ଏହା ପରେ ବଡ଼ଠାକୁର ଶ୍ରୀମନ୍ଦିରକୁ ବିଜେ କରିଥିଲେ । ତେବେ ଚଳିତବର୍ଷର ପବିତ୍ର ରଥଯାତ୍ରାର ମଧ୍ୟ ସମାପନ ହୋଇଛି।

ପବିତ୍ର ବାହୁଡାଯାତ୍ରା, ସୁନାବେଶ ଏବଂ ଅଧରପଣା ନୀତିକାନ୍ତି ପରିଚାଳନା ସହିତ ଐତିହାସିକ ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତରଣ ପ୍ରକ୍ରିୟାରେ ମହାପ୍ରଭୁ ଆଶୀର୍ବାଦ କରିଥିବାରୁ ଏହି ରଥଯାତ୍ରା ବ୍ୟକ୍ତିଗତ ଭାବେ ଅବିସ୍ମରଣୀୟ ବୋଲି ପ୍ରକାଶ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ଏହା ସମ୍ଭବ ହୋଇଛି, ସମସ୍ତ ସେବକଙ୍କ ଅକୁଣ୍ଠ ସହଯୋଗ ସହ ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀ, ଜିଲ୍ଲା ତଥା ପୋଲିସ୍ ପ୍ରଶାସନ, ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ, ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ବୋଲି ସୋସିଆଲ ମିଡିଆ ଏକ୍ସରେ ଉଲ୍ଲେଖ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।