ସିଆରପିଏଫ୍ ଯବାନଙ୍କ ପତ୍ନୀଙ୍କୁ ବିଭତ୍ସ ହତ୍ୟା
ନୟାଗଡ଼ : ନୟାଗଡ଼ ଜିଲ୍ଲା ରଣପୁର ଥାନା ରାଜସୁନାଖଳା ଫାଣ୍ଡି ଅନ୍ତର୍ଗତ କାସନ୍ଦା ପଞ୍ଚାୟତ କୋଟଣିଶୀଳା ଗାଁରେ ଜଣେ ମହିଳାଙ୍କୁ ବିଭତ୍ସ ହତ୍ୟା କରାଯାଇଛି । ମୃତ ମହିଳା ଜଣଙ୍କ ହେଲେ ସିଆରପିଏଫ୍ ଯବାନ୍ ଶରତ ବେହୁରାଙ୍କ ପତ୍ନୀ ନମିତା ରାଣୀ ବେହେରା । ବୟସ ୫୨ ବର୍ଷ । ଆଜି ସକାଳୁ ମହିଳାଙ୍କ ମୃତଦେହ ତାଙ୍କ ଘର ଭିତରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖାଯାଇଥିଲା । ମିଳିଥିବା ସୂଚନାନୁସାରେ, ସିଆର୍ପିଏଫ୍ ଯବାନ ଶରତ ବେହୁରା […]

ନୟାଗଡ଼ : ନୟାଗଡ଼ ଜିଲ୍ଲା ରଣପୁର ଥାନା ରାଜସୁନାଖଳା ଫାଣ୍ଡି ଅନ୍ତର୍ଗତ କାସନ୍ଦା ପଞ୍ଚାୟତ କୋଟଣିଶୀଳା ଗାଁରେ ଜଣେ ମହିଳାଙ୍କୁ ବିଭତ୍ସ ହତ୍ୟା କରାଯାଇଛି । ମୃତ ମହିଳା ଜଣଙ୍କ ହେଲେ ସିଆରପିଏଫ୍ ଯବାନ୍ ଶରତ ବେହୁରାଙ୍କ ପତ୍ନୀ ନମିତା ରାଣୀ ବେହେରା । ବୟସ ୫୨ ବର୍ଷ । ଆଜି ସକାଳୁ ମହିଳାଙ୍କ ମୃତଦେହ ତାଙ୍କ ଘର ଭିତରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖାଯାଇଥିଲା ।
ମିଳିଥିବା ସୂଚନାନୁସାରେ, ସିଆର୍ପିଏଫ୍ ଯବାନ ଶରତ ବେହୁରା ଏବଂ ନମିତାରାଣୀଙ୍କ ୨ଟି ଝିଅ ଓ ଗୋଟିଏ ପୁଅ । ବଡ଼ ଝିଅ ପାଟବନ୍ଧ ଗାଁରେ ବିବାହ କରିଥିବା ବେଳେ ସାନଝିଅ ଲିଜି ସ୍ୱାଇଁ ନମିତାଙ୍କ ଘର ସାମ୍ନା ଶରତ ସ୍ୱାଇଁଙ୍କୁ ବିବାହ କରିଥିଲେ । ପୁଅ କୈାଣସି କାରଣରୁ ବାହାରେ ରହୁଥିବାରୁ ନମିତା ଘରେ ଏକାକୀ ରହୁଥିଲେ । ନମିତାଙ୍କ ଘରକୁ ବୋଲଗଡ଼ ଥାନା ଅନ୍ତର୍ଗତ ମାଣିକାଗୋଡ଼ା ଗ୍ରାମର ଜଣେ ମୁସଲିମ୍ ଯୁବକ ନିୟମିତ ଯା-ଆସ କରୁଥିଲେ । ଉକ୍ତ ଯୁବକଙ୍କ ସହ ଘର ସାମ୍ନାରେ ବାହା ହୋଇଥିବା ସାନଝିଅଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ସାନଝିଅ ଲିଜି ସାବିତ୍ରୀ ପର ଦିନ ଶରତଙ୍କୁ ଛାଡ଼ି ମାଣିକାଗୋଡ଼ା ଗ୍ରାମର ଯୁବକଙ୍କ ସହ ପଳାଇ ଯାଇଥିବା ଗ୍ରାମବାସୀଙ୍କ ସୁତ୍ରରୁ ଜଣାପଡ଼ିଛି । ଏହି ଘଟଣା ପଛରେ ଶାଶୁଙ୍କ ହାତଥିବା ସନ୍ଦେହ କରି ଶରତ ଏବଂ ନମିତାଙ୍କ ମଧ୍ୟରେ ବଚସା ମଧ୍ୟ ହୋଇଥିବା ସୂଚନା ମିଳିଛି ।
ଅନ୍ୟପକ୍ଷେ, ନମିତା ଏବଂ ମାଣିକାଗୋଡ଼ା ଗ୍ରାମର ଯୁବକଙ୍କ ମଧ୍ୟରେ ଏହାକୁ ନେଇ ବଚସା ହୋଇଥିବା ଆଲୋଚନା ହେଉଛି । ନମିତା ରାଣୀ ସ୍ଥାନୀୟ ଅଞ୍ଚଳର ଜଣେ ଚର୍ଚ୍ଚିତ ମହିଳା ଭାବେ ପରିଗଣିତ । ପୂର୍ବେ ସୁନାଖଳା ଅଧିନସ୍ଥ ବିଭିନ୍ନ ସ୍ଥାନରେ ହେଉଥିବା ଚୋରୀ, ଡକାୟତୀ ଓ ରାହାଜାନୀ ଘଟଣାରେ ତାଙ୍କର ସମ୍ପୃକ୍ତି ରହୁଥିବା ବେଳେ ଅନେକ ଡକାୟତଙ୍କ ସହ ତାଙ୍କର କାରବାର ରହିଥିଲା । ଦୀର୍ଘଦିନ ଧରି ନମିତା ନିଜେ ନିଶା ସେବନ କରି ଆସୁଥିବା ବେଳେ ବ୍ରାଉନସୁଗାର ଓ ମଦ ବ୍ୟବସାୟ ମଧ୍ୟ କରୁଥିବା ଆଲୋଚନା ହେଉଛି । ଆଜି ସକାଳୁ ମାଣିକାଗୋଡ଼ା ଗ୍ରାମର ଉକ୍ତ ଯୁବକ ନମିତାଙ୍କ ଘରକୁ ପ୍ରଥମେ ଆସିଥିଲେ । ନମିତାଙ୍କ ଅବସ୍ଥା ଦେଖି ଗ୍ରାମବାସୀଙ୍କୁ ଆମ୍ବୁଲାନ୍ସ ଡକାଇବା ପାଇଁ କହିଥିଲେ । ଯେଉଁଥିରୁ ନମିତାଙ୍କୁ କେହି ଗଳାକାଟି ହତ୍ୟା କରିଥିବା ଗ୍ରାମବାସୀ ଜାଣିବାକୁ ପାଇଥିଲେ ।
ଖବରପାଇ ରଣପୁର ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତି ସଦଳବଳେ ଉକ୍ତ ଗ୍ରାମରେ ପହଞ୍ଚି ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲେ । ନୟାଗଡ଼ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାଷ ପଣ୍ଡା, ଏସଡିପିଓ ସୁଧାକର ସାହୁ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ କରିଥିଲେ । ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଘଟଣାର ଖୋଳତାଡ଼ କରାଯାଇଥିବା ବେଳେ ଶବକୁ ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଏହି ଘଟଣାକୁ ନେଇ ନମିତାରାଣୀଙ୍କ ପୁଅ ଶାଶ୍ୱତ ସାମନ୍ତରାୟଙ୍କ ଅଭିଯୋଗ ଆଧାରରେ ରଣପୁର ଥାନାରେ ୨୧୩/୨୪ରେ ଏକ ହତ୍ୟା ମାମଲା ରୁଜୁ ହୋଇଥିବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାଷ ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ରଣପୁର ଥାନା ଅଧିକାରୀଙ୍କ ନେତୃତ୍ୱରେ ଘଟଣାର ତଦନ୍ତ କରାଯାଉଥିବା ବେଳେ ପୁଲିସ ସାନଜ୍ୱାଇଁ ଶରତ ସ୍ୱାଇଁ ଏବଂ ମାଣିକାଗୋଡ଼ା ଗ୍ରାମର ଉକ୍ତ ଯୁବକଙ୍କୁ ଅଟକ ରଖିଛି । ହତ୍ୟାରେ ବ୍ୟବହୃତ ଛୁରୀକୁ ପୁଲିସ ଜବତ କରିଥିବା ଏବଂ ହତ୍ୟାକାଣ୍ଡ ଜ୍ୱାଇଁ ଶରତ ଘଟାଇଥିବା ଶରଣକୁଳ ଏସଡିପିଓ ଶ୍ରୀଯୁକ୍ତ ସାହୁ ସୂଚନା ଦେଇଛନ୍ତି ।