ହାଇଦ୍ରାବାଦରେ ଭୟଙ୍କର ଅଗ୍ନିକାଣ୍ଡ, ଗୋଟିଏ ପରିବାରର ୮ ଶିଶୁ ସମେତ ୧୭ ଜଣଙ୍କ ମୃତ୍ୟୁ
ହାଇଦ୍ରାବାଦ: ଐତିହାସିକ ସ୍ମାରକୀ ଚାରମିନାର ନିକଟସ୍ଥ ହାଇଦ୍ରାବାଦ ଓଲ୍ଡ ସିଟିର ଗୁଲଜାର ହାଉସ୍ ନିକଟରେ ଶନିବାର ବଡ଼ି ଭୋର ସମୟରେ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ୮ ଶିଶୁଙ୍କ ସମେତ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ସମସ୍ତ ମୃତକ ଗୋଟିଏ ପରିବାରର ବୋଲି ତେଲେଙ୍ଗାନା ମନ୍ତ୍ରୀ ପୋନମ ପ୍ରଭାକର କହିଛନ୍ତି। ତେଲେଙ୍ଗାନା ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ୱାଇ ନାଗି ରେଡ୍ଡୀଙ୍କ କହିବା ଅନୁଯାୟୀ, ‘କ୍ରିଷ୍ଣା ପର୍ଲ୍ସ’ରେ ନିଆଁ ଲାଗି ଉପର ମହଲାକୁ ବ୍ୟାପିଥିଲା। ଏହାର କାରଣ ସର୍ଟସର୍କିଟ […]

ହାଇଦ୍ରାବାଦ: ଐତିହାସିକ ସ୍ମାରକୀ ଚାରମିନାର ନିକଟସ୍ଥ ହାଇଦ୍ରାବାଦ ଓଲ୍ଡ ସିଟିର ଗୁଲଜାର ହାଉସ୍ ନିକଟରେ ଶନିବାର ବଡ଼ି ଭୋର ସମୟରେ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ୮ ଶିଶୁଙ୍କ ସମେତ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ସମସ୍ତ ମୃତକ ଗୋଟିଏ ପରିବାରର ବୋଲି ତେଲେଙ୍ଗାନା ମନ୍ତ୍ରୀ ପୋନମ ପ୍ରଭାକର କହିଛନ୍ତି। ତେଲେଙ୍ଗାନା ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ୱାଇ ନାଗି ରେଡ୍ଡୀଙ୍କ କହିବା ଅନୁଯାୟୀ, ‘କ୍ରିଷ୍ଣା ପର୍ଲ୍ସ’ରେ ନିଆଁ ଲାଗି ଉପର ମହଲାକୁ ବ୍ୟାପିଥିଲା। ଏହାର କାରଣ ସର୍ଟସର୍କିଟ ବୋଲି ଜଣାପଡ଼ିଛି। ସକାଳ ୬ଟା ୧୬ ମିନିଟରେ ଅଗ୍ନିଶମ ବିଭାଗକୁ ଖବର ମିଳିବା ପରେ ପର୍ଯ୍ୟାପ୍ତ କର୍ମଚାରୀଙ୍କ ସହ ୧୧ଟି ଦମକଳ ଗାଡ଼ି ପଠାଯାଇଥିଲା। ଧୂଆଁ ଭର୍ତ୍ତି କୋଠାରୁ ଲୋକଙ୍କୁ ବାହାର କରିବା ପାଇଁ ଉଦ୍ଧାରକାରୀମାନେ ଅକ୍ସିଜେନ ମାସ୍କ ବ୍ୟବହାର କରିଥିଲେ। ଉଦ୍ଧାରକାରୀ ଦଳ ୧୭ ଜଣ ଅଧିକାରୀ ଓ ୭୦ ଜଣ କର୍ମଚାରୀଙ୍କ ସହାୟତାରେ କୋଠା ଭିତରେ ଫସି ରହିଥିବା ୧୭ ଜଣଙ୍କୁ ସଫଳତାର ସହ ଉଦ୍ଧାର କରିଥିଲେ ଏବଂ ଦୁଇ ଘଣ୍ଟା ଧରି ଅପରେସନ ଚାଲିଥିଲା। ତେଲେଙ୍ଗାନା ମନ୍ତ୍ରୀ ପୋନମ ପ୍ରଭାକର ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟର ତଦାରଖ କରିଛନ୍ତି। ପୂର୍ବତନ ବିଧାୟକ ତଥା ଏଆଇଏମ୍ଆଇଏମ୍ ନେତା ମୁମତାଜ ଅହମଦ ଖାନ୍ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉକ୍ତ ଘଟଣାରେ ଦୁଃଖ ପ୍ରକାଶ କରି କହିଛନ୍ତି, ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ଗଭୀର ଦୁଃଖିତ। ସେ ମୃତକଙ୍କ ପାଇଁ ସମବେଦନା ଜଣାଇବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରତି ମୃତକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି । ଆହତଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ରାଜ୍ୟ ସରକାର ମଧ୍ୟ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ବୋଲି ପୋନମ ପ୍ରଭାକର କହିଛନ୍ତି।