ହରିଦାସପୁର-ପାରାଦ୍ୱୀପ ଦ୍ଵିତୀୟ ରେଳ ଲାଇନ ପାଇଁ ବୈଜୟନ୍ତ ପଣ୍ଡାଙ୍କ ପ୍ରସ୍ତାବ  

୧୯୯୬ ମସିହାରେ ପୂର୍ବ-ତଟ ରେଳର ଅଂଶ ଭାବେ ୮୨.୫ କି.ମି. ଦୀର୍ଘ ହରିଦାସପୁର-ପାରାଦୀପ ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିଲା।

ହରିଦାସପୁର-ପାରାଦ୍ୱୀପ ଦ୍ଵିତୀୟ ରେଳ ଲାଇନ ପାଇଁ ବୈଜୟନ୍ତ ପଣ୍ଡାଙ୍କ ପ୍ରସ୍ତାବ  

ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପର ଦ୍ୱିତୀୟ ରେଳ ଲାଇନ ନିର୍ମାଣ ନିମନ୍ତେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପତ୍ର ମାଧ୍ୟମରେ ପ୍ରସ୍ତାବ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା।  

୧୯୯୬ ମସିହାରେ ପୂର୍ବ-ତଟ ରେଳର ଅଂଶ ଭାବେ ୮୨.୫ କି.ମି. ଦୀର୍ଘ ହରିଦାସପୁର-ପାରାଦୀପ ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିଲା। ୧୯୯୯ ମସିହାରେ ତତ୍କାଳୀନ ରେଳ ମନ୍ତ୍ରୀ ନୀତୀଶ କୁମାର ମାର୍ଶାଘାଇଠାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଓ ୨୦୦୪ ସୁଦ୍ଧା ଏହା ଶେଷ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇ ପାରୁନଥିଲା ଓ କାଗଜକଲମରେ ଅଟକି ଯାଇଥିଲା। ବୈଜୟନ୍ତ ପଣ୍ଡା ୨୦୦୯ରେ କେନ୍ଦ୍ରାପଡ଼ାରୁ ଲୋକସଭାକୁ ନିର୍ବାଚିତ ହେବା ପରେ ନିରନ୍ତର ଭାବେ ଏହି ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବା ଦିଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ନିୟମିତ ଯୋଗାଯୋଗ ରକ୍ଷା କରିବା ସହ ଅଧିକାରୀମାନଙ୍କ ସହ ସମୀକ୍ଷା କରି କାର୍ଯ୍ୟକୁ ଆଗେଇ ନେଇଥିଲେ।

ସହଭାଗିତା ଭିତ୍ତିରେ ଏହି ପ୍ରକଳ୍ପର ନିର୍ମାଣ ଦାୟିତ୍ୱ ରେଳ ବିକାଶ ନିଗମ ଲିମିଟେଡ (ଆର.ଭି.ଏନ.ଏଲ), ଓଡ଼ିଶା ସରକାର, ଓଡ଼ିଶା ଖଣି ନିଗମ ଓ ପାରାଦୀପ ପୋର୍ଟ ଟ୍ରଷ୍ଟକୁ ଦିଆଯାଇଥିଲା। ଆନୁମାନିକ ୨୦୮୩.୯ କୋଟି ଟଙ୍କାର ଏହି ପ୍ରକଳ୍ପ ଲାଗି ଆବଶ୍ୟକ କିଛି ଜମି ଜଙ୍ଗଲ କ୍ଷେତ୍ରରେ ପଡୁଥିବାରୁ ତାହାର ଅଧିଗ୍ରହଣ ଦୀର୍ଘ ଦିନ ଧରି ପଡିରହିଥିଲା। ଏଥିପାଇଁ ଶ୍ରୀ ପଣ୍ଡା ୨୦୧୪ ଅକ୍ଟୋବର ୧୪ ତାରିଖରେ ତତ୍କାଳୀନ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭାଡେକରଙ୍କୁ ସାକ୍ଷାତ କରି ପ୍ରଥମ ପର୍ଯ୍ୟାୟ ପରିବେଶ ମଞ୍ଜୁରୀ ଆଣିଥିଲେ। ୨୦୧୫ ଅଗଷ୍ଟ ୨୭ ତାରିଖରେ ବୈଜୟନ୍ତ ପଣ୍ଡା ତତ୍କାଳୀନ ରେଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ସାକ୍ଷାତ କରି ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବା ଲାଗି ଓ ରେଳ ବଜେଟରେ ସ୍ୱତନ୍ତ୍ର ଭାବେ ବ୍ୟୟବରାଦ ଦେବା ଲାଗି ଦାବି କରିଥିଲେ। ଏହାପରେ ଏହି ପ୍ରକଳ୍ପକୁ ଶେଷ କରିବା ଲାଗି ସେ ତତ୍କାଳୀନ ରେଳ ମନ୍ତ୍ରୀ ପୀୟୂଷ ଗୋଏଲଙ୍କ ସହ ବାରମ୍ବାର ଆଲୋଚନା ମଧ୍ୟ କରିଥିଲେ। ଶେଷରେ ୨୦୧୯ ମସିହାରେ ଏହି ପ୍ରକଳ୍ପ ଶେଷ ହୋଇଥିଲା।

ହରିଦାସପୁର-ପାରାଦୀପ ରେଳ ଲାଇନ ଉପକୂଳ ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ, ଯାହା ୩ଟି ଜିଲ୍ଲା- ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂପୁରକୁ ସଂଯୋଗ କରୁଛି। ଦ୍ଵିତୀୟ ରେଳ ଲାଇନ ହେଲେ କେନ୍ଦ୍ରାପଡ଼ା ଜିଲ୍ଲାରେ ଇଣ୍ଡଷ୍ଟ୍ରିଆଲ କରିଡୋର, ଶିଳ୍ପାୟନ ପାଇଁ ପଥ ପରିଷ୍କାର ହେବା ସଙ୍ଗେ ସଙ୍ଗେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ।