ସ୍କୁଲରେ କଳାକନା ବୁଲାଇଦେଲେ ଲୁଟେରା; ଛାତ୍ରଙ୍କର ରହିଛି ସଂପୃକ୍ତି

ସ୍କୁଲର କାର୍ଯ୍ୟାଳୟରୁ ଫେବ୍ରୁଆରୀ ମାସର ଦୁଇ ଦୁଇ ଥର ଚୋରି ହୋଇଥିବା ଅଭିଯୋଗ ହୋଇଥିଲା।

ସ୍କୁଲରେ କଳାକନା ବୁଲାଇଦେଲେ ଲୁଟେରା; ଛାତ୍ରଙ୍କର ରହିଛି ସଂପୃକ୍ତି

ସ୍କୁଲରେ କଳାକନା ବୁଲାଇଦେଲେ ଲୁଟେରା। ଦୁଇ ଦୁଇ ଥର ଲୁଟରେ ସ୍କୁଲରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏହି ଚୋରିରେ ସ୍କୁଲର ଛାତ୍ରଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ଉପକଣ୍ଠ ଶିରିଶବଣି ଅଞ୍ଚଳରେ ଥିବା ଏକ ଘରୋଇ ଇଂରାଜୀ ସ୍କୁଲରେ। ଏହି ଘଟଣାରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। 

ଫେବ୍ରୁଆରୀ ମାସରେ ସ୍କୁଲର କାର୍ଯ୍ୟାଳୟରୁ ଦୁଇ ଦୁଇ ଥର ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଚୋରମାନେ ସ୍କୁଲ କାର୍ଯ୍ୟାଳୟରୁ ଲକ୍ଷାଧିକ ଟଙ୍କା ସହ ଏଲଇଡି ଟିଭି, ଲାପଟପ୍, କମ୍ପ୍ୟୁଟର ସାମଗ୍ରୀ ଚୋରି କରିନେଇଥିଲେ। ଏନେଇ ସ୍କୁଲ ପକ୍ଷରୁ ବାରିପଦା ସଦର ଥାନାରେ ଅଭିଯୋଗ ହୋଇଥିଲା।

ଅଭିଯୋଗ ପରେ ପୁଲିସ ତଦନ୍ତ କରି ଦୁଇ ଯୁବକଙ୍କୁ ଗିରଫ କରିଥିଲା। ସେମାନଙ୍କ ଠାରୁ ଚୋରି ସାମଗ୍ରୀ ସହ ନଗଦ ଟଙ୍କା ଜବତ କରିଥିଲା। ଗିରଫ ଯୁବକଙ୍କୁ ପଚରାଉଚରା ବେଳେ ଚୋରି ପଛରେ ସେହି ସ୍କୁଲର ପାଞ୍ଚ ଜଣ ଛାତ୍ରଙ୍କ ହାତ ଥିବା ଜଣାପଡିଥିଲା। ବାଇକ, ଦାମିକିଆ ମୋବାଇଲ କିଣିବା ପାଇଁ ଛାତ୍ରମାନେ ଯୁବକମାନଙ୍କୁ ହାତ କରି ସ୍କୁଲରେ ଚୋରି କରାଇଥିବା ଜଣାପଡିଛି। ପୁଲିସ ଏହି ୫ ଜଣ ଛାତ୍ରଙ୍କୁ ଡାକି ପଚରାଉଚରା କରିଥିବା ଜଣାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।