ସ୍କୁଟିରେ ବସିଥିଲେ ଯୁବକ, ମୁଣ୍ଡ ଉପରେ ଖସି ପଡ଼ିଲା AC

ଜିତେଶ ଦିଲ୍ଲୀର ଡୋରିୱାଲାରେ ରହୁଥିବା ବେଳେ ପ୍ରଂଶୁଙ୍କ ଘର ପଟେଲ ନଗରରେ। ପୁଲିସ୍‌ ଏବେ ଗୋଟିଏ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସ୍କୁଟିରେ ବସିଥିଲେ ଯୁବକ, ମୁଣ୍ଡ ଉପରେ ଖସି ପଡ଼ିଲା AC

ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଭିଡିଓ। ବିଚ୍‌ ରାସ୍ତାରେ ଚାଲି ଯାଇଛି ଜଣେ ୧୮ ବର୍ଷୀୟ ଯୁବକଙ୍କ ଜୀବନ। ସ୍କୁଟି ଉପରେ ବସିଥିବା ବେଳେ ହଠାତ୍‌ ଯୁବକଙ୍କ ମୁଣ୍ଡ ଉପରେ ଖସି ପଡ଼ିଛି ଗୋଟିଏ ବିରାଟ କାୟ ଏସି।

ଏଥିଯୋଗୁ ଘଟଣା ସ୍ଥଳରେ ହିଁ ଯୁବକଙ୍କ ଜୀବନ ଚାଲି ଯାଇଛି। ଦିଲ୍ଲୀର ଦେଶ ବନ୍ଧୁ ଗୁପ୍ତା ରୋଡ ଠାରେ ଥିବା ଡୋରିୱାଲା ଅଞ୍ଚଳରେ ଘଟିଥିବା ଘଟଣାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି।

ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଗୋଟିଏ ଛୋଟିଆ ଗଳିରେ ୧୮ ବର୍ଷୀୟ ଜିତେଶ ସ୍କୁଟିରେ ବସିଛନ୍ତି। ସେ ତାଙ୍କ ସାଙ୍ଗ ୧୭ ବର୍ଷୀୟ ପ୍ରଂଶୁଙ୍କ ସହ କଥା ହେଉଛନ୍ତି। ଉଭୟ କଥା ହେବା ପରେ ପରସ୍ପରକୁ ଆଲିଙ୍ଗନ କରିଥିଲେ। ଏହାପରେ ଜିତେଶ ସ୍କୁଟି ଷ୍ଟାର୍ଟ କରିବାକୁ ବାହାରୁ ଥିବା ବେଳେ ହଠାତ ଘଟିଥିଲା ଅଘଟଣ।

ସେମାନେ ଛିଡ଼ା ହୋଇଥିବା ବିଲଡିଂର ଦ୍ୱିତୀୟ ମହଲାରୁ ହଠାତ୍‌ ଗୋଟିଏ ବିରାଟ କାୟ ୱିଣ୍ଡୋ ଏସି ସିଧା ଆସି ସ୍କୁଟିରେ ଥିବା ଜିତେଶଙ୍କ ମୁଣ୍ଡରେ ପଡ଼ିଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ଏହି ଘଟଣାରେ ପ୍ରଂଶୁ ମଧ୍ୟ ଆହତ ହୋଇଛନ୍ତି। ଜିତେଶ ଦିଲ୍ଲୀର ଡୋରିୱାଲାରେ ରହୁଥିବା ବେଳେ ପ୍ରଂଶୁଙ୍କ ଘର ପଟେଲ ନଗରରେ। ପୁଲିସ୍‌ ଏବେ ଗୋଟିଏ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।