ହାଇକୋର୍ଟରେ ୧୪ ବିଚାରପତି ପଦ ଖାଲି, ଗତବର୍ଷ ତୁଳନାରେ କମିଲା ମାମଲା ଫଏସଲା ହାର

କଟକ : ଓଡ଼ିଶା ହାଇକୋର୍ଟରେ ବିଚାରାଧୀନ ମାମଲା ବୋଝ ବଢ଼ୁଥିବା ବେଳେ ଖାଲି ପଡ଼ିଥିବା ମଞ୍ଜୁରିପ୍ରାପ୍ତ ବିଚାରପତି ପଦ ପୂରଣ ହୋଇପାରୁନାହିଁ। ବର୍ତ୍ତମାନ ହାଇକୋର୍ଟରେ ମୋଟ ୩୩ଟି ମଞ୍ଜୁରିପ୍ରାପ୍ତ ବିଚାରପତି ପଦ ଥିବା ବେଳେ ମୁଖ୍ୟ ବିଚାରପତିଙ୍କ ସମେତ ମୋଟ ୧୯ଜଣ ବିଚାରପତି ରହିଛନ୍ତି। ଯାହା ବିଗତ ତିନିବର୍ଷ ମଧ୍ୟରେ ସର୍ବନିମ୍ନ ବୋଲି ଜଣାପଡ଼ିଛି। ୨୦୨୨ଶେଷ ଆଡକୁ ହାଇକୋର୍ଟରେ ବିଚାରପତି ସଂଖ୍ୟା ୨୨ଥିଲା। ଏପରିକି, ୨୦୨୩ ଜାନୁଆରୀରେ ଏହି ସଂଖ୍ୟା ୨୨ ଥିବା ବେଳେ ଡିସେମ୍ବର ବେଳକୁ […]

ହାଇକୋର୍ଟରେ ୧୪ ବିଚାରପତି ପଦ ଖାଲି, ଗତବର୍ଷ ତୁଳନାରେ କମିଲା ମାମଲା ଫଏସଲା ହାର
odisha-highcourt

କଟକ : ଓଡ଼ିଶା ହାଇକୋର୍ଟରେ ବିଚାରାଧୀନ ମାମଲା ବୋଝ ବଢ଼ୁଥିବା ବେଳେ ଖାଲି ପଡ଼ିଥିବା ମଞ୍ଜୁରିପ୍ରାପ୍ତ ବିଚାରପତି ପଦ ପୂରଣ ହୋଇପାରୁନାହିଁ। ବର୍ତ୍ତମାନ ହାଇକୋର୍ଟରେ ମୋଟ ୩୩ଟି ମଞ୍ଜୁରିପ୍ରାପ୍ତ ବିଚାରପତି ପଦ ଥିବା ବେଳେ ମୁଖ୍ୟ ବିଚାରପତିଙ୍କ ସମେତ ମୋଟ ୧୯ଜଣ ବିଚାରପତି ରହିଛନ୍ତି। ଯାହା ବିଗତ ତିନିବର୍ଷ ମଧ୍ୟରେ ସର୍ବନିମ୍ନ ବୋଲି ଜଣାପଡ଼ିଛି। ୨୦୨୨ଶେଷ ଆଡକୁ ହାଇକୋର୍ଟରେ ବିଚାରପତି ସଂଖ୍ୟା ୨୨ଥିଲା। ଏପରିକି, ୨୦୨୩ ଜାନୁଆରୀରେ ଏହି ସଂଖ୍ୟା ୨୨ ଥିବା ବେଳେ ଡିସେମ୍ବର ବେଳକୁ ୨୦ରେ ପହଞ୍ଚିଥିଲା। ତେବେ ୨୦୨୪ ନଭେମ୍ବର ବେଳକୁ ହାଇକୋର୍ଟରେ ବିଚାରପତି ସଂଖ୍ୟା ୧୯କୁ ହ୍ରାସ ପାଇଛି। ଏବେ ବି ୧୪ଟି ବିଚାରପତି ପଦ ଖାଲି ପଡ଼ିଛି। ଏହା ହାଇକୋର୍ଟରେ ମାମଲା ଫଏସଲା ହାରକୁ ପ୍ରଭାବିତ କରିଥିବା କୁହାଯାଉଛି।

କେନ୍ଦ୍ର ଆଇନ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ଦେଶର ୨୫ଟି ଉଚ୍ଚ ନ୍ୟାୟାଳୟରେ ୧,୧୧୪ଟି ବିଚାରପତି ପଦ ଥିବା ବେଳେ ୩୫୨ଟି ଖାଲି ପଡ଼ିଛି। ମଞ୍ଜୁରିପ୍ରାପ୍ତ ବିଚାରପତି ପଦର ମୋଟ ୩୨ପ୍ରତିଶତ ଅଦ୍ୟାବଧି ପୂରଣ ହୋଇପାରିନାହିଁ। ତେବେ ଓଡ଼ିଶା ହାଇକୋର୍ଟରେ ମଞ୍ଜୁରିପ୍ରାପ୍ତ ପଦର ୪୨ ପ୍ରତିଶତ ଖାଲି ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନାନୁସାରେ, ହାଇକୋର୍ଟରେ ଗତ ୨୦୨୩ ଜାନୁଆରୀ ୧ରୁ ଅକ୍ଟୋବର ୩୧ ମଧ୍ୟରେ ମାମଲା ଫଏସଲା ହାର ଥିଲା ୧୧୬.୫୬%। ହେଲେ ଚଳିତବର୍ଷ ଜାନୁଆରୀ ପହିଲାରୁ ଅକ୍ଟୋବର ୩୧ ମଧ୍ୟରେ ଏହି ହାର ୧୦୪.୧୧% ରହିଛି। ମାମଲା ରୁଜୁ ତୁଳନାରେ ଫଏସଲା ହାର ଗତ ବର୍ଷ ଅପେକ୍ଷା କମ୍‌ ରହିଥିବା ଜଣାପଡ଼ିଛି। ୨୦୨୩ର ଜାନୁଆରୀ ପହିଲାରୁ ଅକ୍ଟୋବର ୩୧ ମଧ୍ୟରେ ମୋଟ ୫୮,୮୮୮ଟି ମାମଲା ରୁଜୁ ହୋଇଥିଲା ବେଳେ ୭୨, ୮୯୩ ଫଏସଲା ହୋଇପାରିଥିଲା। ୨୦୨୪ର ଏହି ଅବଧି ମଧ୍ୟରେ ୭୩, ୯୭୯ମାମଲା ରୁଜୁ ହୋଇଥିବା ବେଳେ ୭୭, ୦୧୭ଟି ମାମଲା ଫଏସଲା ହୋଇଛି।

୨୦୨୪ ଜାନୁଆରୀ ପହିଲାରେ ବିଚାରାଧୀନ ମାମଲା ସଂଖ୍ୟା ୧,୪୭,୦୨୮ରହିଥିଲା ବେଳେ ଅକ୍ଟୋବର ୩୧ ସୁଦ୍ଧା ୧, ୪୩, ୯୭୧ ଥିଲା। ବିଗତ ୧୦ ମାସ ମଧ୍ୟରେ ହାଇକୋର୍ଟରୁ ମାତ୍ର ୩୦୫୭ଟି ମାମଲା ବୋଝ କମିଛି। ଯେଉଁଠି ୨୦୨୩ ଜାନୁଆରୀ ପହିଲାରେ ୧,୬୪, ୭୭୧ ମାମଲା ବିଚାରାଧୀନ ଥିବା ବେଳେ ସେହି ବର୍ଷ ଅକ୍ଟୋବର ୩୧ରେ ଏହା ୧,୪୭,୧୯୯ ରହିଥିଲା। ଅର୍ଥାତ ୨୦୨୩ର ଏହି ୧୦ ମାସ ମଧ୍ୟରେ ୧୭, ୫୭୨ଟି ମାମଲାର ବୋଝ କମିଥିଲା। ୨୦୨୪ ଜାନୁଆରୀରୁ ଅକ୍ଟୋବର ଏହି ୧୦ ମାସ ମଧ୍ୟରେ ୪୦ବର୍ଷରୁ ଅଧିକ ପୁରୁଣା ଗୋଟିଏ ମାମଲା, ୨୫ରୁ ୪୦ ବର୍ଷ ପୁରୁଣା ମାମଲା ୯୮୪ଟି, ୧୦ରୁ ୨୫ବର୍ଷ ପୁରୁଣା ୩, ୩୫୮ଓ ୧୦ ବର୍ଷ ଭିତରର ୨୬୭୪ଟି ମାମଲା ଫଏସଲା ହୋଇପାରିଥିବା ଜଣାପଡ଼ିଛି।