ସଲମାନ ଖାନ୍‌ ଓ ଜିଶାନ ସିଦ୍ଦିକିଙ୍କୁ ହତ୍ୟା ଧମକ, ଯୁବକ ଗିରଫ

ପୁଲିସ ଏହି ମାମଲାରେ ନୋଏଡାରୁ ଜଣେ ୨୦ ବର୍ଷୀୟ ଯୁବକକୁ ଗିରଫ କରିଛି।

ସଲମାନ ଖାନ୍‌ ଓ ଜିଶାନ ସିଦ୍ଦିକିଙ୍କୁ ହତ୍ୟା ଧମକ, ଯୁବକ ଗିରଫ

ଏନ୍‌ସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା ପରେ ଜିଶାନ ସିଦ୍ଦିକିଙ୍କୁ ମିଳିଲା ହତ୍ୟା ଧମକ। ଅଫିସର ଲ୍ୟାଣ୍ଡ ଲାଇନ ନମ୍ବରକୁ କଲ୍‌ କରି ଜିଶାନ ସିଦ୍ଦିକିଙ୍କୁ ଜୀବନରେ ମାରିବାକୁ ଧମକ ଦିଆଯାଇଛି। ବାନ୍ଦ୍ରା ଇଷ୍ଟ ସ ଥିତ ଜିଶାନଙ୍କ ଜନସମ୍ପର୍କ କାର୍ଯ୍ୟାଳୟକୁ ଏହି ଫୋନ୍‌ କଲ୍‌ ଆସିଛି। କେବଳ ସେତିକି ନୁହେଁ ଅଭିନେତା ସଲମାନ ଖାନ୍‌ଙ୍କୁ ମଧ୍ୟ ହତ୍ୟା ଧମକ ମିଳିଛି। ଏହି ମାମଲାରେ ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।

ଶୁକ୍ରବାର ସନ୍ଧ୍ୟାରେ ଜିଶାନ ସିଦ୍ଦିକିଙ୍କୁ ଏହି ଧମକପୂର୍ଣ୍ଣ କଲ ଆସିଥିଲା। ଜଣେ ଅଜ୍ଞାତ ବ୍ୟକ୍ତି ଫୋନରେ ଜିଶାନ ସିଦ୍ଦିକି ଓ ଅଭିନେତା ସଲମାନ ଖାନ୍‌ଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ। ଏଥିସହ ଟଙ୍କା ମାଗିଥିଲେ। ଏହା ପରଠାରୁ ଜିଶାନଙ୍କ ଘରେ ସୁରକ୍ଷା କଡ଼ା କଡ଼ି କରାଯାଇଥିଲା।

ଜିଶାନ ସିଦ୍ଦିକିଙ୍କ କାର୍ଯ୍ୟାଳୟର କର୍ମଚାରୀଙ୍କ ଦ୍ୱାରା ଦିଆଯାଇଥିବା ଅଭିଯୋଗକୁ ଭିତ୍ତି କରି ନିର୍ମଲନଗର ପୁଲିସ ଷ୍ଟେସନରେ ଅଜଣା ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପୁଲିସ ଏହି ମାମଲାରେ ନୋଏଡାରୁ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକର ବୟସ ୨୦ ବର୍ଷ ଓ ତା' ନାଁ ଗୁରଫାନ।

ପୋଲିସର ସୂତ୍ର ଅନୁଯାୟୀ, ମହମ୍ମଦ ତୈୟବ ଓରଫ ଗୁରଫାନ ଦିଲ୍ଲୀର ବାସିନ୍ଦା ବୋଲି କୁହାଯାଇଛି। ନୋଏଡାରୁ ଅଭିଯୁକ୍ତକୁ ସେକ୍ଟର -୩୯ ପୁଲିସ ଷ୍ଟେସନ ଅଞ୍ଚଳରୁ ଗିରଫ କରାଯାଇଛି। ମୁମ୍ବାଇ ପୁଲିସ ଗୁରଫାନକୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେଇଛି। ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ଧମକପୂର୍ଣ୍ଣ କଲ୍ କେବଳ ଟଙ୍କା ମାଗିବା ପାଇଁ କରାଯାଇଥିଲା। ତେବେ ପ୍ରତ୍ୟେକ ଏଙ୍ଗେଲକୁ ଦୃଷ୍ଟିରେ ରଖି ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।