ହିଟ୍‌ ଆଣ୍ଡ ରନ୍‌ ମାମଲା; ବିଜେପି ନେତାଙ୍କ ପୁଅର ଅଡ଼ି ଧକ୍କାରେ ଦୁଇ ଗୁରୁତର

ଜଣେ ବିଜେପି ନେତାଙ୍କ ପୁଅର ଅଡି କାର୍‌ ଧକ୍କାରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଏଥିସହ କାର୍‌ଟି ଆହୁରି ବହୁ ଗାଡ଼ିକୁ ଧକ୍କା ଦେଇଥିବା ଜଣାଯାଇଛି।

ହିଟ୍‌ ଆଣ୍ଡ ରନ୍‌ ମାମଲା; ବିଜେପି ନେତାଙ୍କ ପୁଅର ଅଡ଼ି ଧକ୍କାରେ ଦୁଇ ଗୁରୁତର

ମହାରାଷ୍ଟ୍ରରେ ଘଟିଛି ହିଟ୍‌ ଆଣ୍ଡ ରନ୍‌ କେସ୍‌। ଜଣେ ବିଜେପି ନେତାଙ୍କ ପୁଅର ଅଡି କାର୍‌ ଧକ୍କାରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଏଥିସହ କାର୍‌ଟି ଆହୁରି ବହୁ ଗାଡ଼ିକୁ ଧକ୍କା ଦେଇଥିବା ଜଣାଯାଇଛି।

ଏପରି ଏକ ଘଟଣା ମହାରାଷ୍ଟ୍ରର ନାଗପୁରର ରାମଦାସପେଠରେ ଘଟିଛି। ଏପରି ଦୁର୍ଘଟଣା ଘଟାଇଥିବା ଯୁବକଜଣକ ରାଜ୍ୟ ବିଜେପି ଅଧ୍ୟକ୍ଷଙ୍କ ପୁଅ ବୋଲି ଜଣାଯାଇଛି। ତେବେ ଏହି ଘଟଣାର ନିରପେକ୍ଷ ଯାଞ୍ଚ ନିମନ୍ତେ ମହାରାଷ୍ଟ୍ରର ବିଜେପି ଚିଫ ଚନ୍ଦ୍ରଶେଖର ବାବନକୁଲେ ଦାବି କରିଛନ୍ତି।

ପୁଲିସ୍‌ ଏହି ଘଟଣାରେ ଡ୍ରାଇଭର ଓ କାର୍‌ରେ ଥିବା ଅନ୍ୟ ଜଣେ ଯୁବକଙ୍କୁ ଗିରଫ କରିଥିଲା। ତେବେ ଗିରଫଦାରୀ ପରେ ଉଭୟଙ୍କୁ ଜାମିନ ମିଳି ଯାଇଥିବା ଜଣାଯାଇଛି।

ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ, ଅଡି କାର୍‌ଟି ରବିବାର ବିଳମ୍ବିତ ରାତିରେ ପ୍ରଥମେ ଏକ କାର୍‌କୁ ଧକ୍କା ଦେଇଥିଲା। ଏହାପରେ ଅଡି କାର୍‌ଟି ଏକ ଦୁଇ ଚକିଆ ଯାନକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଦୁଇ ଚକିଆ ଯାନରେ ଯାଉଥିବା ଦୁଇ ଯୁବକ ଗୁରୁତର ଆହତ ହୋଇଛନ୍ତି। ଏହାପରେ ଗାଡ଼ିଟି ଆଉ କିଛି ଯାନବାହନକୁ ଧକ୍କା ମାରିଥିବା ଜଣାଯାଇଛି।

ଏହାପରେ କିଛି ସ୍ଥାନୀୟ ଲୋକେ ଗାଡ଼ିଟିର ପିଛା କରି ଉଭୟ ଚାଳକ ଓ କାର୍‌ରେ ଥିବା ଅନ୍ୟ ଜଣେ ଯୁବକଙ୍କୁ କାବୁ କରି ଉଭୟଙ୍କୁ ପୁଲିସ୍‌ ଜିମା ଦେଇଥିଲେ। ତେବେ ସେମାନଙ୍କ ଜାମିନ ମିଳି ଯାଇଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏହି ଘଟଣା ନେଇ ମହାରାଷ୍ଟ୍ରର ବିଜେପି ଚିଫ ବାବନକୁଲେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରି ଅଡି କାର୍‌ ତାଙ୍କ ପୁଅ ସଙ୍କେତଙ୍କ ନାମରେ ରେଜିଷ୍ଟର ହୋଇଥିବା କହିଛନ୍ତି। ଏଥିସହ ସେ କହିଛନ୍ତି , କୌଣସି ଭେଦଭାବ ବିନା ପୁଲିସ୍‌ ଏହି ଘଟଣାର ନିରପେକ୍ଷ ଯାଞ୍ଚ କରିବା ଉଚିତ । ଯେଉଁମାନେ ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସେ ଦାବି କରିଛନ୍ତି । ନିୟମ ସମସ୍ତଙ୍କ ପାଇଁ ସମାନ ହେବା ଉଚିତ ବୋଲି ସେ କହିଛନ୍ତି ।