ସ୍ୱର୍ଣ୍ଣ ମନ୍ଦିରରେ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କ ଉପରକୁ ଗୁଳିମାଡ଼
ଦଣ୍ଡ ପାଇ ସ୍ୱର୍ଣ୍ଣ ମନ୍ଦିର ଫାଟର ସମ୍ମୁଖରେ ସୁରକ୍ଷାକର୍ମୀ ଭାବେ ସେବା ଯୋଗାଉ ଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କ ଉପରକୁ ହୋଇଛି ଗୁଳିମାଡ଼।
ଶିରୋମଣି ଅକାଳୀ ଦଳ ନେତା ତଥା ପଞ୍ଜାବର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କ ଉପରେ ହୋଇଛି ଗୁଳିମାଡ଼। ସ୍ୱର୍ଣ୍ଣ ମନ୍ଦିର ଫାଟକ ନିକଟରେ ଆଜି ସକାଳେ ଘଟିଛି ଏହି ଘଟଣା। ତେବେ ଶ୍ରୀ ବାଦଲ ସୁରକ୍ଷିତ ଅଛନ୍ତି। ତାଙ୍କର କିଛି ହୋଇନାହିଁ।
ଗୁଳି ମାରିଥିବା ବ୍ୟକ୍ତି ଧରାପଡ଼ିଛନ୍ତି। ତାଙ୍କ ନାଁ ନାରାୟଣ ସିଂହ । ସେ ବାବର ଖାଲସା ଇଣ୍ଟରନ୍ୟାସନାଲର ଜଣେ ପୂର୍ବତନ ଆତଙ୍କବାଦୀ ବୋଲି ଜଣାପଡ଼ିଛି। ସେ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କ ଉପରକୁ ଲକ୍ଷ୍ୟ କରି ଗୁଳି ଚଳାଇବା ପରେ ସେଠାରେ ଉପସ୍ଥିତ ସ୍ୱର୍ଣ୍ଣ ମନ୍ଦିର କର୍ମଚାରୀ ଓ ଶ୍ରଦ୍ଧାଳୁମାନେ ତାଙ୍କୁ କାବୁ କରିଥିଲେ ଓ ସେ ଧରିଥିବା ପିସ୍ତଲ ଛଡ଼ାଇ ନେଇଥିଲେ। ଏହା ପରେ ତାଙ୍କୁ ପୁଲିସକୁ ହସ୍ତାନ୍ତର କରାଯାଇଛି। ପୁଲିସ ତାଙ୍କୁ ଗିରଫ କରିଛି।
୨୦୦୭ରୁ ୨୦୧୭ ମଧ୍ୟରେ ଶିରୋମଣି ଅକାଳୀ ସରକାର ସମୟରେ ଏକ ଧାର୍ମିକ ଅପବିତ୍ରୀକରଣ ମାମଲା ସହିତ ଅନ୍ୟାନ୍ୟ ଭୁଲ୍ କରି ଅକାଲ ତଖ୍ତଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କୁ ଦଣ୍ଡ ସ୍ୱରୂପ ସ୍ୱର୍ଣ୍ଣ ମନ୍ଦିର ଓ ଅନ୍ୟ ଗୁରୁଦ୍ୱାରରେ ଶୌଚାଳୟ,ବାସନ ଓ ଜୋତା ସଫା କରିବା ସହିତ ଅନ୍ୟାନ୍ୟ କାର୍ଯ୍ୟ କରିବାକୁ କୁହାଯାଇଛି। ତେବେ ତାଙ୍କ ଗୋଡ଼ ଭାଙ୍ଗିଥିବାରୁ ସେ ଦୁଇ ଦିନ ହେବ ସ୍ୱର୍ଣ୍ଣ ମନ୍ଦିରର ଫାଟକ ସମ୍ମୁଖରେ ଜଣେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରୁଛନ୍ତି। ହୁଇଲ ଚେୟାରରେ ବସି ହାତରେ ଏକ ବର୍ଚ୍ଛା ଧରି ସେ ଏହି ସେବା କରୁଛନ୍ତି। ଆଜି ସକାଳେ ସେ ଏହି ସେବା କରୁଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ତେବେ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଗୁଳିଟି ତାଙ୍କ ଦେହରେ ବା ସେଠାରେ ଉପସ୍ଥିତ ଅନ୍ୟ କୌଣସି ବ୍ୟକ୍ତି ଦେହରେ ବାଜି ନଥିଲା।