ସୁନୀତା ଉଇଲିୟମ୍ସଙ୍କ ପୃଥିବୀ ପ୍ରତ୍ୟାବର୍ତ୍ତନ: ଆଶା ଓ ଆଶଙ୍କା
ସୁତରାଂ ଯାହା ଥିଲା ମାତ୍ର ୮ ଦିନ କାଳର ଏକ ସଂକ୍ଷିପ୍ତ ଅଭିଯାନ ତାହା ଏବେ ପ୍ରଯୁକ୍ତିଗତ ତ୍ରୁଟି ଜନିତ କାରଣରୁ କିଛି ମାସ ପର୍ଯ୍ୟନ୍ତ ସମ୍ପ୍ରସାରିତ ହେବାକୁ ଯାଉଛି। ତେବେ ପ୍ରଶ୍ନ ହେଉଛି, ଅଟକି ରହିଥିବା ମହାକାଶଚାରୀଙ୍କ ରହଣିସ୍ଥଳୀ ସ୍ପେସ୍ ଷ୍ଟେଶନରେ ଏତେ ଦିନ ପାଇଁ ଖାଦ୍ୟ, ପାନୀୟ ଜଳ, ଔଷଧ ଆଦି ଅତ୍ୟାବଶ୍ୟକ ପଦାର୍ଥ ମହଜୁଦ ଅଛି କି? ଉତ୍ତର ‘ଅଛି’ ବୋଲି ଧରାଯିବ; କାରଣ ନିୟମିତ ସମୟ ବ୍ୟବଧାନରେ ଉଭୟ ରୁଷିଆ ଓ […] The post ସୁନୀତା ଉଇଲିୟମ୍ସଙ୍କ ପୃଥିବୀ ପ୍ରତ୍ୟାବର୍ତ୍ତନ: ଆଶା ଓ ଆଶଙ୍କା appeared first on Dharitri Odia News.
ସୁତରାଂ ଯାହା ଥିଲା ମାତ୍ର ୮ ଦିନ କାଳର ଏକ ସଂକ୍ଷିପ୍ତ ଅଭିଯାନ ତାହା ଏବେ ପ୍ରଯୁକ୍ତିଗତ ତ୍ରୁଟି ଜନିତ କାରଣରୁ କିଛି ମାସ ପର୍ଯ୍ୟନ୍ତ ସମ୍ପ୍ରସାରିତ ହେବାକୁ ଯାଉଛି। ତେବେ ପ୍ରଶ୍ନ ହେଉଛି, ଅଟକି ରହିଥିବା ମହାକାଶଚାରୀଙ୍କ ରହଣିସ୍ଥଳୀ ସ୍ପେସ୍ ଷ୍ଟେଶନରେ ଏତେ ଦିନ ପାଇଁ ଖାଦ୍ୟ, ପାନୀୟ ଜଳ, ଔଷଧ ଆଦି ଅତ୍ୟାବଶ୍ୟକ ପଦାର୍ଥ ମହଜୁଦ ଅଛି କି? ଉତ୍ତର ‘ଅଛି’ ବୋଲି ଧରାଯିବ; କାରଣ ନିୟମିତ ସମୟ ବ୍ୟବଧାନରେ ଉଭୟ ରୁଷିଆ ଓ ଆମେରିକାର ମହାକାଶଯାନଗୁଡ଼ିକ ପୃଥିବୀରୁ ବିଭିନ୍ନ ଯୋଗାଣ ସାମଗ୍ରୀ ନେଇ ସ୍ପେସ ଷ୍ଟେଶନ ସହିତ ସଂଲଗ୍ନ ହୋଇଥାନ୍ତି। ନିକଟରେ ରୁଷିଆର ଏକ ମାଲବାହୀ ଯାନ ‘ପ୍ରୋଗ୍ରେସ-୨୮’ ବୈକାନୁର କେନ୍ଦ୍ରରୁ ଉତ୍କ୍ଷେପଣ ହୋଇ ପ୍ରାୟ ୩ ଟନ୍ ଓଜନର ଖାଦ୍ୟସାମଗ୍ରୀ ଓ ଯନ୍ତ୍ରପାତି ନେଇ ସ୍ପେସ ଷ୍ଟେଶନରେ ପହଞ୍ଚତ୍ଛି। ସେହିପରି ସ୍ପେସ-ଏକ୍ସ କମ୍ପାନୀର ଅନ୍ୟ ଏକ ଯାନ ‘ସିଗ୍ନସ’ ନିଜର ଫାଲକନ୍-୯ ରକେଟ ଜରିଆରେ ଫ୍ଲୋରିଡାର କାନାଭେରାଲ କେନ୍ଦ୍ରରୁ ଜାନୁଆରୀ ୩୦ ତାରିଖରେ ଉତ୍କ୍ଷେପଣ ହୋଇ ପ୍ରାୟ ୮୨୦୦ ପାଉଣ୍ଡ ଓଜନର ଖାଦ୍ୟସାମଗ୍ରୀ, ପାନୀୟ ଜଳ, ଔଷଧ ଓ ଯନ୍ତ୍ରପାତି ନେଇ ସ୍ପେସ ଷ୍ଟେଶନରେ ସଂଲଗ୍ନ ହୋଇଛି। ସେଗୁଡ଼ିକ ଫେରିଲା ପଥରେ ସ୍ପେସ ଷ୍ଟେଶନରୁ ସଂଗୃହୀତ ଯାତ୍ରୀମାନଙ୍କ ବର୍ଜ୍ୟବସ୍ତୁ ଓ ଆବର୍ଜନା ସାଙ୍ଗରେ ଧରି ପୃଥିବୀକୁ ଫେରିବେ। ଫେରନ୍ତା ଯାତ୍ରାବେଳେ ଏହି ଆବର୍ଜନାସବୁକୁ ପୃଥିବୀକୁ ନଆଣି ମହାକାଶରେ ନିରାପଦ ଭାବେ ଫିଙ୍ଗି ଦିଆଯିବ ଯାହା ସମୟକ୍ରମେ ପୃଥିବୀ ଆଡ଼କୁ ଗତିକରି ପୃଥିବୀର ବାୟୁମଣ୍ଡଳ ଜନିତ ଘର୍ଷଣରେ ସମ୍ପୂର୍ଣ୍ଣ ଜଳିଯିବ। ମହାକାଶଚାରୀମାନଙ୍କ ସୁଖଦ ରହଣି ନିମନ୍ତେ ସ୍ପେସ ଷ୍ଟେଶନରେ ଜିମ୍ ସମେତ ଅନେକ ସୁବିଧା ଉପଲବ୍ଧ ଅଛି। ଏହି ଜିମ୍ରେ ସେମାନେ ନିୟମିତ ବ୍ୟାୟାମ କରି ନିଜ ଶରୀରକୁ ସକ୍ରିୟ ରଖିପାରିବେ। ସ୍ପେସ୍ ଷ୍ଟେଶନ୍ରେ ମଧ୍ୟ ଟେଲିଭିଜନର ସୁବିଧା ରହିଛି, ଯେଉଁଥିରେ ସେମାନେ ନିଜ ମନମୁତାବକ ଚଳଚ୍ଚିତ୍ର ଦେଖି ପାରିବେ। ଏହାଛଡ଼ା ସେଠାରେ ମଧ୍ୟ ମ୍ୟୁଜିକ ସିଷ୍ଟମ, ଡିଭିଡି ପ୍ଲେୟର୍, ୱାଇଫାଇ ଜରିଆରେ ଇଣ୍ଟରନେଟ ସେବା ଯୋଗାଣ ତଥା ଡିଜିଟାଲ ଲାଇବ୍ରେରିର ମଧ୍ୟ ସୁବିଧା ଅଛି ଯାହାର ଉପଯୋଗ ଦ୍ୱାରା ମହାକାଶଯାତ୍ରୀମାନେ ମହାକାଶରେ ଦୀର୍ଘ ଦିନ ରହଣିକାଳ ମଧ୍ୟରେ ନିଃସଙ୍ଗତା ଭୁଲି ନିଜର ମାନସିକ ସ୍ବାସ୍ଥ୍ୟ ବଜାୟ ରଖିପାରିବେ।
ସୁନୀତା ଓ ୱିଲମୋର୍ ମହାକାଶରେ ନିଜର ସମ୍ପ୍ରସାରିତ ରହଣିକାଳ ମଧ୍ୟରେ ଫାଙ୍କା ନ ବସି ମହାକାଶରେ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ନିରୀକ୍ଷା କରିବା ସହିତ ସ୍ପେସ୍ ଷ୍ଟେଶନର ରକ୍ଷଣାବେକ୍ଷଣ କାର୍ଯ୍ୟରେ ସହାୟତା ପ୍ରଦାନ କରିବେ। ଏ ପରୀକ୍ଷାଗୁଡ଼ିକ ମଧ୍ୟରେ ମହାକାଶର ଭାରଶୂନ୍ୟ ପରିସ୍ଥିତି ଶରୀରର ସହନଶୀଳତା ତଥା ମହାକାଶରେ ଦୀର୍ଘ ଦିନ ରହଣିର ଜୀବନ ଉପରେ ପ୍ରଭାବ ଇତ୍ୟାଦି ଅନୁଧ୍ୟାନ ସାମିଲ ହେବ, ଯାହା ପରବର୍ତ୍ତୀ ସମୟରେ ମହାକାଶରେ ମଣିଷର ସ୍ଥାୟୀ ବସତି ସ୍ଥାପନର ଯୋଜନାରେ ସହାୟକ ହେବ। ପୂର୍ବରୁ ସୁନୀତାଙ୍କର ମହାକାଶରେ ୩୦୦ରୁ ଊର୍ଦ୍ଧ୍ୱ ଦିନ ଅବସ୍ଥାନ କରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଭିଯାନରେ ଅଂଶଗ୍ରହଣ କରିବାର ଦୀର୍ଘ ଅନୁଭୂତି ରହିଛି।
(ଶେଷ ଭାଗ)
-ନିକୁଞ୍ଜ ବିହାରୀ ସାହୁ, ଏଜୁକେଶନ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟପ୍ରଦେଶ
ମୋ: ୮୯୧୭୬୩୭୯୭୪
The post ସୁନୀତା ଉଇଲିୟମ୍ସଙ୍କ ପୃଥିବୀ ପ୍ରତ୍ୟାବର୍ତ୍ତନ: ଆଶା ଓ ଆଶଙ୍କା appeared first on Dharitri Odia News.