ସୁପ୍ରିମକୋର୍ଟଙ୍କ ଆଦେଶକୁ ହେୟଜ୍ଞାନ ! କେବେ ନିଯୁକ୍ତ ହେବେ ଶ୍ରୀମନ୍ଦିର ପାଇଁ ସ୍ଥାୟୀ ମୁଖ୍ୟ ପ୍ରଶାସକ ?

ସ୍ନାନ ଯାତ୍ରା ସରିଛି, ଆଗକୁ ଆସୁଛି ମହାପ୍ରଭୁଙ୍କ ଘୋଷଯାତ୍ରା। ତାସହିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ ମଧ୍ୟ ଝୁଲି ରହିଛି। ଏଭଳି ସମୟରେ ଶ୍ରୀମନ୍ଦିରର ସ୍ଥାୟୀ ମୁଖ୍ୟ ପ୍ରଶାସକ ନଥିବାରୁ ପ୍ରକାଶ ପାଇଛି ଉଦବେଗ। 

ସୁପ୍ରିମକୋର୍ଟଙ୍କ ଆଦେଶକୁ ହେୟଜ୍ଞାନ ! କେବେ ନିଯୁକ୍ତ ହେବେ ଶ୍ରୀମନ୍ଦିର ପାଇଁ ସ୍ଥାୟୀ ମୁଖ୍ୟ ପ୍ରଶାସକ ?

ସୁପ୍ରିମକୋର୍ଟଙ୍କ ଆଦେଶକୁ ହେୟଜ୍ଞାନ ! କାହିଁକି ଶ୍ରୀମନ୍ଦିର ପାଇଁ ନିଯୁକ୍ତ ହେଉନାହାନ୍ତି ଜଣେ ସ୍ଥାୟୀ ମୁଖ୍ୟ ପ୍ରଶାସକ ? ଜଣେ ଆଇଏଏସ୍ କ୍ୟାଡର ଅଫିସରଙ୍କୁ ଶ୍ରୀମନ୍ଦିର ସ୍ଥାୟୀ ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦେବା ଲାଗି ଖୋଦ୍ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ସତ୍ତ୍ବେ କଣ ପାଇଁ ତାର ଅନୁପାଳନରେ ଅବହେଳା ତାକୁ ନେଇ ଉଠିଛି ପ୍ରଶ୍ନ। 

ସ୍ନାନ ଯାତ୍ରା ସରିଛି, ଆଗକୁ ଆସୁଛି ମହାପ୍ରଭୁଙ୍କ ଘୋଷଯାତ୍ରା। ତାସହିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ ମଧ୍ୟ ଝୁଲି ରହିଛି। ଏଭଳି ସମୟରେ ଶ୍ରୀମନ୍ଦିରର ସ୍ଥାୟୀ ମୁଖ୍ୟ ପ୍ରଶାସକ ନଥିବାରୁ ପ୍ରକାଶ ପାଇଛି ଉଦବେଗ। ଭକ୍ତଙ୍କ ଅଭିଯୋଗ- ସ୍ଥାୟୀ ମୁଖ୍ୟ ପ୍ରଶାସକ ରହୁନଥିବାରୁ ଶ୍ରୀମନ୍ଦିର ସଂସ୍କାର ବ୍ୟବସ୍ଥାରେ ସୃଷ୍ଟି ହେଉଛି ପ୍ରତିବନ୍ଧକ। ୪ ଦ୍ବାର ସିନା ଖୋଲାହେଲା କିନ୍ତୁ ଶ୍ରୀମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ ହୋଇପାରୁ ନାହିଁ। ଯଦି ଜଣେ ସ୍ଥାୟୀ ପ୍ରଶାସକ ନିଜେ ଏସବୁ ପ୍ରସଙ୍ଗକୁ ଅନୁଧ୍ୟାନ କରିଥାନ୍ତେ, ତାହାଲେ ଅନେକ ସମସ୍ୟାର ସମାଧାନ ହୋଇପାରିଥାନ୍ତା। ତେବେ ନୂଆ ସରକାର ଆସିଥିବାରୁ ଏହାର ଶୀଘ୍ର ସମାଧାନ ଆଶା ରଖିଛନ୍ତି ସେବାୟତ।

ଶ୍ରୀମନ୍ଦିର ସଂସ୍କାର ପଦକ୍ଷେପ କ୍ରମେ ଶ୍ରୀମନ୍ଦିରରେ ଜଣେ ଆଇଏଏସ କ୍ୟାଡର ଅଫିସରଙ୍କୁ ସ୍ଥାୟୀ ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦେବାକୁ ଗତ ୨୦୧୯ରୁ ରହିଛି ସୁପ୍ରିମକୋର୍ଟଙ୍କ ଆଦେଶ। ହେଲେ ବହୁ ବିଳମ୍ବରେ ଗତ ୨୦୨୩ ମସିହାରେ ଏହାର ଅନୁପାଳନ କରିଥିଲେ ନବୀନ ସରକାର। ୨୦୨୩ ମସିହା ୨୯ ତାରିଖରେ ଆଇଏଏସ ଅଧିକାରୀ ରଞ୍ଜନ ଦାସଙ୍କୁ ଏ ପଦରେ ନିଯୁକ୍ତି ଦେଇଥିଲେ। ଫଳରେ ସେ ଆସିବା ପରେ ଶ୍ରୀମନ୍ଦିରରେ ଭକ୍ତ ଓ ସେବାୟତଙ୍କ ପାଇଁ ଡ୍ରେସକୋଡ୍, ପାନ-ଗୁଟଖା ବନ୍ଦ, ସେବାୟତଙ୍କୁ ପରିଚୟପତ୍ର, ସେବାୟତ ପିଲାଙ୍କ ପାଇଁ ଗୁରୁକୂଳ ଓ ସ୍ବଳ୍ପ ମୂଲ୍ୟରେ ଭକ୍ତ ନିବାସ ନିର୍ମାଣ ଭଳି ବହୁ ସଂସ୍କାର କାର୍ଯ୍ୟକ୍ରମ ବି 
ହାତକୁ ନିଆଯାଇଥିଲା। ହେଲେ ମାତ୍ର ୮ ମାସ ପରେ ହଠାତ୍ ତାଙ୍କୁ ପଦରୁ ହଟାଇ ନିଆଯାଇଥିଲା ଓ ତାଙ୍କସ୍ଥାନରେ ପୁରୀର ପୂର୍ବତନ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଶ୍ରୀମନ୍ଦିରର ଅତିରିକ୍ତ ମୁଖ୍ୟ ପ୍ରଶାସକ ଦାୟିତ୍ବ ଦିଆଯାଇଥିଲା। 

ତାପରେ ପୂର୍ତ୍ତ ସଚିବ ଦାୟିତ୍ବରେ ଥିବା ବୀର ବିକ୍ରମ ଯାଦବଙ୍କୁ ପୁଣି ଥରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ବ ଦିଆଯାଇଛି। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବରିଷ୍ଠ ସେବାୟତ। କହିଛନ୍ତି ଆଗକୁ ବିଶ୍ବପ୍ରସିଦ୍ଧ ରଥଯାତ୍ରା, ତାସହ ରତ୍ନଭଣ୍ଡାର ଖୋଲାଯିବାକୁ ବି ଯୋଜନା ରହିଛି । ତେଣୁ ଜଣେ ସ୍ଥାୟୀ ମୁଖ୍ୟ ପ୍ରଶାସକଙ୍କ ବିନା ଏସବୁ ହେବା ଅସମ୍ଭବ। 

ତେଣେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି- ରାଜ୍ୟ ସରକାରଙ୍କ ପ୍ରଥମ ୧୦୦ ଦିନର କାର୍ଯ୍ୟସୂଚୀରେ ଶ୍ରୀମନ୍ଦିରରେ ସ୍ଥାୟୀ ମୁଖ୍ୟ ପ୍ରଶାସକ ନିଯୁକ୍ତି ଏକ ମୁଖ୍ୟ ପ୍ରସଙ୍ଗ ରହିବ ଓ ଏ ବାବଦରେ ଖୁବଶୀଘ୍ର ସ୍ପଷ୍ଟ ନିଷ୍ପତ୍ତି ନିଆଯିବ।ଏବେ ଦେଖିବାର କଥା କେତେଶୀଘ୍ର ଶ୍ରୀମନ୍ଦିରରେ ନିଯୁକ୍ତ ହେଉଛନ୍ତି ଜଣେ ସ୍ଥାୟୀ ମୁଖ୍ୟ ପ୍ରଶାସକ।