ସ୍ୱାମୀଙ୍କ ପସନ୍ଦର ଶାଢ଼ୀ ପିନ୍ଧିବାକୁ ମନା କଲେ ସ୍ତ୍ରୀ, ଛାଡପତ୍ର ଯାଏ ଗଲା କଥା

ଦୁହେଁ ପରସ୍ପର ବିରୋଧରେ ଥାନରେ ନିର୍ଯାତନ ଅଭିଯୋଗ ଆଣିବା ସହ ଛାଡପତ୍ର ପାଇଁ କୋର୍ଟରେ ଆବେଦନ କରିଛନ୍ତି।

ସ୍ୱାମୀଙ୍କ ପସନ୍ଦର ଶାଢ଼ୀ ପିନ୍ଧିବାକୁ ମନା କଲେ ସ୍ତ୍ରୀ, ଛାଡପତ୍ର ଯାଏ ଗଲା କଥା

ଛୋଟ ଛୋଟ କଥାରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେବା ସାଧାରଣ କଥା। କିନ୍ତୁ ବେଳେ ବେଳେ ଏହି ଝଗଡା ଉଗ୍ର ରୂପ ନେଇଥାଏ। ଏପରିକି ଛାଡପତ୍ର ଯାଏ ମଧ୍ୟ କଥା ଯାଏଁ। ଏଭଳି କିଛି ଘଟଣା ଏବେ ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ଆଗ୍ରାରୁ। ସ୍ୱାମୀଙ୍କ ପସନ୍ଦର ଶାଢ଼ୀ ପିନ୍ଧିଲେନି ସ୍ତ୍ରୀ। ବାସ୍‌ ଏତିକିରେ ଝଗଡା ଆରମ୍ଭ ହୋଇ ଛାଡପତ୍ର ଯାଏଁ ପହଞ୍ଚିଛି।

ଉତ୍ତରପ୍ରଦେଶ ଆଗ୍ରାର ଦୀପକ। ସେ ୮ ମାସ ପୂର୍ବେ ହାତରସ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ଦିନେ ଦୀପକ ସ୍ତ୍ରୀ ପାଇଁ ନିଜ ପସନ୍ଦର ଏକ ଶାଢ଼ୀ ଆଣିଥିଲେ। ସେ ଚାହୁଁଥିଲେ ଯେ ସେ ଆଣିଥିବା ଶାଢ଼ୀକୁ ସ୍ତ୍ରୀ ପିନ୍ଧନ୍ତୁ। ହେଲେ ସେହି ଶାଢ଼ୀ ପିନ୍ଧିବାକୁ ସଫା ସଫା ମନା କରିଦେଇଥିଲେ ଦୀପକଙ୍କ ସ୍ତ୍ରୀ। ବାସ୍‌ ଏତିକିରେ ରାଗିଯାଇଥିଲେ ଦୀପକ। ଏହାକୁ ନେଇ ଉଭୟଙ୍କ ଭିତରେ ଆରମ୍ଭ ହୋଇଥିଲା ଝଗଡା।

ଦେଖୁ ଦେଖୁ ଏହି ଝଗଡ ଦିନକୁ ଦିନ ବଢ଼ିବାକୁ ଲାଗିଥିଲା। ପରେ ଏହା ଯାଇ କୋର୍ଟରେ ପହଞ୍ଚିଥିଲା। ଦୁହେଁ ପରସ୍ପର ବିରୋଧରେ ଥାନରେ ନିର୍ଯାତନ ଅଭିଯୋଗ ଆଣିବା ସହ ଛାଡପତ୍ର ପାଇଁ କୋର୍ଟରେ ଆବେଦନ କରିଥିଲେ। ହେଲେ ସେଠାକାର କାଉନ୍‌ସେଲିଂ ସେଣ୍ଟରରେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ବୁଝାସୁଝା କରି ଝଗଡା ସମାଧାନ କରିବାକୁ ପ୍ରଥମେ ଚେଷ୍ଟା କରାଯାଇଥିଲା। କିନ୍ତୁ କାଉନ୍‌ସିଲର୍‌ ଏଥିରେ ବିଫଳ ହୋଇଥିଲେ।

କାଉନ୍‌ସିଲର୍‌ ସ୍ୱାମୀ-ସ୍ତ୍ରୀଙ୍କୁ ଯେତେ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ କିଛି ବୁଝି ନଥିଲେ। ଉଭୟ ନିଜ ବିବାହକୁ ଭାଙ୍ଗି ଅଲଗା ହେବା ପାଇଁ ଜିଦ୍‌ ଧରଥିଲେ। ସେପଟେ ପରିବାର ଲୋକେ ମଧ୍ୟ ଝଗଡାର ସମାଧାନ କରି ଏକାଠି ରହିବାକୁ ପରାମର୍ଶ ଦେଇଥିଲେ ମଧ୍ୟ ଉଭୟ ସ୍ୱାମି-ସ୍ତ୍ରୀ ଏଥିରେ ରାଜି ହୋଇ ନାହାନ୍ତି।

ଏନେଇ ସ୍ୱାମୀ କହିଛନ୍ତି, ସେ ତାଙ୍କ ସ୍ତ୍ରୀଙ୍କୁ ବହୁତ ଭଲ ପାଆନ୍ତି। ସେ ଚାହାନ୍ତି ସ୍ତ୍ରୀ ତାଙ୍କ ପସନ୍ଦର ଶାଢୀ ପିନ୍ଧନ୍ତୁ। ନିଜ ମନଲାଖି ଶାଢୀରେ ସ୍ତ୍ରୀଙ୍କୁ ଦେଖିଲେ ସେ ବୁତ ଖୁସି ହୁଅନ୍ତି। ଅନ୍ୟପକ୍ଷରେ ସ୍ତ୍ରୀ କହିଛନ୍ତି, ସେ ପ୍ରାୟତଃ ସ୍ୱାମୀଙ୍କ ପସନ୍ଦର ଶାଢୀ ପିନ୍ଧନ୍ତି। ବେଳେବେଳେ ସେ ନିଜ ପସନ୍ଦର ଶାଢୀ ପିନ୍ଧିଲେ, ସ୍ୱାମୀ ରାଗି ଯାଆନ୍ତି ଏବଂ ନାନା କଥା ଶୁଣାନ୍ତି।