ସାଧାରଣତନ୍ତ୍ର ଦିବସ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି...କଡ଼ା ସୁରକ୍ଷା ବଳୟରେ ରାଜଧାନୀ ଦିଲ୍ଲୀ

ପ୍ରଥମ ଥର ପାଇଁ ରିପବ୍ଲିକ୍ ଡେ ପରେଡରେ ଭାଗ ନେବେ ଦିଲ୍ଲୀ ପୋଲିସର ମହିଳା ପରେଡ୍ ଓ ବ୍ୟାଣ୍ଡ୍ କଣ୍ଟିଞ୍ଜେଣ୍ଟର । ଅଲ୍-ୱିମେନ୍ କଣ୍ଟିଞ୍ଜେଣ୍ଟର ନେତୃତ୍ବ ନେବେ ଆଇପିଏସ୍ ଶ୍ବେତା କେ. ସୁଗଠନ ।

ସାଧାରଣତନ୍ତ୍ର ଦିବସ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି...କଡ଼ା ସୁରକ୍ଷା ବଳୟରେ ରାଜଧାନୀ ଦିଲ୍ଲୀ

ଆସନ୍ତାକାଲି ୭୫ ତମ ସାଧାରଣତନ୍ତ୍ର ଦିବସ। ଦିଲ୍ଲୀ କର୍ତ୍ତବ୍ୟପଥ ଉପରେ ରହିବ ସାରା ବିଶ୍ବର ନଜର। ପ୍ରଦର୍ଶିତ ହେବ ଚିତାକର୍ଷକ ଜାତୀୟସ୍ତରୀୟ ପରେଡ୍। ଏହା ପୂର୍ବରୁ କଡ଼ା ସୁରକ୍ଷା ବଳୟରେ ରହିଛି ଦେଶର ରାଜଧାନୀ। ନୂଆଦିଲ୍ଲୀର ବିଭିନ୍ନ ସ୍ଥାନରେ ଚେକିଂ ଓ ବ୍ଲକିଂ ଜୋରଦାର କରାଯାଇଛି । ଗାଡ଼ି ଗୁଡ଼ିକୁ ଅଟକାଇ ତନ୍ନତନ୍ନ ଯାଞ୍ଚ କରୁଛନ୍ତି ସଶସ୍ତ୍ର ସୁରକ୍ଷା କର୍ମୀ । ଦିଲ୍ଲୀରେ ପ୍ରାୟ ୮ହଜାର ଫୋର୍ସ ମୁତୟନ କରାଯାଇଛି ।

ଅଧିକ ପଢ଼ନ୍ତୁ: ସାଧାରଣତନ୍ତ୍ର ଦିବସ: ଓଡ଼ିଶାର ୧୫ ଜଣଙ୍କୁ ସାହସିକତା ପୁରସ୍କାର, ୨ଜଣଙ୍କୁ ରାଷ୍ଟ୍ରପତି ପଦକ

କେବଳ ଦିଲ୍ଲୀ ନୁହେଁ, ଦେଶ ସୀମାରେ ସନ୍ଦିଗ୍ଧ ଗତିବିଧିକୁ ରୋକିବା ପାଇଁ ତୀକ୍ଷ୍ଣ ନଜର ରଖିଛନ୍ତି ଦେଶର ଜାଗ୍ରତ ପ୍ରହରୀ। LOCରେ ସେନା ପକ୍ଷରୁ ପାଟ୍ରୋଲିଂ ଜୋରଦାର କରାଯାଇଛି । ଆଧୁନିକ ଅସ୍ତ୍ରଶସ୍ତ୍ର ସହ ପଇଁତରା ମାରୁଛନ୍ତି ଯବାନ ।

ଚଳିତବର୍ଷ ପ୍ରଥମ ଥର ପାଇଁ ରିପବ୍ଲିକ୍ ଡେ ପରେଡରେ ଭାଗ ନେବେ ଦିଲ୍ଲୀ ପୋଲିସର ମହିଳା ପରେଡ୍ ଓ ବ୍ୟାଣ୍ଡ୍ କଣ୍ଟିଞ୍ଜେଣ୍ଟର । ୩୫୦ ଜଣ ପୋଲିସ ଅଧିକାରୀଙ୍କୁ ନେଇ ଗଠିତ ଏହି ଅଲ୍-ୱିମେନ୍ କଣ୍ଟିଞ୍ଜେଣ୍ଟରର ନେତୃତ୍ବ ନେବେ ଆଇପିଏସ୍ ଶ୍ବେତା କେ. ସୁଗଠନ । ସେ ଏବେ ଦିଲ୍ଲୀ ନର୍ଥରେ ଅତିରିକ୍ତି ଡିସିପି ଅଛନ୍ତି । ଶ୍ବେତା ଗତବର୍ଷ ମଧ୍ୟ ଦିଲ୍ଲୀ ପୋଲିସ କଣ୍ଟିନଜେଣ୍ଟର ନେତୃତ୍ବ ନେଇଥିଲେ । ଏଥିସହ ବ୍ୟାଣ୍ଡରେ ଭାଗ ନେବେ ଜଣେ ୫୭ ବର୍ଷୀୟା ପୋଲିସ ଅଧିକାରୀ କିରଣ ସେଠୀ। ଏହି ମହିଳା କଣ୍ଟିଞ୍ଜେଣ୍ଟ ଫୁଲଡ୍ରେସ୍ ରିହର୍ସାଲ୍ କରିବା ବେଳେ, ସେମାନଙ୍କ ଉପରେ ଦିଲ୍ଲୀ ପୋଲିସ ପକ୍ଷରୁ ପୁଷ୍ପ ବୃଷ୍ଟି କରାଯାଇଥିଲା ।