ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମା ଅବଧି ବର୍ଷେ ବଢ଼ିଲା, ନୂଆ ଆବେଦନ ପାଇଁ ଏକ ମାସ ସମୟ

ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟବୀମା ନିମନ୍ତେ ବାର୍ଷିକ ପ୍ରିମିୟମ ବାବଦକୁ ୮କୋଟି ୫୫ ଲକ୍ଷ ୭୬ ହଜାର ୩୧୪ଟଙ୍କାର ଚେକକୁ ଆଜି ବିଭାଗର ନିର୍ଦ୍ଦେଶକ ସରୋଜ କୁମାର ସାମଲ ସମ୍ପୃକ୍ତ ବୀମା କମ୍ପାନୀ ପ୍ରତିନିଧିଙ୍କୁ ହସ୍ତାନ୍ତର କରିଛନ୍ତି।

ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମା ଅବଧି ବର୍ଷେ ବଢ଼ିଲା, ନୂଆ ଆବେଦନ ପାଇଁ ଏକ ମାସ ସମୟ

କର୍ମଜୀବୀ ସାମ୍ବାଦିକଙ୍କୁ ରାଜ୍ୟ ସରକାର ଯୋଗାଇ ଦେଉଥିବା ସ୍ୱାସ୍ଥ୍ୟବୀମାର ଅବଧିକୁ ଆଜି ଆଉ ଏକବର୍ଷ ପାଇଁ ବୃଦ୍ଧି କରିଛନ୍ତି । ଆସନ୍ତକାଲିଠୁ ଅର୍ଥାତ୍ ସେପ୍ଟେମ୍ବର ୧ରୁ ୨୦୨୫ ଅଗଷ୍ଟ ୩୧ତାରିଖ ପର୍ଯ୍ୟନ୍ତ ଏହି ବୀମା ବଳବତ୍ତର ରହିବ । ଏହା ଦ୍ୱାରା ୭୦୪୧ଜଣ ସାମ୍ବାଦିକ ଓ ତାଙ୍କ ପରିବାର ସଦସ୍ୟ ଉପକୃତ ହେବେ । ପୂର୍ବରୁ ପଞ୍ଜିକୃତ ସାମ୍ବାଦିକମାନଙ୍କୁ ଏହି ବୀମା ପାଇଁ ପୁନର୍ବାର ଆବେଦନ କରିବାର ଆବଶ୍ୟକତା ନଥିବାବେଳେ ନୂତନ ଭାବେ ପଞ୍ଜିକୃତ ହେବାକୁ ଇଚ୍ଛୁକ ସାମ୍ବାଦିକମାନଙ୍କୁ ଏକମାସ ମଧ୍ୟରେ ଆବେଦନ କରିବାକୁ ପରାମର୍ଶ ଦିଆଯାଇଛି ।

ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟବୀମା ନିମନ୍ତେ ବାର୍ଷିକ ପ୍ରିମିୟମ ବାବଦକୁ ୮କୋଟି ୫୫ ଲକ୍ଷ ୭୬ ହଜାର ୩୧୪ଟଙ୍କାର ଚେକକୁ ଆଜି ବିଭାଗର ନିର୍ଦ୍ଦେଶକ ସରୋଜ କୁମାର ସାମଲ ସମ୍ପୃକ୍ତ ବୀମା କମ୍ପାନୀ ପ୍ରତିନିଧିଙ୍କୁ ହସ୍ତାନ୍ତର କରିଛନ୍ତି।

ବିଗତ ବର୍ଷରେ ପଞ୍ଜିକୃତ ହୋଇ ସ୍ୱାସ୍ଥ୍ୟବୀମା ସୁବିଧା ପାଉଥିବା ସାମ୍ବାଦିକମାନଙ୍କୁ ପୁଣିଥରେ ଆବେଦନ କରିବାର ଆବଶ୍ୟକ ନାହିଁ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ନୂତନ ଭାବେ ପଞ୍ଜିକୃତ ହେବାକୁ ଇଚ୍ଛୁକ ଥିବା ଆବେଦନକାରୀଙ୍କ ନିମନ୍ତେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ବିଭାଗର ପୋର୍ଟାଲ ଖୋଲାଯିବ । ପଞ୍ଜିକରଣ ପାଇଁ ଏକ ମାସ ପର୍ଯ୍ୟନ୍ତ ପ୍ରକ୍ରିୟା ଜାରି ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ, ସାମ୍ବାଦିକମାନଙ୍କୁ ରାଜ୍ୟ ସରକାର ବାର୍ଷିକ ୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ସୁବିଧା ଯୋଗାଇ ଦେଉଛନ୍ତି ।