ସ୍ପାଇଡର୍‌ ମ୍ୟାନ୍‌ ଭଳି ଚଢ଼ୁଥିଲେ ବିଲ୍ଡିଂ, ବାନ୍ଧିଲା ପୁଲିସ

ବିନା ସହାୟତାରେ ଯୁବକ ଜଣକ କୋଠାର ୨୫ ମହଲା ଉପରକୁ ଚଢ଼ି ଯାଇଥିଲେ। ଏତିକି ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଗିରଫ କରିଛି।

ସ୍ପାଇଡର୍‌ ମ୍ୟାନ୍‌ ଭଳି ଚଢ଼ୁଥିଲେ ବିଲ୍ଡିଂ, ବାନ୍ଧିଲା ପୁଲିସ

ସ୍ପାଇଡର୍‌ ମ୍ୟାନ୍‌ ଭଳି ଚଢ଼ୁ ଥିଲେ ୩୦ ମହଲା ବିଲ୍ଡିଂ। ଜୀବନକୁ ବାଜିରେ ଲଗାଇ ଦେଖାଉଥିଲେ ଷ୍ଟଣ୍ଟ। ହେଲେ ବାନ୍ଧିଲା ପୁଲିସ। ଆର୍ଜେଣ୍ଟିନା ପୁଲିସ ପୋଲାଣ୍ଡର ଜଣେ ସୋଶାଲ ମିଡିଆ ଷ୍ଟାର୍‌ଙ୍କୁ ଗିରଫ କରିଛି।

ସୂଚନା ମୁତାବକ, ଆର୍ଜେଣ୍ଟିନାର ଜଣେ ସୋଶାଲ ମିଡିଆ ଷ୍ଟାର୍‌ ତଥା ଯୁବକ ଆର୍ଜେଣ୍ଟିନା ଫୁଟ୍‌ବଲ ଟିମ୍‌ର ଜର୍ସି ପିନ୍ଧିଥିଲେ। ଏହି ଜର୍ସି ପିନ୍ଧି  ଆର୍ଜେଣ୍ଟିନାର ବୁଏନୋସ୍ ଆଇରେସ୍ ସହରର ତିଆରି ହୋଇଥିବା ୩୦ମହଲା ବିଲ୍ଡିଂ ଉପରେ ବିନା କୌଣସି ସହାୟତାରେ ଯୁବକ ଜଣକ ସ୍ପାଇଡର୍‌ ମ୍ୟାନ୍‌ଡ଼ ଭଳି ଚଢ଼ୁ ଥିଲେ। ଯୁବକ ଜଣକ କୋଠାର ୨୫ ମହଲା ଉପରକୁ ଚଢ଼ି ଯାଇଥିଲେ। ଏତିକି ବେଳେ ବିଲ୍ଡିଂ ଭିତରୁ କିଛି ଲୋକଙ୍କ ନଜର ତାଙ୍କ ଉପରେ ପଡିଥିଲା। ଏହାପରେ ସେମାନେ ପୁଲିସକୁ ସୂଚନା ଦେଇଥିଲେ।

ସୂଚନା ପାଇ ଘଟଣାସ୍ଥଳରେ ୩୦ରୁ ଅଧିକ ଅଗ୍ନିଶମ ବିଭାଗର କର୍ମଚାରୀ, ପୁଲିସ ଏବଂ ଆମ୍ବୁଲାନ୍ସ ପହଞ୍ଚି ଯୁବକକୁ ସୁରକ୍ଷିତ ଭାବେ ତଳକୁ ଆଣିଥିଲେ। ପରେ ପୁଲିସ ତାଙ୍କୁ ଗିରଫ କରିଛି। ତାଙ୍କୁ ମୋଟା ଅଙ୍କର ଜୋରିମାନା ମଧ୍ୟ ଦେବାକୁ ପଡିପାରେ। ଗିରଫ ଯୁବକର ନାଁ ମାରସିନ୍ ବାନୋଟ୍ ବୋଲି ଜଣାପଡିଛି। ସେ ଜଣେ ସୋଶାଲ ମିଡିଆ ଷ୍ଟାର୍‌ ଅଟନ୍ତି।

ସୋଶାଲ ମିଡିଆରେ ମାରସିନ୍‌ଙ୍କ ଲକ୍ଷ ଲକ୍ଷ ଫଲୋଅର୍ସ ଅଛନ୍ତି। ଏହା ପୂର୍ବରୁ ମଧ୍ୟ ସେ ଅନେକ ଷ୍ଟଣ୍ଟ କରି ସୋଶାଲ ମିଡିଆରେ ଭିଡିଓ ଅପ୍‌ଲୋଡ କରିଛନ୍ତି। ଗତ ସପ୍ତାହରେ ମଧ୍ୟ ମାରସିନ୍‌ ଏହି ବିଲ୍ଡିଂ ଉପରେ ଚଢ଼ିବାକୁ ପ୍ରୟାସ କରିଥିଲେ, କିନ୍ତୁ ସେହି ସମୟରେ ପୁଲିସ ତାଙ୍କୁ ଅଟକାଇ ଦେଇଥିଲା।