ସିମେଣ୍ଟ ବୋଝେଇ ଟ୍ରକ୍‌ ତଳେ ଚାପି ହୋଇଗଲେ ୧୨ ଶ୍ରମିକ

ଠାକୁରମୁଣ୍ଡା ଥାନା ଖଣ୍ଡବନ୍ଧ ଗାଁରୁ ଏକ ସିମେଣ୍ଟ ବୋଝେଇ ଟ୍ରକ୍‌ ସାରୁବିଲ ଓ ଅସନବଣି ଗ୍ରାମକୁ ଯାଉଥିଲା। ସିମେଣ୍ଟ ବୋଝେଇ ଟ୍ରକ୍‌ ଉପରେ ୧୧ ଜଣ ଶ୍ରମିକ ବସିଥିଲେ। ତେବେ ଯୋଡିବିଲ ଗାଁ ବୁଲାଣିରେ ଟ୍ରକ୍‌ଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା।

ସିମେଣ୍ଟ ବୋଝେଇ ଟ୍ରକ୍‌ ତଳେ ଚାପି ହୋଇଗଲେ ୧୨ ଶ୍ରମିକ

ମଝି ରାସ୍ତାରେ ଓଲଟି ପଡ଼ିଲା ସିମେଣ୍ଟ ବୋଝେଇ ଟ୍ରକ୍‌। ଆଉ ସିମେଣ୍ଟ ବୋଝେଇ ଟ୍ରକ୍‌ ତଳେ ଚାପି ହୋଇଗଲେ ୧୨ ଶ୍ରମିକ। ସେମାନଙ୍କ ଭିତରୁ ୪ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି। ଆଜି ସନ୍ଧ୍ୟା ବେଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଭୀମକୁଣ୍ଡ-କେନ୍ଦୁଜିଆଣି ରାସ୍ତାରେ ଘଟିଛି।

ଠାକୁରମୁଣ୍ଡା ଥାନା ଖଣ୍ଡବନ୍ଧ ଗାଁରୁ ଏକ ସିମେଣ୍ଟ ବୋଝେଇ ଟ୍ରକ୍‌ ସାରୁବିଲ ଓ ଅସନବଣି ଗ୍ରାମକୁ ଯାଉଥିଲା। ସିମେଣ୍ଟ ବୋଝେଇ ଟ୍ରକ୍‌ ଉପରେ ୧୧ ଜଣ ଶ୍ରମିକ ବସିଥିଲେ। ତେବେ ଯୋଡିବିଲ ଗାଁ ବୁଲାଣିରେ ଟ୍ରକ୍‌ଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା। ଯାହାଫଳରେ ଡ୍ରାଇଭର ଶଙ୍କର ବାସ୍କେଙ୍କ ସମେତ ସବୁ ଶ୍ରମିକ ଡାଲା ତଳେ ଚାପି ହୋଇଯାଇଥିଲେ।

ସ୍ଥାନୀୟ ଲୋକେ ଆହତ ଶ୍ରମିକମାନଙ୍କୁ ଉଦ୍ଧାର କରି ଠାକୁରମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଗୁରୁତର ଆହତ ହୋଇଥିବା ଡ୍ରାଇଭର ଶ୍ରୀ ବାସ୍କେ, ଶ୍ରମିକ ସାରୁବିଲ ଗାଁର ଜୟସିଂ ମାରାଣ୍ଡି, ଅସନବଣି ଗ୍ରାମର ଅଜୟ ହୋ ଓ ରଘୁ ମାଝୀଙ୍କୁ ଘଷିପୁରା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ଏବେ ସେଠାରେ ତାଙ୍କର ଚିକିତ୍ସା ଚାଲିଛି।

ଆହତ ହୋଇଥିବା ଅନ୍ୟ ଶ୍ରମିକମାନେ ହେଲେ ଅସନବଣି ଗ୍ରାମର ଚନ୍ଦ୍ର ମାଝୀ, ସମାୟ ଟୁଡୁ, ରାମଚନ୍ଦ୍ର ମାଝୀ, ରାମ ମାରାଣ୍ଡି ଓ ସାରୁବିଲ ଗ୍ରାମର ଜୟସିଂ ମାରାଣ୍ଡି, ଖୁଦୁ ମାରାଣ୍ଡି, ପରେଶ ଚନ୍ଦ୍ର ସରେନ, ଚୁଡ଼ିଆ ମାଝି। ସେମାନଙ୍କୁ ଠାକୁରମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଠାକୁରମୁଣ୍ଡା ଥାନା ପୁଲିସ ଘଟଣାର ତଦନ୍ତ ଚଳାଇଛି।

ରିପୋର୍ଟ- ଉଦଳାରୁ ଅଭିଜିତ ବିଶ୍ୱାଳ