ସିରିଆରେ ଭୂତଳ କ୍ଷେପଣାସ୍ତ୍ର କାରଖାନାକୁ କାହିଁକି ଧ୍ୱଂସ କଲା ଇସ୍ରାଏଲ ସେନା?

୮ ସେପ୍ଟେମ୍ବର ୨୦୨୪ରେ 'ଅପରେସନ୍ ମେନି ୱେଜ୍' ଆରମ୍ଭ କରିଥିଲା ଇସ୍ରାଏଲ ସେନା। ସିରିଆରେ ଇରାନ ଅନୁଦାନପ୍ରାପ୍ତ ଭୂତଳ କ୍ଷେପଣାସ୍ତ୍ର କାରଖାନାକୁ ୩ ଘଣ୍ଟାରେ ଧ୍ୱଂସ କରିଦେଇଥିଲା। ଏହି କାରଖାନା ଇରାନର କ୍ଷେପଣାସ୍ତ୍ର ଉତ୍ପାଦନର ଏକ ପ୍ରମୁଖ ପ୍ରକଳ୍ପ ଥିଲା।

ସିରିଆରେ ଭୂତଳ କ୍ଷେପଣାସ୍ତ୍ର କାରଖାନାକୁ କାହିଁକି ଧ୍ୱଂସ କଲା ଇସ୍ରାଏଲ ସେନା?

ଇସ୍ରାଏଲ୍ ବାୟୁସେନା(IAF) ସିରିଆରେ ୨୦୨୪ରେ କରିଥିବା ଏକ ବଡ଼ ଅଭିଯାନରେ ସଫଳ ହୋଇଥିଲା, ଯାହାର ସବିଶେଷ ବିବରଣୀ ଏବେ ପ୍ରକାଶ କରାଯାଇଛି। ଏହି ଅଭିଯାନରେ ୧୨୦ ଇସ୍ରାଏଲୀ କମାଣ୍ଡୋ ସିରିଆରେ ପଶି ଇରାନ ଦ୍ୱାରା ଅନୁଦାନପ୍ରାପ୍ତ ଭୂତଳ କ୍ଷେପଣାସ୍ତ୍ର କାରଖାନାକୁ କେବଳ ୩ ଘଣ୍ଟାରେ ଧ୍ୱଂସ କରିଦେଇଥିଲେ। ୮ ସେପ୍ଟେମ୍ବର ୨୦୨୪ରେ ହୋଇଥିବା ଏହି 'ଅପରେସନ୍ ମେନି ୱେଜ୍' ବିଷୟରେ ଗୁରୁବାର ଖୁଲାସା କରିଛି ଇସ୍ରାଏଲ୍ ବାୟୁସେନା। ଏହି ଆକ୍ରମଣରେ ସିରିଆରେ 'ଇରାନ କ୍ଷେପଣାସ୍ତ୍ର ଅଭିଯାନ'ର ମେରୁଦଣ୍ଡ ଭାଙ୍ଗି ଯାଇଛି।

ସିରିଆରେ ଥିବା ଇରାନ ଅନୁଦାନପ୍ରାପ୍ତ ଏହି ଭୂତଳ କ୍ଷେପଣାସ୍ତ୍ର କାରଖାନା 'ଡିପ୍ ଲେୟର' ଭାବରେ ଜଣାଶୁଣା। ଏହା ପଶ୍ଚିମ ସିରିଆର ମସୟାଫ୍ ଅଞ୍ଚଳରେ ଥିଲା ବୋଲି ଜଣାପଡ଼ିଛି। ଏହି କାରଖାନା ସିରିଆର ବାୟୁ ପ୍ରତିରକ୍ଷାର ଆଶାବାଡ଼ି ଥିଲା ବୋଲି କୁହାଯାଏ। ଇସ୍ରାଏଲର ଅଧିକାରୀମାନେ ଦାବି କରିଛନ୍ତି ଯେ ଏହି କାରଖାନା ଇରାନର କ୍ଷେପଣାସ୍ତ୍ର ଉତ୍ପାଦନର ଏକ ପ୍ରମୁଖ ପ୍ରକଳ୍ପ ଥିଲା। ଏହା ଲେବନାନରେ ହିଜବୁଲ୍ଲା ଏବଂ ସିରିଆରେ ଅସଦ ଶାସନକୁ କ୍ଷେପଣାସ୍ତ୍ର ଯୋଗାଇବା ଲକ୍ଷ୍ୟରେ ସ୍ଥାପନ କରାଯାଇଥିଲା। ଅଧିକାରୀମାନେ ଦାବି କରିଛନ୍ତି ଯଦିଓ ଏହି ଅପରେସନରେ ଇରାନ ଅନୁଦାନପ୍ରାପ୍ତ କ୍ଷେପଣାସ୍ତ୍ର କାରଖାନା ନଷ୍ଟ ହୋଇଛି, ହେଲେ ଏଥିରେ ଇସ୍ରାଏଲ ସେନାଙ୍କର କୌଣସି କ୍ଷତି ହୋଇନାହିଁ।

IAF ସୂଚନା ଅନୁଯାୟୀ, ଦକ୍ଷିଣ ସିରିଆର ରକେଟ୍ ଇଞ୍ଜିନ ଉତ୍ପାଦନସ୍ଥଳରେ ପ୍ରଥମ ଇସ୍ରାଏଲ୍ ଏୟାର ଷ୍ଟ୍ରାଇକ୍ ପରେ ୨୦୧୭ର ଶେଷ ଭାଗରେ ଏହି ଇରାନର କ୍ଷେପଣାସ୍ତ୍ର କାରଖାନା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଭବିଷ୍ୟତରେ ସମ୍ଭାବ୍ୟ ଆକ୍ରମଣରୁ ଏହାର କ୍ଷେପଣାସ୍ତ୍ର ଉତ୍ପାଦନ କ୍ଷମତାକୁ ରକ୍ଷା କରିବା ପାଇଁ ଇରାନ ନିଜର ପ୍ରକଳ୍ପକୁ ଭୂତଳକୁ ନେବାକୁ ବାଧ୍ୟ ହୋଇଥିଲା। ଏହାପରେ ୨୦୨୧ ମସିହାରେ ପାର୍ବତ୍ୟାଞ୍ଚଳରୁ ପ୍ରାୟ ୭୦ରୁ ୧୩୦ ମିଟର ମାଟିତଳେ ଏହି କାରଖାନା ନିର୍ମାଣ ଆରମ୍ଭ ହୋଇଥିଲା। ଯେଉଁଥିରେ କ୍ଷେପଣାସ୍ତ୍ର ତିଆରି ଆରମ୍ଭ ହୋଇଥିଲା।

ଭୂତଳ ନିର୍ମିତ ଏହି କ୍ଷେପଣାସ୍ତ୍ର କାରଖାନାର ଆକୃତି ଏକ ଘୋଡା ଖୁରା ପରି ଥିଲା, ଯାହାର ତିନୋଟି ପ୍ରବେଶ ଦ୍ୱାର ଥିଲା। ଏଥିରୁ ଗୋଟିଏ ଦ୍ୱାର ଦେଇ କଞ୍ଚାମାଲ ଅଣାଯାଉଥିଲା, ଦ୍ୱିତୀୟ ଦ୍ୱାର ଦେଇ କ୍ଷେପଣାସ୍ତ୍ରଗୁଡ଼ିକୁ ବାହାରକୁ ଅଣାଯାଉଥିଲା। ଲଜିଷ୍ଟିକ୍ସ ଏବଂ ଅଫିସରେ ପହଞ୍ଚିବା ପାଇଁ ତୃତୀୟ ଦ୍ୱାର ଥିଲା। ଆଇଏଏଫ୍ ଆକଳନ କରିଛି ଯେ କାରଖାନାରେ ବାର୍ଷିକ ୧୦୦ରୁ ୩୦୦ ଶକ୍ତିଶାଳୀ କ୍ଷେପଣାସ୍ତ୍ର ଉତ୍ପାଦନ ହେବା ଭଳି କ୍ଷମତା ଥିଲା।

ରଣନୈତିକ ଦୃଷ୍ଟିରୁ ଇସ୍ରାଏଲ୍ ସୀମାର ମାତ୍ର ୨୦୦ କିଲୋମିଟର ଉତ୍ତରରେ ଏବଂ ସିରିଆର ପଶ୍ଚିମ ଉପକୂଳଠାରୁ ୪୫ କିଲୋମିଟର ଦୂରରେ ଅବସ୍ଥିତ ଏହି କାରଖାନା ଦ୍ୱାରା ଇରାନ ହିଜବୁଲ୍ଲା ପାଇଁ ଅସ୍ତ୍ରଶସ୍ତ୍ର ପରିବହନ କରିବା ସହ ଇସ୍ରାଏଲ ଆକ୍ରମଣକୁ ରୋକିବା ପାଇଁ ଏକ ମାଧ୍ୟମ ଯୋଗାଇ ଦେଇଥିଲା। ହିଜବୁଲ୍ଲାକୁ ସିରିଆ ସୀମାରୁ ସିଧାସଳଖ କ୍ଷେପଣାସ୍ତ୍ର ଯୋଗାଇବାକୁ ସକ୍ଷମ ହୋଇଥିଲା ଇରାନ। ତେଣୁ ଇସ୍ରାଏଲ ଏହାକୁ ଧ୍ୱଂସ କରିବାକୁ ନିଷ୍ପତ୍ତି ନେଇଥିଲା। ଅନୁକୂଳ ପାଣିପାଗ କାରଣରୁ ମିଶନର ତାରିଖ ଚୟନ କରାଯାଇଥିଲା। ବ୍ୟାପକ ଗୁପ୍ତଚର ତଥ୍ୟ ସହ ଏହି ଅପରେସନର ଲେଆଉଟ୍ ମ୍ୟାପ୍ ପ୍ରସ୍ତୁତ କରାଯାଇଥିଲା।