ହିନ୍ଦି ଫିଲ୍ମ ‘ଟ୍ୟୁଏଲଥ ଫେଲ୍’କୁ ଜିଏସଟିମୁକ୍ତ ଘୋଷଣା କଲେ ଓଡ଼ିଶା ସରକାର
ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ବୃହତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ହିନ୍ଦି ଫିଲ୍ମକୁ ପ୍ରୋତ୍ସାହିତ କରିବା ନିମନ୍ତେ ରାଜ୍ୟ ଜିଏସଟିମୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରତିଷ୍ଠିତ ନିର୍ଦ୍ଦେଶକ ବିଧୂବିନୋଦ ଚୋପ୍ରାଙ୍କ ଦ୍ୱାରା ଏକ ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ ‘ ଟ୍ୟୁଏଲଥ ଫେଲ’ (12TH FAIL )କୁ ଓଡ଼ିଶା ସରକାର ଜିଏସଟିମୁକ୍ତ କରିଛନ୍ତି । ରାଜ୍ୟରେ ଅଧିକ ସଂଖ୍ୟକ ଲୋକେ ଏହି ହିନ୍ଦି ଫିଲ୍ମ ଦେଖିବାକୁ ପ୍ରୋତ୍ସାହିତ କରିବା ନିମନ୍ତେ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି ।
ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ବୃହତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ହିନ୍ଦି ଫିଲ୍ମକୁ ପ୍ରୋତ୍ସାହିତ କରିବା ନିମନ୍ତେ ରାଜ୍ୟ ଜିଏସଟିମୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯାହାଫଳରେ ରାଜ୍ୟର ସିନେମା ହଲ୍ ଓ ମଲଟିପ୍ଲେକ୍ସରେ ଏହି ଫିଲ୍ମ ପ୍ରଦର୍ଶନ ପାଇଁ କୌଣସି ଏଂଟ୍ରି ଫି’ ବୃଦ୍ଧି କରିପାରିବେ ନାହିଁ କିମ୍ବା ବିଭିନ୍ନ ବର୍ଗର ସିଟ୍ ଗୁଡ଼ିକର ସଂଖ୍ୟା ମଧ୍ୟ ବଢ଼ାଇ ପାରିବେ ନାହିଁ ବୋଲି ସରକାର ତାଙ୍କ ନିର୍ଦ୍ଦେଶରେ ଉଲ୍ଲେଖ କରିଛନ୍ତି । ଏହି ଫିଲ୍ମର ଟିକେଟ୍ ବିକ୍ରି ଉପରେ ରାଜ୍ୟ ଜିଏସଟି ରହିବ ନାହିଁ । ତେଣୁ ଶସ୍ତା ଦରରେ ଏହି ଫିଲ୍ମ ଟିକେଟ୍ ଉପଲବ୍ଧ ହେବ ।
ଏହି ହିନ୍ଦି ଫିଲ୍ମରେ ବିକ୍ରାନ୍ତ ମସୀ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଚମ୍ବଲର ମନୋଜ ଶର୍ମା କିଭଳି ଜଣେ ସଚ୍ଚୋଟ ପୁଲିସ ଅଫିସର (ମହାରାଷ୍ଟ୍ର କ୍ୟାଡ଼ରର ୨୦୦୫ ବ୍ୟାଚ୍ ଆଇପିଏସ୍ ଅଫିସର) ହେଲେ ସେହି ରିଏଲ ଲାଇଫ୍ କାହାଣୀ ଉପରେ ଏହି ଫିଲ୍ମଟି ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି ।