ସର୍ବ ସମ୍ମୁଖରେ ଏସ୍‌ଏଚଜି ମହିଳାଙ୍କୁ ଦୁର୍ବ୍ୟବହାର କଲେ ସରପଞ୍ଚଙ୍କ ସ୍ୱାମୀ

ଆଜି ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ସଇଁତଳା ବିଡିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଦୁର୍ବ୍ୟବହାର କରିଥିବା ସରପଞ୍ଚଙ୍କ ସ୍ୱାମୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମହିଳାମାନେ ନିବେଦନ କରିଛନ୍ତି।

ସର୍ବ ସମ୍ମୁଖରେ ଏସ୍‌ଏଚଜି ମହିଳାଙ୍କୁ ଦୁର୍ବ୍ୟବହାର କଲେ ସରପଞ୍ଚଙ୍କ ସ୍ୱାମୀ

ଭରା ସଭାରେ ସର୍ବ ସମ୍ମୁଖରେ ଏସ୍‌ଏଚଜି ମହିଳାଙ୍କୁ ଦୁର୍ବ୍ୟବହାର କଲେ ସରପଞ୍ଚଙ୍କ ସ୍ୱାମୀ। ଏପରି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକ ଅଞ୍ଚଳରୁ। ଏସ୍‌ଏଚ୍‌ଜି ମହିଳାମାନେ ଆଜି ଏନେଇ ବିଡିଓଙ୍କ ପାଖରେ ଅଭିଯୋଗ କରିଛନ୍ତି।

ସଇଁତଳା ବ୍ଲକ୍‌ କରମତଲା ସରପଞ୍ଚ ହେଉଛନ୍ତି ତିଳୋତ୍ତମା ବାଗ୍‌। ମଙ୍ଗଳବାର ପଞ୍ଚାୟତ କାର୍ଯ୍ୟାଳୟରେ ଗାଁ ପୋଖରୀ ନିଲାମ ହେଉଥିଲା। ନିଲାମ ବେଳେ ଉପସ୍ଥିତ ଥିଲେ ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଉପେନ୍ଦ୍ର ମାଝୀ, ସରପଞ୍ଚ ତିଳୋତ୍ତମା ବାଗ, ତାଙ୍କ ସ୍ୱାମୀ ପ୍ରଦୀପ ବାଗ। ଆଉ ଏହି ନିଲାମ୍‌ରେ ଅଂଶ ଗ୍ରହଣ ନେଇଥିଲେ କିଛି ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା(ଏସ୍‌ଏଚ୍‌ଜି) ଓ ବ୍ୟକ୍ତି ବିଶେଷ। ନିଲାମ ଚାଲିଥିବା ବେଳେ ସରପଞ୍ଚଙ୍କ ସ୍ୱାମୀ ମହିଳାମାନଙ୍କୁ ଗାଳି ଗୁଲଜ ଦେଇଥିଲେ। ଦୁର୍ବ୍ୟବହାର କରିଥିଲେ। ଅତିରିକ୍ତ ବିଡିଓଙ୍କ ଉପସ୍ଥିତିରେ ସେ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ମହିଳାମାନେ ପ୍ରତିବାଦ କରିଥିଲେ ସୁଦ୍ଧା ସେ ଶୁଣିନଥିଲେ। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହେଉଛି।

ଆଜି ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ସଇଁତଳା ବିଡିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଦୁର୍ବ୍ୟବହାର କରିଥିବା ସରପଞ୍ଚଙ୍କ ସ୍ୱାମୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମହିଳାମାନେ ନିବେଦନ କରିଛନ୍ତି। ମହିଳାଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ନେଇଛନ୍ତି ବିଡିଓ ବିନୟ କୁମାର ଭୋଇ। ସେ କହିଛନ୍ତି, ଘଟଣାର ତଦନ୍ତ କରାଯିବ। ଯଦି ସତ୍ୟାସତ ଥିବ, ତାହାହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସେପଟେ ମହିଳାଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସରପଞ୍ଚଙ୍କ ସ୍ଵାମୀ ପ୍ରଦୀପ ବାଗ।

ରିପୋର୍ଟ- ଟିଟିଲାଗଡ଼ରୁ ଅବିନାଶ ନନ୍ଦ