ସୁଧୁରୁନି କାନାଡ଼ା, ଖଲିସ୍ତାନୀ ନିଜ୍ଜର ଶ୍ରାଦ୍ଧ ବାର୍ଷିକୀରେ ସଂସଦରେ ମୌନ ବ୍ରତ

ନିଜ୍ଜରଙ୍କ ମୃତ୍ୟୁକୁ ଏକ ବର୍ଷ ପୂରଣ ହେବା ଓ ତାଙ୍କ ଶ୍ରାଦ୍ଧବାର୍ଷିକୀକୁ ନେଇ ମଙ୍ଗଳବାର କାନାଡାର ହାଉସ୍‌ ଅଫ୍‌ କମନ୍ସରେ ମୌନ ବ୍ରତ ରଖାଯାଇଥିଲା।

ସୁଧୁରୁନି କାନାଡ଼ା, ଖଲିସ୍ତାନୀ ନିଜ୍ଜର ଶ୍ରାଦ୍ଧ ବାର୍ଷିକୀରେ ସଂସଦରେ ମୌନ ବ୍ରତ

ସୁଧୁରୁନି କାନାଡ଼ା। ଗୋଟିଏ ପଟେ ଜି୭ ସମ୍ମିଳନୀରେ ଭାରତ ସହ ସମ୍ପର୍କ ସୁଧାରିବା ପାଇଁ ଅଲୋଚନା କରିଥିବା ବେଳେ ଆଉ ଗୋଟିଏ କାନାଡ଼ା ସାଂସଦରୁ ଏକ ଭିନ୍ନ ଚିତ୍ର ସାମ୍ନାକୁ ଆସିଛି। ଖଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂହ ନିଜ୍ଜରଙ୍କ ପାଇଁ କାନାଡା ସାଂସଦରେ ଏକ ମିନିଟର ମୌନବ୍ରତ ପାଳନ କରାଯାଇଛି।

ନିଜ୍ଜରଙ୍କ ମୃତ୍ୟୁକୁ ଏକ ବର୍ଷ ପୂରଣ ହେବା ଓ ତାଙ୍କ ଶ୍ରାଦ୍ଧ ବାର୍ଷିକୀକୁ ନେଇ ମଙ୍ଗଳବାର କାନାଡ଼ାର ହାଉସ୍‌ ଅଫ୍‌ କମନ୍ସରେ ମୌନ ବ୍ରତ ରଖାଯାଇଥିଲା। ହାଉସ ଅଫ୍ କମନ୍ସରେ ପ୍ରଥମ ବକ୍ତା ଗ୍ରେଗ ଫର୍ଗସ୍ ନିଜ୍ଜରଙ୍କ ପାଇଁ ସମବେଦନା ବାର୍ତ୍ତା ପଢ଼ିଥିଲେ। ପରେ ସମସ୍ତ ସାଂସଦଙ୍କୁ ନିଜ୍ଜରଙ୍କ ପାଇଁ ଏକ ମିନିଟ୍‌ ଯାଏଁ ମୌନ ବ୍ରତ ପାଳନ କରିବାକୁ କୁହାଯାଇଥିଲା।

ସେପଟେ ମଙ୍ଗଳବାର ଦିନ ହିଁ ବେଙ୍କୁଭରରେ ଭାରତୀୟ କନସୁଲେଟ୍ ବାହାରେ ବହୁ ସଂଖ୍ୟାରେ ଜନସମାଗମ ହୋଇଥିଲା ଏବଂ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଖବର ମୁତାବକ SFJ ଅର୍ଥାତ୍ ଶିଖ୍ ଫର ଜଷ୍ଟିସ୍‌ର ଆହ୍ୱାନରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ତାଙ୍କର ବିଚାର କରାଯାଇଥିଲା।

ଏହାପୂର୍ବରୁ କାନାଡ଼ାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ କହିଥିଲେ ସେ ଭାତର ନୂଆ ସରକାରଙ୍କ ସହ ଅର୍ଥନୈତିକ ସମ୍ପର୍କ ଏବଂ ଜାତୀୟ ନିରାପତ୍ତା ପ୍ରସଙ୍ଗ ଉପରେ ଆଲୋଚନା କରିବାର ଏହା ଏକ ସୁଯୋଗ ଚାହୁଁଛନ୍ତି। G7 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ପରେ ସେ ଏହା କହିଥିଲେ।

କହିରଖୁ ଯେ, ଗତ ବର୍ଷ ଜୁନ ୧୮ ତାରିଖରେ ଆକ୍ରମଣକାରୀଙ୍କ ଦ୍ୱାରା ନିଜ୍ଜରଙ୍କୁ ହତ୍ୟା କରାଯାଇଥିଲା। କାନାଡାର ସୁରେରେ ଘଟିଥିବା ଏହି ହତ୍ୟାକାଣ୍ଡର ତଦନ୍ତ ଜାରି ରହିଛି। ନିଜ୍ଜର ଖାଲିସ୍ତାନ ଟାଇଗର ଫୋର୍ସର ମୁଖ୍ୟ ଥିଲେ। ବିଶେଷ କଥା ହେଉଛି ଏହି ହତ୍ୟାକାଣ୍ଡରେ ଭାରତ ସରକାରଙ୍କ ସମ୍ପୃକ୍ତି ନେଇ କାନାଡ଼ା ସରକାର ଆଶଙ୍କା ବ୍ୟକ୍ତ କରିଛନ୍ତି। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କକୁ ନେଇ ତିକ୍ତତା ଜାରି ରହିଛି।