ସୁନାର ଚମକ
ପାର୍ଥିବ ଜଗତରେ ଐଶ୍ୱର୍ଯ୍ୟର ପ୍ରତୀକ ସୁନା। ଆମ ଚଳଣି ଏପରି ଯେ ସାମାଜିକ କାର୍ଯ୍ୟକ୍ରମରେ ସୂକ୍ଷ୍ମାଳଙ୍କାର ଉପହାର ବିଧି ଏବେ ବି ପ୍ରଚଳିତ। ସେହିଭଳି ଦଶହରା, ଦୀପାବଳି ଓ ଧନତେରାସରେ ସୌଭାଗ୍ୟର ପ୍ରତୀକରୂପେ ସୁନା କିଣିବାର ଧର୍ମୀୟ ବିଶ୍ବାସ ଓ ପରମ୍ପରା ରହିଛି। ସର୍ବୋପରି ବିବାହ ଋତୁ ଆସିଗଲେ ଅଳଙ୍କାର ଦେକାନରେ ନାହିଁ ନ ଥିବା ଭିଡ଼ ଅନୁଭୂତ ହୁଏ। ବର୍ଦ୍ଧିତ ଚାହିଦା ଅନୁଯାୟୀ ସୁନା ମୂଲ୍ୟ ବଢ଼ିଚାଲେ। କ୍ରମାଗତଭାବେ ସୁନାମୂଲ୍ୟ ବଢ଼ୁଥିବାର ଲକ୍ଷ୍ୟକରି ବହୁ କୁଳିତା […]

ପାର୍ଥିବ ଜଗତରେ ଐଶ୍ୱର୍ଯ୍ୟର ପ୍ରତୀକ ସୁନା। ଆମ ଚଳଣି ଏପରି ଯେ ସାମାଜିକ କାର୍ଯ୍ୟକ୍ରମରେ ସୂକ୍ଷ୍ମାଳଙ୍କାର ଉପହାର ବିଧି ଏବେ ବି ପ୍ରଚଳିତ। ସେହିଭଳି ଦଶହରା, ଦୀପାବଳି ଓ ଧନତେରାସରେ ସୌଭାଗ୍ୟର ପ୍ରତୀକରୂପେ ସୁନା କିଣିବାର ଧର୍ମୀୟ ବିଶ୍ବାସ ଓ ପରମ୍ପରା ରହିଛି। ସର୍ବୋପରି ବିବାହ ଋତୁ ଆସିଗଲେ ଅଳଙ୍କାର ଦେକାନରେ ନାହିଁ ନ ଥିବା ଭିଡ଼ ଅନୁଭୂତ ହୁଏ। ବର୍ଦ୍ଧିତ ଚାହିଦା ଅନୁଯାୟୀ ସୁନା ମୂଲ୍ୟ ବଢ଼ିଚାଲେ। କ୍ରମାଗତଭାବେ ସୁନାମୂଲ୍ୟ ବଢ଼ୁଥିବାର ଲକ୍ଷ୍ୟକରି ବହୁ କୁଳିତା ଓ ସମ୍ଭ୍ରାନ୍ତ ପରିବାର ବିବାହଯୋଗ୍ୟ କନ୍ୟା ପାଇଁ ଯଥେଷ୍ଟ ପୂର୍ବରୁ ସୁନାଳଙ୍କାର ସମ୍ପତ୍ତି ରୂପେ ରଖୁଥିବାର ମାନସିକତା ମଧ୍ୟ ରହିଛି। ସାମାଜିକ କାର୍ଯ୍ୟକ୍ରମରେ ନିଜକୁ ପ୍ରଦର୍ଶନ କରିବାର ପ୍ରତିସ୍ପର୍ଦ୍ଧା ମହିଳାଙ୍କଠାରେ ଅଧିକ ଅନୁଭୂତ ହୁଏ। ବଜାରରେ ଉପଲବ୍ଧ ସର୍ବାଧୁନିକ ଡିଜାଇନର ଅଳଙ୍କାର ପିନ୍ଧି ସମ୍ଭ୍ରାନ୍ତୀୟ ଠାଣିରେ ଯୋଗ ଦେଉଥିବା ମହିଳାଙ୍କ ସଂଖ୍ୟା କିଛି କମ୍ ନୁହେଁ। ଦିନକୁ ଦିନ ବଢ଼ୁଥିବା ମୂଲ୍ୟକୁ ଦୃଷ୍ଟିରେ ରଖି ସୁନା ଅଳଙ୍କାର ଛିନ୍ତାଇ ଓ ଲୁଟ୍ ଅପରାଧିକ ତତ୍ତ୍ୱଙ୍କ ନିଶାଣକୁ ଆସିଯାଇଛି। ଏହି ପ୍ରତିକୂଳ ପରିସ୍ଥିତିରେ ବ୍ୟାଙ୍କ ଲକରରେ ଅଳଙ୍କାର ସଂପାତି ରଖିବାକୁ ଅନେକ ଉଚିତ ମଣୁଛନ୍ତି। ଯଦି ଲକର ହିଁ ଶେଷ ମାର୍ଗ, ତେବେ ଏତେ ମୂଲ୍ୟବାନ ଅଳଙ୍କାର କିଣିବ କାହିଁକି? ଯେଉଁ ହାରରେ ସୁନାମୂଲ୍ୟ ବଢ଼ୁଛି, ଏକ ଅନିଶ୍ଚିତ ଭବିଷ୍ୟତ ପାଇଁ ତାହା ହିଁ ଦିନେ ସୁରକ୍ଷା କବଚ ହୋଇପାରେ। ଆମେ ଏଠାରେ ଉଲ୍ଲେଖ କରିପାରିବା ଯେ ସୁନଋଣ ପରିମାଣ ଆଶାତୀତ ଭାବେ ବୃଦ୍ଧି ପାଇଛି। ନିମ୍ନ-ମଧ୍ୟବିତ୍ତ ପରିବାର କ୍ରମାଗତ ଉପାର୍ଜନ ହ୍ରାସ ଭଳି ପରିସ୍ଥିତିରେ ବ୍ୟାଙ୍କରେ ସୁନାବନ୍ଧକ ରଖି ଜଟିଳ ସ୍ଥିତିକୁ ମୁକାବିଲା କରୁଛନ୍ତି। ତେଣୁ ଆମ ବ୍ୟବସ୍ଥାରେ ସୁନାର ଅପରହାର୍ଯ୍ୟ ଆବଶ୍ୟକତାକୁ ସଂପୂର୍ଣ୍ଣ ରୂପେ ଏଡ଼ାଇଦେଇ ହେବ ନାହିଁ।
ଏବେ ଆମେ ଆସିବା ସୁନା ମୂଲ୍ୟ କାହିଁକ ବଢ଼ୁଛି ଓ ବିଶ୍ୱବ୍ୟାପୀ ତାହାର ପ୍ରଭାବ କ’ଣ ସେ ବିଷୟରେ ଜାଣିବା। ପ୍ରଚଳିତ ବଜାର ଅର୍ଥନୀତିରେ ଦେଶ-ଦେଶ ମଧ୍ୟରେ ରହିଛି ବ୍ୟାପାରିକ ସଂପର୍କ। ଯେତେବେଳେ ଅର୍ଥନୀତିରେ ଅସ୍ଥିରତା ଓ ଅସଂହତି ପରିଲକ୍ଷିତ ହୁଏ ସେତେବେଳେ ନିବେଶକାରୀ ସୁରକ୍ଷିତ ବିକଳ୍ପ କ୍ଷେତ୍ର ଅନୁସନ୍ଧାନରେ ଥା’ନ୍ତି। ଅଧିକାଂଶ ବିତ୍ତଶାଳୀ ରାଷ୍ଟ୍ରର ଅଭିବୃଦ୍ଧି ହାରରେ ମନ୍ଥରତା ପରିଲକ୍ଷିତ ହେଉଥିବା ବେଳେ ସେୟାର ବଜାର ବା ପୁଞ୍ଜି ବଜାରରେ ଘନ ଘନ ବିପର୍ଯ୍ୟୟ ପରିଲକ୍ଷିତ ଘଟୁଛି। ତେଣୁ ନିବେଶ ସକାଶେ ସୁନା ହିଁ ସର୍ବଶେଷ ବିକଳ୍ପ। ଏହି ଉଭୟ ଦିଗ ଆମ ଦେଶରେ ଅନୁଭୂତ ହେଉଛି। ତୃତୀୟ ଦିଗଟି ହେଲା, ଡଲାର ତୁଳନାରେ ଭାରତୀୟ ଟଙ୍କା କ୍ରମାଗ ଭାବେ ଦୁର୍ବଳ ହୋଇଚାଲିଛି। ରିଜର୍ଭବ୍ୟାଙ୍କ ପକ୍ଷରୁ ସମସ୍ତ ପ୍ରତିଷେଧକ ବ୍ୟବସ୍ଥା ନିଷ୍ପଳ ହୋଇଚାଲିଛି। ସ୍ଥିତି ସୁଧାରିବା ପରିବର୍ତ୍ତେ ଅଧିକ ବିଗୁଡୁଛି। ଏବେ ଏକ ଡଲାରର ମୂଲ୍ୟ ୮୮ ଟଙ୍କାର ପହଞ୍ଚିଲାଣି। ତେଣୁ ଟଙ୍କା ଅପେକ୍ଷା ସଞ୍ଚିତ ସୁନା ହିଁ ଆଗକୁ ଅଧିକ ଲାଭପ୍ରଦ ହେବ। ଶେୟାର ବଜାର ଅପେକ୍ଷା ଅନେକେ ସୁନାରେ ନିବେଶ କରିବାକୁ ଉଚିତ ମଣୁଛନ୍ତି। ସ୍ଥିରତା ଓ ଅସ୍ଥିରତାର ପାର୍ଥକ୍ୟ ହିଁ ଏଠାରେ ବଡ଼କଥା। ବିଶେଷକରି ସୁନାର ମୂଲ୍ୟହ୍ରାସ ଏତେ ନଗଣ୍ୟ ଯେ ନିବେଶକାରୀ ବଡ଼ଧରଣର ବିପର୍ଯ୍ୟୟର ସମ୍ମୁଖୀନ ହେବାର ସମ୍ଭାବନା ଊଣା।
ବିଦେଶରୁ କଞ୍ଚାତେଲ (ପେଟ୍ରୋଲିୟମ) ପଛକୁ ସୁନା ଆମଦାନୀ ବାବଦରେ ସରକାରଙ୍କୁ ବିପୁଳ ବୈଦେଶିକ ମୁଦ୍ରା ଖର୍ଚ୍ଚ କରିବାକୁ ପଡ଼ିଥାଏ। ତେବେ ଭାରତରେ ନିର୍ମିତ ଅଳଙ୍କାର ରପ୍ତାନୀର ସୁଯୋଗ ଥିବାରୁ ସେ ବାବଦରେ ସରକାର ବେଶ ଉପାର୍ଜନ ମଧ୍ୟ କରିଥା’ନ୍ତି। ବାଣିଜ୍ୟ ନିଅଣ୍ଟ ଭରଣା କରିବାରେ ଏହାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବିଶ୍ୱ ବଜାରରେ ସୁନାର ଆଉନ୍ସ ପିଛା ମୂଲ୍ୟ ଏଥିମଧ୍ୟରେ ୨, ୮୦୦ ଡଲାର ଅତିକ୍ରମ କରିଛି। ସେହିଭଳି ଭାରତରେ ୧୦ଗ୍ରାମ ସୁନାର ମୂଲ୍ୟ ୮୭ ହଜାର ଟଙ୍କାରେ ପହଞ୍ଚିଛି। ବିବାହ ଋତୁରେ ଚାହିଦା ଯାହା ଥାଉନା କାହିଁକି ଦିଲ୍ଲୀ ଓ ଭୁବନେଶ୍ୱର ବଜାର ନିର୍ବିଶେଷରେ ଦର ସେହି ସମାନ ରହିଛି। ଗହଣା କ୍ଷେତ୍ରରେ ଯାହା ଗଢ଼ାମୂଲ ପାର୍ଥକ୍ୟ। ତେବେ ଗୋଟିଏ ଦିନରେ ସୁନା ମୂଲ୍ୟ ୧୦୦୦ ଟଙ୍କା ବଢ଼ି ଯାଇଥିବାରୁ ଆମ ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ୧୦ ଗ୍ରାମ ମୂଲ୍ୟ ୮୭, ୨୪୦ ଟଙ୍କା ଓ ୨୨ କ୍ୟାରେଟ ସୂନା ମୂଲ୍ୟ ୮୦, ୦୦୦ ଟଙ୍କାରେ ପହଞ୍ଚିଛି। ବିଶେଷଜ୍ଞଙ୍କ ମତରେ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କ ପ୍ରସ୍ତାବିତ ବର୍ଦ୍ଧିତ ଶୁଳ୍କ ଲାଗୁ ହୋବା ପରେ ବଜାରରେ ସୁନା ଦର ଆହୁରି ତେଜିବ।
କ୍ରମାଗତ କିଛିବର୍ଷ ଧରି ସୁନାର ମୂଲ୍ୟବୃଦ୍ଧି ଘଟୁଥିବାରୁ ସରକାର ସଭରେନ ଗୋଲ୍ଡବଣ୍ଡ ସ୍ମିମକୁ ବନ୍ଦ କରିଛନ୍ତି। ଏହି ସ୍କିମ ଚଳାଇବାରେ ସରକାରଙ୍କ ଅସାମର୍ଥ୍ୟ ଏଥିରୁ ସ୍ପଷ୍ଟ ହୋଇଛି। ସୁନାରେ ନିବେଶ ପାଇଁ ଥିବା ସରକାରୀ ସୁଯୋଗ ବନ୍ଦ ହେବା ଫଳରେ ଶସ୍ତାରେ ସୁନା କିଣିବା ସକାଶେ ନିବେଶକଙ୍କୁ ଯେଉଁ ସୁବିଧା ମିଳୁଥିଲା ତାହା ଆଗକୁ ଆଉ ମିଳିବ ନାହିଁ। ଏହି ବଣ୍ଡର ମାଚ୍ୟୁରିଟି ମିଆଦ ୮ ବର୍ଷ ଥିଲା। ଏଥିରେ ନିବେଶକ ଦୋହରା ଲାଭ ପାଉଥିଲେ। ୨.୫ ପ୍ରତିଶତ ସ୍ଥାୟୀ ଜମା ହାରରେ ସୁଧ ମିଳୁଥିବା ବେଳେ ୮ ବର୍ଷ ମଧ୍ୟରେ ବର୍ଦ୍ଧିତ ସୁନା ମୂଲ୍ୟ ଉପରେ ଲାଭ ମଧ୍ୟ ପାଉଥିଲେ ନିବେଶକ। ସବୁଠାରୁ ବଡ଼କଥା ହେଲା ନିବେଶକଙ୍କ ସୁଧ ଟିକସ ମୁକ୍ତ ଥିଲା। ସ୍କିମ ବନ୍ଦ ଘୋଷଣା କରାଯାଇଥିଲେ ମଧ୍ୟ ପୁରୁଣା କିସ୍ତିର ମାଚ୍ୟୁରିଟି ଶେଷ ପର୍ଯ୍ୟନ୍ତ ତାହା ବଳବତ୍ତର ରହିବ ଓ ନିବେଶକ ସର୍ତ୍ତ ଅନୁଯାୟୀ ଉପକୃତ ହେବେ। ସରକାରୀ ବ୍ୟବସ୍ଥାଟି ବନ୍ଦ ହୋଇଗଲେ ମଧ୍ୟ ସୁନାରେ ନିବେଶ ସକାଶେ ଇଟିଏଫ୍ ଓ ଗୋଲ୍ଡ ମ୍ୟୁଚୁଆଲ ଫଣ୍ଡ କାର୍ଯ୍ୟକ୍ଷମ ଅଛି। ଆବଶ୍ୟକତା ଅନୁସାରେ ଏହି ଦୁଇଟି ସଂସ୍ଥା ମାଧ୍ୟମରେ ସୁନା କିଣାବିକା ହୋଇପାରିବ।
ଆମ ଦେଶଭଳି ପାଶ୍ଚାତ୍ୟ ରାଷ୍ଟ୍ରରେ ସୁନା ପ୍ରତି ଏତେ ଅତିରିକ୍ତ ଦୁର୍ବଳ ଥିଲା ଭଳି ମନେ ହୁଏନି। ତେବେ ହୀରା ଭଳି ଅନ୍ୟାନ୍ୟ ମୂଲ୍ୟବାନ ରତ୍ନ ବା ପଥର ଖଚିତ ଅଳଙ୍କାରର ଚାହିଦା ମଧ୍ୟ ଅଛି। ଏହି ମୂଲ୍ୟବାନ ପଥର ତ ସୁନାରେ ଖଞ୍ଜାଗଲେ ଅଳଙ୍କାର ବା ଗହଣାର ରୂପ ନେବ। ଯେଉଁ ଦେଶରେ ମହଣ ମହଣ ସୁନା ଅଳଙ୍କାରରେ ଦେବଦେବୀ ସୁସଜ୍ଜିତ ହୁଅନ୍ତି ସେଠାରେ ସୁନା ପ୍ରତି ସାଧାରଣ ଲୋକଙ୍କ ଆକର୍ଷଣ ରହିବ ହିଁ ରହିବ। ଆମ ରାଜ୍ୟର ଦକ୍ଷିଣାଞ୍ଚଳ ଅଧିବାସୀ ଅତିରିକ୍ତ ଅର୍ଥ ହାତରେ ରହିଲେ ସୁନା କିଣିବାକୁ ଅଗ୍ରାଧିକାର ଦେଇଥା’ନ୍ତି। ଅଳଙ୍କାରରେ ମଣ୍ଡିତ ହେବା ପାଇଁ ଯେ ସେମାନେ ସୁନା କିଣିଥା’ନ୍ତି ଏ କଥା ନୁହେଁ, ସେମାନଙ୍କ ସଞ୍ଚୟ ପ୍ରବୃତ୍ତିର ଏହା ଏକ ଅଂଶ। ଏବେ ଯେଉଁ ହାରରେ ସୁନା ମୂଲ୍ୟ ବଢ଼ୁଛି ତାହାକୁ ବିଚାର କଲେ ସେମାନଙ୍କ ଦ୍ୱାରା ସଞ୍ଚିତ ସୁନାରୁ ଯେତେ ଫାଇଦା ମିଳିବ, ତାହା ଅନ୍ୟ କୌଣସି ଜମାରାଶିରୁ ମିଳିବ ନାହିଁ। ଏହି ପାରମ୍ପରିକ ଧାରା ଏବେ ମଧ୍ୟ ସେହି ଅଞ୍ଚଳରେ ତିଷ୍ଠି ରହିଛି। ସୁନାର ଚମକ୍ ଯେତେ ବଢ଼ୁଛି, ମହଜୁଦକାରୀର ହାତ ସେତେ ଚିକ୍କଣ ହେଉଛି।